ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଉଭୟ ଜିଲ୍ଲାର ମୋଟ ୨୯ଟି ବ୍ଲକର ୧୦୧୦ଟି ଗ୍ରାମ ପ୍ରଭାବିତ ହୋଇଛି। ଗଞ୍ଜାମର ୪୨,୫୦୦ ଓ ଗଜପତିର ୨୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ୨୯,୩୨୩ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି।
ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଜନିତ ବନ୍ୟା ସ୍ଥିତି ଏସ୍ଆର୍ସି କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ପ୍ରଭାବିତଙ୍କ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ, ଏସଆରସି ରାଜେଶ ପ୍ରଭାକର ପାଟିଲ ଏବଂ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନଙ୍କ ସହ ଆଲୋଚନା କରିଥିଲେ।
ଗଞ୍ଜାମ ଜିଲ୍ଲାର ୭୦ଟି ଗ୍ରାମର ୨୩୨୮ ଜଣ ଜଳଘେରରେ ରହିଛନ୍ତି। ପ୍ରଖର ଜଳସ୍ରୋତ ଯୋଗୁଁ ଉଦ୍ଧାରକାରୀ ଦଳ ପହଞ୍ଚିପାରୁ ନଥିବା ଅଞ୍ଚଳରେ ଲୋକଙ୍କୁ ଏୟାରଲିଫ୍ଟିଂ ମାଧ୍ୟମରେ ଉଦ୍ଧାର କରିବା ନେଇ ବିଚାର କରାଯାଉଛି। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ଅଞ୍ଚଳର ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତଙ୍କୁ ରନ୍ଧାଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସେବା ଯୋଗାଇଦେବାକୁ ପଦକ୍ଷେପ ନିଆଯାଇଛି। ଗଂଜାମ ଜିଲ୍ଲାର ୧୧,୮୮୨ ଜଣ ଓ ଗଜପତି ଜିଲ୍ଲାର ୧୭,୪୪୧ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇ ବନ୍ୟା-ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି । ଗଞ୍ଜାମର ୫୫୦ ଓ ଗଜପତିର ୪୨୦ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ଗଜାମ ଜିଲ୍ଲାରେ ୨୭ଟି ଓଡ୍ରାଫ୍, ୩ଟି ଏନଡିଆରଏଫ୍ ଏବଂ ୨୪ଟି ଅଗ୍ନିଶମ ସେବା ବିଭାଗ ଟିମ୍ ମୁତୟନ ହୋଇଛନ୍ତି । ଗଜପତି ଜିଲ୍ଲାରେ ୧୨ଟି ଓଡ୍ରାଫ୍, ୧ଟି ଏନଡିଆରଏଫ୍ ଏବଂ ୧୨ଟି ଅଗ୍ନିଶମ ସେବା ବିଭାଗ ଟିମ୍ ମୁତୟନ ହୋଇଛନ୍ତି ।
ଅନ୍ୟପକ୍ଷରେ, ଗଞ୍ଜାମର ଚିକିଟି ଓ ପାତ୍ରପୁର ବ୍ଲକ୍ରେ ପ୍ରବଳ ବର୍ଷା ଯୋଗୁଁ ବାଘଲଟି ଜଳଭଣ୍ଡାର ଓ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହି ପରିସ୍ଥିତିରେ ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇଚ୍ଛାପୁରମ୍ ଓ ଜଟପୁଡ଼ି ଷ୍ଟେସନ ମଧ୍ୟରେ ଡାଙ୍ଗୁଏଡ଼ା ନିକଟସ୍ଥ ରେଳ ବ୍ରିଜ୍ ନଂ. ୧୦୫୨ରେ ଜଳସ୍ତର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିବା ସୂଚନା ମିଳିଥିଲା । ଏଥିଯୋଗୁଁ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ଗଂଜାମ ପଟରେ କେତେକ ଟ୍ରେନ୍ ଅଟକି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ସହିତ ପୂର୍ବତଟ ରେଳପଥର ବିଶାଖାପାଟଣା ଓ ଭୁବନେଶ୍ୱରସ୍ଥିତ ଅଧିକାରୀମାନଙ୍କ ସହ ନିରନ୍ତର ସମନ୍ୱୟ ରଖାଯାଇଛି ।
ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ସଂପୃକ୍ତ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ସହିତ କଥାହେବା ସହିତ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅତ୍ୟାବଶ୍ୟକ ପଦକ୍ଷେପ ଏବଂ ଅଟକି ରହିଥିବା ଜଣସାଧାରଣଙ୍କ ନିମନ୍ତେ ଜରୁରୀ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପୂଜାରୀ ସ୍ଥିତିର ନିୟମିତ ସମୀକ୍ଷା କରୁଛନ୍ତି। ପ୍ରଭାବିତ ଲୋକଙ୍କ ସୁରକ୍ଷା, ଉଦ୍ଧାର, ଥଇଥାନ ଓ ରିଲିଫ୍ ବଣ୍ଟନକୁ ପ୍ରଶାସନ ପ୍ରାଥମିକତା ଦେଇଛି।

