ଭୁବନେଶ୍ୱର,(ରିପୋର୍ଟର୍ସ ପେନ୍): ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡି କେନ୍ଦ୍ରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଏବଂ ‘୯ମ ରାଷ୍ଟ୍ରୀୟ ପୋଷଣ ମାସ’ ପାଳିତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ କହିଥିଲେ ଯେ, ଏକ ସୁ-ପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ମହିଳା ଓ ଶିଶୁମାନଙ୍କ ପୋଷଣରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଅଙ୍ଗନବାଡି ଓ ସ୍କୁଲ ଜରିଆରେ ଅନେକ ପୋଷଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ପୁରା ପରିବାରକୁ ସାମିଲ କରାଯାଉଛି । ପରିବାରର ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ଶିଶୁର ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସଂଶ୍ଳିଷ୍ଟ କରାଯାଉଛି । ସଚେତନତା ଓ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଜରିଆରେ ଆମ ଓଡ଼ିଶାକୁ ନିଶ୍ଚିତ ଭାବରେ ଏକ ସୁ-ପୋଷିତ ଓଡ଼ିଶା ଭାବେ ପ୍ରତିଷ୍ଠିତ କରାଯିବ ।
ସେ ପୁଣି କହିଥିଲେ ଯେ, ପୋଷଣ ମାସ ପାଳନ ଅବସରରେ ରାଜ୍ୟବ୍ୟାପୀ ୪୬ ଲକ୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି ଏବଂ ଆଧାର ଯାଞ୍ଚ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଶିଶୁର ପ୍ରଥମ ୧୦୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଶିଶୁଙ୍କ ସୂଚାରୁ ଲାଳନପାଳନରେ ମା’ମାନଙ୍କ ସହ ପିତା ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହଭାଗିତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏକ ସୁସ୍ଥ, ସୁନ୍ଦର ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ସେ ଆହ୍ୱାନ ଦେଇ କହିଥିଲେ ଯେ, ଏକ ସୁପୋଷିତ ଓଡ଼ିଶା ପାଇଁ ସରକାର ପ୍ରତିବଦ୍ଧ ।
ସେ ଆହୁରି କହିଛନ୍ତି ଯେ, ତୃଣମୂଳ ସ୍ତରରେ ନିଃସ୍ୱାର୍ଥପର ସେବା ପ୍ରଦାନ କରି ରାଜ୍ୟରେ ଶିଶୁ ଟୀକାକରଣ, ଅନୁଷ୍ଠାନଗତ ପ୍ରସବ ବୃଦ୍ଧି ଏବଂ ଶିଶୁ ଓ ମାତୃ ମୃତ୍ୟୁହାର ଯଥେଷ୍ଟ ହ୍ରାସ କରିବାର ପ୍ରକୃତ ଶ୍ରେୟ ଆମର ଅଙ୍ଗନବାଡ଼ି କର୍ମୀ, ସହାୟିକା, ANM ଓ ଆଶା କର୍ମୀମାନଙ୍କର । ପୂର୍ବରୁ ଓଡ଼ିଶା ଦେଶରେ ଦ୍ଵିତୀୟ ସବୁଠାରୁ ଅଧିକ ଶିଶୁ ଓ ମାତୃ ମୃତ୍ୟୁହାର ଥିବା ରାଜ୍ୟ ଥିଲା, ମାତ୍ର ଆଜି ଏହି ଦୁଇଟି ମାପକାଠିରେ ରାଜ୍ୟ ଏକ ସନ୍ତୋଷଜନକ ସ୍ଥିତିରେ ପହଞ୍ଚିପାରିଛି । ସମାଜର ଅଧା ଜନସଂଖ୍ୟାଙ୍କ ମଙ୍ଗଳ ବିନା ବିକାଶ ଅସମ୍ଭବ । ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘ସୁଭଦ୍ରା ଯୋଜନା’, ‘ଲକ୍ଷପତି ଦିଦି’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କ ମୋଟ ବଜେଟର ଅତିକମରେ ୪୦ ପ୍ରତିଶତ କେବଳ ମହିଳାମାନଙ୍କ ପାଇଁ ଖର୍ଚ୍ଚ ହେଉଛି ବୋଲି ସେ ପ୍ରକାଶ କରିଥିଲେ।
ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ନିଃଶୁଳ୍କ କରାଯାଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକୋତ୍ତର (M.A.) ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଇଛି । ସେହିପରି ଜନ୍ମିତ ଶିଶୁ କନ୍ୟାମାନେ ସ୍ନାତକ ଶିକ୍ଷା ସମାପ୍ତ କଲେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ମାଧ୍ୟମରେ ଦେଶର ବଛା ବଛା ବେସରକାରୀ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି ପିଲାମାନଙ୍କୁ ସ୍କୁଲ କିଟ୍ ବଣ୍ଟନ କରିବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦର୍ଶନ ପାଇଁ ବାପାମାନଙ୍କୁ ପୁରସ୍କୃତ କରିଥିଲେ । ଏହା ସହ ଅଙ୍ଗନବାଡି କର୍ମୀ, ସହାୟିକା ଓ ଆଶା କର୍ମୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ‘ତ୍ରିରଙ୍ଗା ଥାଳି’ ଓ ଗରମ ରନ୍ଧା ଖାଦ୍ୟର ଗୁଣବତ୍ତା ଅନୁଧ୍ୟାନ କରିଥିଲେ ଏବଂ ପିଲାମାନଙ୍କୁ ଖାଦ୍ୟ ମଧ୍ୟ ପରଷି ଥିଲେ । ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ସ୍ୱାଲ, ବିଭାଗୀୟ ନିର୍ଦ୍ଦେଶକା ମୋନିଷା ବାନାର୍ଜୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶା କର୍ମୀ, ଶିଶୁ ଓ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।

