କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଅମିତ ଶାହ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କଥା ହେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାତ୍ୟା ‘ଅର୍ଣ୍ଣବ’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶା ସହ ଆନ୍ଧ୍ର, ପୁଡୁଚେରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ବି କଥା ହୋଇଛନ୍ତି । ବାତ୍ୟା ମୁକାବିଲା ପାଇଁ NDRF ଓ SDRF ଟିମ୍ ଗୁଡ଼ିକ ସକ୍ରିୟ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କ୍ଷୟକ୍ଷତିର ଆକଳନ ପାଇଁ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଟିମ୍ ପଠାଯିବ ବୋଲି ଶାହ କହିଛନ୍ତି ।

ସୂଚନା ଥାଉକି, ଆନ୍ଧ୍ରରେ ବତ୍ୟା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହ ବିଳମ୍ବିତ ରାତିରୁ ଗଞ୍ଜାମ, ଗଜପତିରେ ବର୍ଷା, ପବନ ବଢ଼ିଥିଲା । ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ରେଗେଡିସିଂ ପାହାଡ଼ରୁ ମାଟି ଅତଡ଼ା ଖସି ଗାଁ ଭିତରକୁ ଧସେଇ ପଡ଼ିଲା । ଏଥିରେ ଗାଁର ମୁଖ୍ୟ ରାସ୍ତା ବନ୍ଦ ହୋଇଯାଇଛି । ବହୁ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରି ଯିବା ବାଟରେ କଇଁପୁର- ବୁରୁଖୁତ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି । କଇଁପୁର ପଞ୍ଚାୟତ ଓଡ଼ାଲିଙ୍ଗ ଗ୍ରାମ ତଳ ସାହିରେ ଗଛ ପଡ଼ି ବିଦ୍ୟୁତ୍ ତାର ଛିଣ୍ଡିଯାଇଛି । ଗଣ୍ଡାହାତୀ ପଞ୍ଚାୟତ କାର୍ଯ୍ୟାଳୟ କୋଠା ଉପରେ ଏକ ବିରାଟ ଗଛ ଭାଙ୍ଗି ପଡ଼ିଛି ।

ଗୋପାଳପୁରରେ ଝଟକା ପବନ ଯୋଗୁ ଗଛ ଉପୁଡ଼ି ପଡ଼ିବାରୁ ମାଗୁରା, ଜଗମୋହନ, ନନ୍ଦିଗୋର, ଜାହାଡା ଦେଇ ସୋରଡା-ଆସିକା ରାସ୍ତା ଅବରୋଧ ହୋଇଥିଲା । ତପ୍ତପାଣି ଘାଟି ରାସ୍ତା ଜଳାର୍ଣ୍ଣବ ହୋଇଛି । ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଚାଲିଥିଲା । ଏଥିରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଛି । ବ୍ରହ୍ମପୁର ସହରରେ ବିଦ୍ୟୁତ ସଂଯୋଗ ଘଣ୍ଟା ଘଣ୍ଟା ଧରି ବିଚ୍ଛିନ୍ନ ହୋଇ ହୋଇଛି । ଶରଧାବାଲି ୪ ନଂ ଲେନ୍ରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ଶହଶହ ଘର ଅନ୍ଧାରରେ ଅଛନ୍ତି । ପ୍ରବଳ ବର୍ଷା ଯୋଗୁ ଋଷିକୁଲ୍ୟା, ଘୋଡ଼ାହାଡ଼, ବାହୁଦା, ନନ୍ଦିନୀ, ବାଘୁଆ ନଦୀ ଫୁଲିବାରେ ଲାଗିଛି ।

ବୁଧବାର ସନ୍ଧ୍ୟାରେ ଋଷିକୁଲ୍ୟା ଓ ବଡ଼ ନଦୀ ବିପଦ ସଙ୍କେତ ଟପିଛି । ଅନେକ ଗାଁରେ ପାଣି ପଶିଥିବାର ଖବର ମିଳିଛି । ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍ ମୁଟୁକୁଣିର ୪୮ ପରିବାରକୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ରାୟଗଡ଼ା ବ୍ଲକର ତାମଲବାଇ, ବିଷମକଟକ ବ୍ଲକର ବେଥିଆପଡ଼ା ଓ ରାମନାଗୁଡ଼ା ବ୍ଲକ୍ କଣ୍ଡା ତାମିଙ୍ଗିରେ କେତେକ ଘର ଭାଙ୍ଗିଛି । ରାୟଗଡ଼ା ବ୍ଲକ ପେରିଗାଁରେ ଗଛପଡ଼ି ସ୍କୁଲ୍ କୋଠା କ୍ଷତିଗ୍ରସ୍ତ ହୋଇଛି । ଗୁଣପୁର ଓ ରାମନାଗୁଡ଼ା ଅଞ୍ଚଳରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି । ଗୁଣପୁରରୁ ଆନ୍ଧ୍ରର ବାତିଲକୁ ସଂଯୋଗ କରୁଥିବା ରାସ୍ତା ସମେତ ୩୨୬ ନଂ ଏନଏଚରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାମନାଗୁଡ଼ା ଅଞ୍ଚଳର ୩୨୬ ନଂ ଏନ୍ଏଚ୍ରେ ପାରିକିତି ଘାଟି ଓ ପେଟ୍ରୋଲ ପମ୍ପ ନିକଟରେ ଗଛ ପଡ଼ିବାରୁ ମୁଖ୍ୟ ରାସ୍ତା ଅବରୋଧ ହୋଇଛି ।

କୋରାପୁଟ-ରାୟଗଡ଼ା ୩୨୬ ଏନଏଚରେ ଘୋଡ଼଼ାବନ୍ଧ ବ୍ରିଜ୍ ରାସ୍ତା ଧସିଯାଇଛି । ନବରଙ୍ଗପୁରର ଉମରକୋଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବାବେଳେ ଲକ୍ଷ୍ମୀପୂଜା ତୋରଣ ଭାଙ୍ଗିଛି । ଭଦ୍ରକରେ ପ୍ରବଳ ବର୍ଷା ଯୋଗୁ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ନୂଆପଡ଼ାରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାବେଳେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝରରେ ବି ପ୍ରଭାବ ପଡ଼ିଛି ।


Reporterspen