ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ୱଚ୍ଛ ଭୋଟର ତାଲିକା ଜରୁରୀ : ମୁଖ୍ୟମନ୍ତ୍ରୀ

Reporterspen

ମତଦାତା ତାଲିକାର ସଠିକତା ଓ ଯୋଗ୍ୟ ଭୋଟରଙ୍କ ଅଧିକାର ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ୱଚ୍ଛ ଭୋଟର ତାଲିକା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସେ ତାଙ୍କ ବ୍ୟକ୍ତିଗତ ସୋସିଆଲ ମିଡ଼ିଆଲ ଏକ୍ସ ହ୍ୟାଣ୍ଡେଲରେ ଏହା ଲେଖିଛନ୍ତି ।

ସେ ଲେଖିଛନ୍ତି ଯେ, ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭର କରେ । ଏଥିପାଇଁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ଅତ୍ୟନ୍ତ ଜରୁରୀ । ମତଦାତା ତାଲିକାରେ ଏକାଧିକ ଥର ନାମ ରହିବା, ପୁରୁଣା ତଥ୍ୟ ଅପଡେଟ୍ ନହେବା ଏବଂ ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ନପଡ଼ିବା ଏହାର ସଠିକତାକୁ ପ୍ରଭାବିତ କରିପାରେ । ତେଣୁ ଭୋଟର ତାଲିକାକୁ ନିର୍ଭରଯୋଗ୍ୟ ରଖିବା କେବଳ ପ୍ରଶାସନିକ ଦାୟିତ୍ୱ ନୁହେଁ, ବରଂ ନିର୍ବାଚନୀ ବ୍ୟବସ୍ଥାର ସ୍ୱଚ୍ଛତା ଓ ଗଣତନ୍ତ୍ର ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବାର ଏକ ମୁଖ୍ୟ ପଦକ୍ଷେପ ।

ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗଭୀର ସଂଶୋଧନ ବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସଆଇଆର) ଗୁରୁତ୍ୱ ବହନ କରୁଛି । ଏହି ପ୍ରକ୍ରିୟା ମାଧ୍ୟମରେ ଭୋଟର ତାଲିକାରେ ଥିବା ତ୍ରୁଟି ଚିହ୍ନଟ କରିବା, ଏକାଧିକ ସ୍ଥାନରେ ଥିବା ନାମକୁ ଯାଞ୍ଚ କରିବା, ମୃତ୍ୟୁ କିମ୍ବା ବାସସ୍ଥାନ ପରିବର୍ତ୍ତନ ଯୋଗୁଁ ପୁରୁଣା ହୋଇଥିବା ତଥ୍ୟକୁ ସଂଶୋଧନ କରିବା ଏବଂ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ତାଲିକାରେ ସାମିଲ ହୋଇଥିବା ସୁନିଶ୍ଚିତ କରିବା ସମ୍ଭବ ହୋଇଥାଏ ।

ତେବେ ଏହି ସଂଶୋଧନ ପ୍ରକ୍ରିୟାରେ ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନାମ ଯେପରି ଭୁଲ୍‌?ବଶତଃ ବାଦ୍ ନପଡ଼େ, ସେଥିପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ । ଭୋଟର ତାଲିକାର ସଠିକତା ସହ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ନିର୍ବାଚନୀ ନ୍ୟାୟ, ସମାନ ପ୍ରତିନିଧିତ୍ୱ ଏବଂ ପ୍ରତ୍ୟେକ ଭୋଟର ମର୍ଯ୍ୟାଦା ସହ ଜଡ଼ିତ ।

ଏସ୍‌ଆଇଆରକୁ ନିର୍ବାଚନୀ ବ୍ୟବସ୍ଥାର ସ୍ୱଚ୍ଛତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଏକ ଆବଶ୍ୟକୀୟ ପ୍ରକ୍ରିୟା ଭାବେ ବିବେଚନା କରାଯାଉଛି । ଏହାର କାର୍ଯ୍ୟକାରୀ ରୂପାୟଣ ସହ ନିରପେକ୍ଷତା, ଯଥାଯଥ ଯାଞ୍ଚ ଓ ସତର୍କତା ଅବଲମ୍ବନ କରାଗଲେ ଭୋଟର ତାଲିକାର ବିଶ୍ୱସନୀୟତା ବଜାୟ ରହିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଜନସାଧାରଣଙ୍କ ଆସ୍ଥା ଆହୁରି ମଜବୁତ ହୋଇପାରିବ ।


Reporterspen