ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା
ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ବାତ୍ୟା ସୃଷ୍ଟି ହେବା ପରେ ଏହାର ନାଁ ‘ମୁରାସୁ’ ରଖାଯାଇଛି । ୨୦ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ମୁରାସୁ । ଆସନ୍ତା ୨୪ ଘଣ୍ଟା ଭିତରେ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା । ୩ ତାରିଖ ବେଳକୁ ଆନ୍ଧ୍ର ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା । ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇ ସାରିଛି । ଲ୍ୟାଣ୍ଡଫଲ ବେଳେ ଏହା ଭୀଷଣ ବାତ୍ୟା ଅବସ୍ଥାରେ ଅତିକ୍ରମ କରିବ । ସେହି ସମୟରେ ପବନର ବେଗ ୧୦୦ ରୁ ୧୧୦ କିମି ଏବଂ ଝଟକା ପବନର ବେଗ ୧୨୦ କିମି ରହିବ ବୋଲି ଆକଳନ କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବାତ୍ୟା ଅର୍ଣ୍ଣବ ପ୍ରକୋପ ନସୁରୁଣୁ ପୁଣି ଏକ ବାତ୍ୟା ସୃଷ୍ଟି ହେଲାଣି । ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲା ଏବେ ଉବୁଟୁବୁ ହେଉଛି । ପୁଣି ଦକ୍ଷିଣ ଓଡ଼ିଶାରେ ମୁରାସୁ ପ୍ରକୋପ ପଡ଼ିବ ବୋଲି ଆକଳନ କରାଯାଉଛି । ଏହା ପ୍ରଭାବରେ ୩ ରୁ ୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାରେପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେପଟେ ବାତ୍ୟା ମୁରାସୁ ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି କରିଛନ୍ତି । ଗଜପତି ଜିଲ୍ଲାରେ ୧୫୦ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି । ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫ୍ ସାମଗ୍ରୀ ଅଧିକ ମାତ୍ରାରେ ମହଜୁଦ କରି ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଆଇଛି ।
ବାତ୍ୟା ଆସୁଥିବାରୁ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନେଇଛି ମତ୍ସ୍ୟ ନିର୍ଦ୍ଦେଶାଳୟ । ନଭେମ୍ବର ୨ରୁ ୪ତାରିଖ ଯାଏଁ ସମୁଦ୍ରକୁ ଯିବା ଉପରେ କଟକଣା ଲଗାଯାଇଛି । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ସବୁ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ।
ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଓ ପ୍ରବଳ ପବନ ଆଶଙ୍କା ରହିଛି । ନଭେମ୍ବର ୨ରୁ ୪ତାରିଖ ଯାଏଁ ଓଡ଼ିଶା ଉପକୂଳ ଏବଂ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କଡ଼ା ସତର୍କ ସୂଚନା ଦିଆଯାଇଛି । ଯେଉଁ ମତ୍ସ୍ୟଜୀବୀମାନେ ଏବେ ସମୁଦ୍ର ମଧ୍ୟରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରିଆସିବାକୁ କୁହାଯାଇଛି ।
ସମସ୍ତ ମାଛଧରା ଡଙ୍ଗା ଓ ଟ୍ରଲରକୁ ସୁରକ୍ଷିତ ଭାବେ ନିକଟସ୍ଥ ମତ୍ସ୍ୟ ଅବତରଣ କେନ୍ଦ୍ର କିମ୍ବା ବନ୍ଦରରେ ବାନ୍ଧି ରଖିବାକୁ ନିର୍ଦ୍ଦେଶ ରହିଛି । ଉପକୂଳ ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର କରାଯାଇ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି । ଅନ୍ୟପଟେ ସମସ୍ତ ଜିଲ୍ଲାର ମତ୍ସ୍ୟ ଅଧିକାରୀ ଏବଂ ସାମୁଦ୍ରିକ ମତ୍ସ୍ୟ ଅଧିକାରୀମାନେ ବୋଟ୍ ମାଲିକ ସଂଘ, ଟ୍ରଲର ମାଲିକ ସଂଘ ଓ ସାମୁଦ୍ରିକ ସମବାୟ ସମିତିଗୁଡ଼ିକୁ ସତର୍କ କରାଇଛନ୍ତି ।
ପରିସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟରେ ଖୋଲାଯାଇଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ନିୟମିତ ଭାବେ କଟକସ୍ଥିତ ମତ୍ସ୍ୟ ନିର୍ଦ୍ଦେଶାଳୟକୁ ରିପୋର୍ଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏହି ସମୟରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଛୁଟିରେ ରହିପାରିବେ ନାହିଁ । ଏପରିକି ହେଡକ୍ୱାର୍ଟର ଛାଡ଼ିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ବିଭିନ୍ନ ବନ୍ଦରରେ ସାଗରମିତ୍ର ଓ ସହକାରୀ ମତ୍ସ୍ୟ ଅଧିକାରୀମାନେ ମୁତୟନ ହୋଇ ଲୋକଙ୍କୁ ସଚେତନ କରୁଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନର ଏଭଳି ଆଗୁଆ ପ୍ରସ୍ତୁତି । ଯାହାଦ୍ୱାରା ମତ୍ସ୍ୟଜୀବୀଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇପାରିବ ।

