ଦୁଷ୍କର୍ମକାରୀକୁ ପୁଲିସ ଏନ୍‌କାଉଣ୍ଟର; ପୋଲିସ ଗୁଳିରେ ଅଭିଯୁକ୍ତ ଶ୍ରୀଧରପଣ୍ଡା ଘାଇଲା

Reporterspen

ଭୁବନେଶ୍ୱର,(ରିପୋର୍ଟର୍ସ ପେନ୍‌): ଘରେ ପଶି ବନ୍ଧୁକମୁନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ପୋଲିସ ଏନ୍‌କାଉଣ୍ଟର କରିଛି । ପୋଲିସ ଗୁଳିରେ ଅଭିଯୁକ୍ତ ସନ୍ତୋଷ ସରଫ ଶ୍ରୀଧର ପଣ୍ଡା ଗୁରୁତର ଆହତ ହୋଇଛି । ତାକୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଦୁଷ୍କର୍ମକାରୀଙ୍କୁ ପୋଲିସ ଏନ୍‌କାଉଣ୍ଟର କରିବା ପରେ ଅପରାଧୀଙ୍କ ମହଲରେ ଛନକା ପଶି ଯାଇଛି ।

ସୂଚନା ଅନୁସାରେ, ଗତ ୩୦ ତାରିଖ ରାତିରେ ନୂଆପଲ୍ଲୀ ବେହେରାସାହିରେ ଘରେ ପଶି ବନ୍ଧୁକ ମୁନରେ ଶ୍ରୀଧର ପଣ୍ଡା ଜଣେ ୨୬ ବର୍ଷିୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ଏନେଇ ଥାନାରେ ଏତଲା ଦିଆଯିବା ପରେ କମିଶନରେଟ ପୋଲିସ ତନାଘନା ଆରମ୍ଭ କରିଥିଲା । ସ୍ପେଶାଲ ସ୍କ୍ୱାଡ ଘଟଣାକୁ ଗମ୍ଭୀରତାର ସହ ନେଇ ଛାନଭିନ କରୁଥିବା ବେଳେ ଜଣେ ସନ୍ଦୀଗ୍ଧ ଅଭିଯୁକ୍ତଙ୍କ ଫଟୋ ସିସିଟିଭିରୁ ପାଇଥିଲା । ଉକ୍ତ ଫଟୋକୁ ଆଧାର କରି ସହରର ପ୍ରାୟ ୩୦୦ରୁ ଅଧିକ ସିସିଟିଭି ଯାଂଚ କରିଥିଲା । ଯାଂଚ ବେଳେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲା ।

ଅଭିଯୁକ୍ତ ଗଞ୍ଜାମର ଶ୍ରୀଧର ପଣ୍ଡା ଓ ସେ ମଂଚେଶ୍ୱର ଥାନା ଚକେଇସିଆଣୀ ବଜରଙ୍ଗ ବିହାରରେ ରହୁଥିବା ପୋଲିସ ସ୍ପଷ୍ଟ ହୋଇଥିଲା । ପରେ ତାକୁ ଖୋଜି ଖୋଜି ପୋଲିସ ଟିମ ବଜରଙ୍ଗ ବିହାରରେ ପହଂଚିଥିଲା । ପ୍ରାୟ ଦୁଇଦିନ ଧରି ପୋଲିସ ଟିମ ସାଦାପୋଷାକରେ ବଜରଙ୍ଗ ବିହାରରେ ଘୂରି ବୁଲିବା ପରେ ଅଭିଯୁକ୍ତର ଘର ଠାବ କରିଥିଲା । ହେଲେ ସେତେବେଳକୁ ଅଭିଯୁକ୍ତ ତା’ ମା’ଙ୍କୁ ନେଇ ସେଠାରୁ ଚମ୍ପଟ ମାରିସାରିଥିଲା । ହେଲେ ପୋଲିସକୁ ତା’ ମୋବାଇଲ ନମ୍ବର ମିଳିଥିଲା । ପୋଲିସ ଉକ୍ତ ମୋବାଇଲକୁ ଟ୍ରାକ କରି ଅଭିଯୁକ୍ତକୁ ପିଛା କରିଥିଲା । ଅଭିଯୁକ୍ତ ଜଗତସିଂପୁରରୁ ଚନ୍ଦକା ଦେଇ ଭୁବନେଶ୍ୱର ଫେରୁଥିବା ବେଳେ ପୋଲିସ ଅନ୍ଧାରୁଆ ନିକଟରେ ତାକୁ ଅଟକାଇବାକୁ ଚେଷ୍ଠା କରିଥିଲା ।

