ସଶକ୍ତ ଓ ସ୍ୱାବଲମ୍ବୀ ମହିଳା ହିଁ ସମୃଦ୍ଧ ଓଡ଼ିଶାର ମୂଳ ଶକ୍ତି : ମୁଖ୍ୟମନ୍ତ୍ରୀ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ସଶକ୍ତ ଓ ସ୍ୱାବଲମ୍ବୀ ମହିଳା ହିଁ ସମୃଦ୍ଧ ଓଡ଼ିଶାର ମୂଳ ଶକ୍ତି । ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନକୁ ସୁଦୃଢ଼ କରି ସେମାନଙ୍କ ଆତ୍ମବିଶ୍ୱାସକୁ ଦିଆଯାଉଛି ନୂଆ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଉଲ୍ଲେଖ କରି ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ସୁଭଦ୍ରା ଯୋଜନା ଅଧୀନରେ ୧ କୋଟିରୁ ଅଧିକ ମହିଳାଙ୍କୁ ୪ଟି କିସ୍ତିରେ ୨୦,୦୦୦ କୋଟିରୁ ଅଧିକ ଆର୍ଥିକ ସହାୟତା ମିଳିଛି । ଏବେ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ମିଳିବାକୁ ଯାଉଛି । ମହିଳାଙ୍କ ସମ୍ମାନ, ସଶକ୍ତିକରଣ ଓ ସ୍ୱାବଲମ୍ବନକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ଓଡ଼ିଶାର ମହିଳାମାନଙ୍କୁ ଆଗକୁ ବଢ଼ିବାର ନୂଆ ସୁଯୋଗ ଦେଉଛି । ମହିଳାଙ୍କ ସଶକ୍ତିକରଣ ହିଁ ସମୃଦ୍ଧ ଓଡ଼ିଶାର ଆଧାର ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ‘ଆସନ୍ତା ୨୮ ତାରିଖ (ରାଖୀ ପୂର୍ଣ୍ଣିମା) ଅବସରରେ ନୟାଗଡ଼ଠାରୁ ପ୍ରଦାନ କରାଯିବାକୁ ଥିବା ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପ୍ରସ୍ତୁତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଏହି ପଞ୍ଚମ କିସ୍ତି ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ୫,୦୦୦ ଟଙ୍କା ଲେଖାଏଁ ପାଇବେ । ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ମହିଳା ହିତାଧିକାରୀ ଏହି କିସ୍ତି ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି, ଯାହା ପାଇଁ ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ ।

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସଠିକ୍ ସମୟରେ ଏବଂ ସୁରୁଖୁରୁରେ ସହାୟତା ରାଶି ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀମତୀ ପରିଡ଼ା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ବିଶେଷ କରି ହିତାଧିକାରୀଙ୍କ ଯାଞ୍ଚ, ଇ-କେୱାଇସି, ଆଧାର-ସଂଯୋଗୀକୃତ ବ୍ୟାଙ୍କ ଆକାଉଣ୍ଟ, ଏନପିସିଆଇ ମ୍ୟାପିଂ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି, ଯାହାଦ୍ୱାରା ବିନା କୌଣସି ବିଳମ୍ବରେ ଆର୍ଥିକ ସହାୟତା ପହଞ୍ଚିପାରିବ ।

ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେବାରେ ଏହି ପଞ୍ଚମ କିସ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆଲୋକପାତ କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସେପ୍‌ଟେମ୍ବର ୧୭ ରେ ଭୁବନେଶ୍ୱରଠାରେ ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ ।


Reporterspen