ନୂଆଦିଲ୍ଲୀ: ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଲୋକଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଘାରିଥାଏ। କାହାର ହାତ ଓ ପାଦ ଆଙ୍ଗୁଠି ଫୁଲିଯାଏ ତ ଆଉ କାହାକୁ ଥଣ୍ଡା, କାଶ ଓ ଜ୍ୱର ଭଳି ସମସ୍ୟା ଲାଗି ରହିଥାଏ। ଏହା ବ୍ୟତୀତ ଶୀତଦିନେ ଆଣ୍ଠୁ ଓ ଅନ୍ୟ ଗଣ୍ଠିରେ ଯନ୍ତ୍ରଣା ମଧ୍ୟ ଏକ ସାଧାରଣ ସମସ୍ୟା। ବିଶେଷକରି ବୟସ୍କ ବ୍ୟକ୍ତି ଓ ଗଣ୍ଠି ସମସ୍ୟା ଥିବା ଲୋକଙ୍କୁ ଏହା ଅଧିକ କଷ୍ଟ ଦେଇଥାଏ।
ଏଥିପାଇଁ ଅଧିକାଂଶ ଲୋକଙ୍କୁ ଗରମ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଏ। କିନ୍ତୁ କେବଳ ଗରମ ପୋଷାକ ପିନ୍ଧିଲେ ଯେ ଯନ୍ତ୍ରଣାରୁ ମୁକ୍ତି ମିଳିବ, ତାହା ନୁହେଁ। କିଛି ସହଜ ଉପାୟ ଆପଣାଇଲେ ଶୀତଦିନେ ଗଣ୍ଠି ଯନ୍ତ୍ରଣାକୁ ନିୟନ୍ତ୍ରଣରେ ରଖିବାରେ ସହାୟତା ମିଳିପାରିବ।
୧. ନିୟମିତ ତେଲ ମାଲିସ୍ କରନ୍ତୁ
ଶୀତଦିନେ ସୋରିଷ କିମ୍ବା ରାଶି ତେଲରେ ହାତ ଓ ପାଦର ମାଲିସ୍ କରିବା ଆରାମ ଦେଇପାରେ। ପ୍ରତିଦିନ ଶୋଇବା ପୂର୍ବରୁ ତେଲକୁ ସାମାନ୍ୟ ଉଷୁମ କରି ଗଣ୍ଠିରେ ପ୍ରାୟ ୧୫ ମିନିଟ୍ ହାଲୁକା ଭାବେ ମାଲିସ୍ କରନ୍ତୁ। ତେବେ ଗଣ୍ଠି ଫୁଲିଥିଲେ କିମ୍ବା ଅଧିକ ଯନ୍ତ୍ରଣା ଥିଲେ ଚାପ ପକାଇ ମାଲିସ୍ କରନ୍ତୁ ନାହିଁ।
୨. ଗରମ ସେକ ଦିଅନ୍ତୁ
ଶୀତ ଯୋଗୁଁ ଗଣ୍ଠିରେ ଯନ୍ତ୍ରଣା ବଢ଼ିଲେ ଗରମ ସେକ ଆରାମ ଦେଇପାରେ। ଏଥିପାଇଁ ଗରମ ପାଣି ବୋତଲ କିମ୍ବା ହିଟିଂ ପ୍ୟାଡ୍ ବ୍ୟବହାର କରିପାରିବେ। ସେକ ଦେବା ସମୟରେ ଗଣ୍ଠି ଉପରେ ଏକ ପତଳା ତଉଲିଆ କିମ୍ବା କପଡ଼ା ରଖି ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଉଷୁମ କରନ୍ତୁ। ଅତ୍ୟଧିକ ଗରମ ସେକ ଦେବାରୁ ଦୂରେଇ ରୁହନ୍ତୁ। ଚର୍ମରେ ଜଳାପୋଡ଼ା କିମ୍ବା ଲାଲ୍ ଦାଗ ଦେଖାଦେଲେ ସେକ ତୁରନ୍ତ ବନ୍ଦ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
୩. ଗଣ୍ଠିକୁ ଥଣ୍ଡାରୁ ସୁରକ୍ଷିତ ରଖନ୍ତୁ
ଶୀତଦିନେ ଶରୀର ସହ ଆଣ୍ଠୁ ଓ ଅନ୍ୟ ଗଣ୍ଠିକୁ ମଧ୍ୟ ଗରମ ରଖିବା ଜରୁରୀ। ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ପରାମର୍ଶରେ ନି-କ୍ୟାପ୍ ବ୍ୟବହାର କରିପାରିବେ। ଏହା ସହ ଦୀର୍ଘ ସମୟ ଧରି ଚଟାଣରେ ବସିବା ଅଭ୍ୟାସ ଛାଡ଼ନ୍ତୁ। ବିଶେଷକରି ୪୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏଥିପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।
୪. ନିୟମିତ ବ୍ୟାୟାମ କରନ୍ତୁ
ଥଣ୍ଡା ଯେତେ ବଢ଼ିଲେ ମଧ୍ୟ ଶରୀରକୁ ସକ୍ରିୟ ରଖିବା ପାଇଁ ବ୍ୟାୟାମ ବନ୍ଦ କରନ୍ତୁ ନାହିଁ। ଏପରି ବ୍ୟାୟାମ କରନ୍ତୁ, ଯାହାଦ୍ୱାରା ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିବ ନାହିଁ। ନିୟମିତ ପବନମୁକ୍ତାସନ, ତାଡ଼ାସନ, ବୃକ୍ଷାସନ ଓ ଅନୁଲୋମ-ବିଲୋମ ଭଳି ଯୋଗାଭ୍ୟାସ ଶରୀରକୁ ସକ୍ରିୟ ଓ ନମନୀୟ ରଖିବାରେ ସହାୟକ ହୋଇପାରେ। ପୂର୍ବରୁ ଗଣ୍ଠି ସମସ୍ୟା ଥିଲେ ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ଫିଜିଓଥେରାପିଷ୍ଟଙ୍କ ପରାମର୍ଶ ନିଅନ୍ତୁ।
୫. ଯନ୍ତ୍ରଣାକୁ ଅଣଦେଖା କରନ୍ତୁ ନାହିଁ
ଶୀତଦିନେ ଗଣ୍ଠି ଯନ୍ତ୍ରଣା ବଢ଼ିଲେ ଏହାକୁ ସାଧାରଣ ଭାବି ଅଣଦେଖା କରନ୍ତୁ ନାହିଁ। ଯନ୍ତ୍ରଣା ଦୀର୍ଘ ସମୟ ଧରି ରହିଲେ, ଗଣ୍ଠି ଅଧିକ ଫୁଲିଲେ କିମ୍ବା ଚଳପ୍ରଚଳ କରିବାରେ ଅସୁବିଧା ହେଲେ ଡାକ୍ତରଙ୍କୁ ଦେଖାନ୍ତୁ। ନିଜ ମନରେ ଔଷଧ ଖାଇବା ପରିବର୍ତ୍ତେ ଉପଯୁକ୍ତ ଚିକିତ୍ସା ନିଅନ୍ତୁ।
ସାମାନ୍ୟ ସତର୍କତା, ନିୟମିତ ବ୍ୟାୟାମ ଓ ଉପଯୁକ୍ତ ଯତ୍ନ ଦ୍ୱାରା ଶୀତଦିନେ ଗଣ୍ଠି ଯନ୍ତ୍ରଣାରୁ ଅନେକାଂଶରେ ଆରାମ ମିଳିପାରିବ।