ହେଲେ ସେ ପୋଲିସକୁ ଆକ୍ରମଣ କରି ଖସି ଯିବାକୁ ଉଦ୍ୟମ କରିଥିଲା । ପରେ ପୋଲିସ ତା ଉପରକୁ ଗୁଳିମାଡ କରିଥିଲା । ଗୁଳି ମାଡରେ ଅଭିଯୁକ୍ତ ଘାଇଲା ହୋଇଥିଲା । ତା’ ଗୋଡରେ ଦୁଇଟି ଗୁଳି ବାଜିଥିଲା । ତେବେ ଘଟଣା ଦିନ ଅଭିଯୁକ୍ତ ବେହେରାସାହୁରୁ ଚାଲି ଚାଲି ଆସି ଜାତୀୟ ରାଜପଥ ପହଞ୍ଚିବା ପରେ ମୋ ବସ୍‌’ରେ ଚଢ଼ି ସିଆରପି ଛକ ଆଡକୁ ଯାଇଥିଲା । ସିଆରପିରେ ଓହ୍ଲାଇ ଏକ ଅଟୋରେ ବସି ପାୱାର ହାଉସ୍ ଛକରେ ପହଞ୍ଚିଥିଲା । ତା’ପରେ ସେଠାରୁ ଏକ ବାଇକ୍ ଚୋରି କରି ଫେରାର ହୋଇଯାଇଥିଲା । ପ୍ରଥମେ ସେ ଗଞ୍ଜାମକୁ ଯାଇଥିଲା । ସେଠାରେ ଗୋଟିଏ ରାତି ରହିବା ପରେ ଜଗତସିଂପୁରକୁ ଯାଇଥିଲା । ଆଜି ଜଗତସିଂହପୁରରୁ ଭୁବନେଶ୍ୱର ଫେରୁଥିଲା । ଏହା ଜଣାପଡିବା ପରେ ପୋଲିସ ଅଭିଯୁକ୍ତକୁ କାବୁ କରିବାକୁ ପିଛା କରିଥିଲା ।

ପୋଲିସ କମିଶନର ଦେବଦତ୍ତ ସିଂ କହିଛନ୍ତି, “୩୦ ତାରିଖ ରାତିରେ ପୀଡିତାଙ୍କ ଏତଲାକ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ୪୮ ଘଣ୍ଟା ଅପରେଶନ ଚାଲିଥିଲା । କେହି ଶୋଇନଥିଲେ । କିଛି ସୂଚନା କାଲି ପାଇଥିଲୁ । କିଛି ସୂଚନା ଘଟଣା ପରଦିନ ରାତିରେ ପାଇଥିଲୁ । ଆଜି ସକାଳେ ତାକୁ ଚିହ୍ନଟ କରିଥିଲୁ । ଅଭିଯୁକ୍ତ ବହୁତ ଚତୁର । ସେ ଦୁଷ୍କର୍ମ ଘଟାଇ ଆମ ବସରେ ଯାଇଥିଲା । ପରେ ଅଟୋରେ ଓହ୍ଲାଇ ଏକ ନୂଆ ବାଇକ ଚୋରି କରି ପଳାଇଯାଇଥିଲା । ଅଭିଯୁକ୍ତ ଜଣକ ଛୋଟ ଧରଣର ଚୋରି କରୁଥିଲା । ଘର ଖୋଲା ଥିଲେ ମୋବାଇଲ, ପର୍ସ ଆଦି ନେଇଯାଉଥିଲା । ଚୋରି ଉଦ୍ଦେଶ୍ୟରେ ପୀଡିତାଙ୍କ ଘରକୁ ଯାଇଥିଲା। ତା ଚାବିରେ ଏକ ଖେଳନା ବନ୍ଧୁକ ରହିଛି । ଚୋରି ଉଦ୍ଦେଶ୍ୟରେ ସେ ଘରେ ପଶି ଅପରାଧ ଘଟାଇଥିଲା ।’


Reporterspen