ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତିତ ହେଲେ ଆନ୍ଦୋଳନ ତେଜିବ : ଉତ୍କଳ ସାମ୍ବାଦିକ ସଂଘ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ଦୀର୍ଘ ଦିନର ଦାବି ଓ ପ୍ରତିବାଦ ଉପରାନ୍ତେ ପୂର୍ବ ସରକାର ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ “ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା” ପ୍ରଣୟନ କରିଥିଲେ । ଏହା ମାଧ୍ୟମରେ ରାଜ୍ୟର ସାମ୍ବାଦିକ ମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁଧା ଉପକୃତ ହେଉଛନ୍ତି । ଇତିମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି କି, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଉଛେଦ କରି ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେଉଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ,ପ୍ରଚିଳିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଟି ସାମ୍ବାଦିକ ମାନଙ୍କୁ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିଲା । ଅନ୍ୟପକ୍ଷରେ ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ହିତାଧିକାରୀ ମାନେ ପାଉଥିବା କ୍ୟାବିନ୍ ସୁବିଧା ଆୟୁଷ୍ମାନ ଭାରତ ଯୋଜନାରେ ପାଇବେ ନାହିଁ । ଆୟୁଷ୍ମାନ ଯୋଜନାରେ ହୀତାଧିକାରୀଙ୍କୁ ଜେନେରିକ୍ ମେଡିସିନ ଦିଆଯାଉଥିଲା ବେଳେ ଗୋପବନ୍ଧୁ ଯୋଜନାରେ ବଜାର ଉପଲବ୍ଧ ମେଡିସିନର‌ ବ୍ୟବସ୍ଥା ଅଛି । ପ୍ରଚଳିତ ଯୋଜନା ଅନ୍ତର୍ଗତ ହିତାଧିକାରୀ ତାଙ୍କ ନିଜ ସୁବିଧା ଅନୁଯାୟୀ ବୀମା ସହବନ୍ଧିତ ନଥିବା ଚିକିତ୍ସାଳୟରେ ଚିକିତ୍ସିତ ହୋଇ ପରେ ବୀମା କମ୍ପାନୀ ପାଖରେ ଉପଯୁକ୍ତ କାଗଜାତ ପଈଠ କରି ଚିକିତ୍ସା ରାଶି ହାସଲ କରିପାରିବ, ଯାହାକି ଆୟୁଷ୍ମାନ ଭାରତ ଯୋଜନାରେ ଉପଲବ୍ଧ ହେବନାହିଁ । ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ବୀମା ରାଶି ସମ୍ପୃକ୍ତ ଚିକିତ୍ସାଳୟ ମାନେ ପାଇବାରେ ଡେରି ହେଉଥିବାରୁ ହିତାଧିକାରୀମାନଙ୍କୁ ଆଇ ସି ୟୁ ସୁବିଧା ଦେବାରେ ଚିକିତ୍ସାଳୟ ମାନେ ଅଣଦେଖା କରୁଛନ୍ତି ।

ଚଳିତ ବର୍ଷ ମଈ ମାସରେ ସରକାର ହାରାହାରି ୧୦ କୋଟି ଟଙ୍କା ବିନିମୟରେ ଶ୍ରୀମନ୍ଦର ସେବାୟତମାନଙ୍କୁ ବୀମା ଭୃକ୍ତ କରିଛନ୍ତି । ଯେଉଁଥିରେ ସେବାୟତଙ୍କ ପିତା ମାତା ସାମିଲ୍ ରହିବା ସହ ନନ୍ ମେଡିକାଲ ଆଇଟମ୍ ର ପେମେଣ୍ଟ ମଧ୍ୟ ଇନ୍ସୁରାନ୍ସ କମ୍ପାନୀ ଦେଉଛି ।‌ସେହିପରି ବିଧାୟକ ମାନଙ୍କ ପାଇଁ କୋଡିଏ ଲକ୍ଷ ଟଙ୍କାର ସ୍ବତନ୍ତ୍ର ବୀମା ଯୋଜନା ପ୍ରଚଳିତ ଅଛି । ଏପରିସ୍ଥଳେ ସାମ୍ବାଦିକଙ୍କୁ ସାମାନ୍ୟ ସୁବିଧା ଦେବାରେ ସରକାରଙ୍କ କାର୍ପଣ୍ୟତାକୁ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଏତାଦୃଶ ଦୃଶ୍ୟପଟ୍ଟରେ‌ ସରକାର ସାମ୍ବାଦିକଙ୍କ ପିତାମାତା ଓ ନିର୍ଭରଶୀଳ ସନ୍ତାନ ମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରନ୍ତୁ ଓ ନନ୍ ମେଡିକାଲ ଆଇଟମ୍ ରାଶି ବୀମା କମ୍ପାନୀ ଵହନ କଲାଭଳି ସ୍କୀମ୍ ପ୍ରଚଳନ କରାଯାଉ ଓ ବୀମା ରାଶିକୁ ପାଞ୍ଚ’ରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଉ ।

ଏହାର ପ୍ରତିବାଦରେ ସଂଘ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ନିର୍ଦ୍ଦେଶକଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଅନ୍ୟଥା ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ପରୀପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ବ୍ୟାପୀ ପ୍ରତିବାଦର ଆହ୍ୱାନ ଦେବାକୁ ବାଧ୍ୟ ହେବ ବୋଲି ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଘୋଷଣା କରିଛନ୍ତି ।


Reporterspen