ରାଜଧାନୀରେ ଠକେଇର ମାୟାଜାଲ, ସାଇବର ଅପରାଧୀଙ୍କ ଟାର୍ଗେଟ୍‌ରେ ସାଧାରଣ ଲୋକ!

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ସ୍ମାର୍ଟ ସିଟି ଭୁବନେଶ୍ୱରରେ ବଢ଼ୁଛି ଅପରାଧର ନୂଆ ରୂପ । ଆଉ ଏହି ଅପରାଧ ପାଇଁ ଅପରାଧୀଙ୍କୁ ଆଉ ରାସ୍ତାକୁ ଓହ୍ଲାଇବାକୁ ପଡ଼ୁନାହିଁ । ମୋବାଇଲ୍ ଫୋନ୍‌, ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ଏବେ ଠକଙ୍କ ପାଇଁ ପାଲଟିଛି ପ୍ରମୁଖ ଅସ୍ତ୍ର । କେତେବେଳେ ଅଜଣା ଲିଙ୍କ୍ ତ କେତେବେଳେ ଅଧିକ ଲାଭର ପ୍ରଲୋଭନ । ଆଉ କେତେବେଳେ ପୁଲିସ ଅଧିକାରୀଙ୍କ ପରିଚୟ ଦେଇ ଡିଜିଟାଲ ଆରେଷ୍ଟର ଧମକ । ଏଭଳି ବିଭିନ୍ନ ଉପାୟରେ ସାଧାରଣ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟୁଛନ୍ତି ସାଇବର ଅପରାଧୀ ।

ଏହି ବିପଦର ଭୟାବହତା ସରକାରୀ ତଥ୍ୟରୁ ମଧ୍ୟ ସ୍ପଷ୍ଟ ହେଉଛି । ୨୦୨୨ରେ ଭୁବନେଶ୍ୱରରୁ ୩,୬୧୪ଟି ସାଇବର ଅପରାଧ ସମ୍ପର୍କିତ ଅଭିଯୋଗ ଆସିଥିବା ବେଳେ ୨୦୨୩ରେ ଏହା ବୃଦ୍ଧି ପାଇ ୪,୮୩୨ରେ ପହଞ୍ଚିଥିଲା । ୨୦୨୪ରେ ଏହି ସଂଖ୍ୟା ୭,୨୬୩କୁ ବୃଦ୍ଧି ପାଇଥିଲା । ଅର୍ଥାତ୍ ମାତ୍ର ଦୁଇ ବର୍ଷ ମଧ୍ୟରେ ଅଭିଯୋଗ ସଂଖ୍ୟା ପ୍ରାୟ ଦୁଇଗୁଣ ହୋଇଛି ।

ଆହୁରି ଚିନ୍ତାଜନକ ହେଉଛି ଠକେଇର ପରିମାଣ । ୨୦୨୨ରେ ରାଜଧାନୀରେ ସାଇବର ଠକେଇର ପରିମାଣ ୧୩.୯୯ କୋଟି ଟଙ୍କା ଥିବା ବେଳେ ୨୦୨୩ରେ ଏହା ୪୨.୬୧ କୋଟିକୁ ବୃଦ୍ଧି ପାଇଥିଲା । ୨୦୨୪ରେ ଏହି ପରିମାଣ ୮୨.୫୩ କୋଟି ଟଙ୍କା ଟପିଥିଲା । କମିଶନରେଟ୍ ପୁଲିସର ତଥ୍ୟ ଆଧାରରେ ଏହି ଚିତ୍ର ସାମ୍ନାକୁ ଆସିଥିଲା ।

ତେବେ ସାଇବର ଅପରାଧୀମାନେ ଏବେ ପାରମ୍ପରିକ ଠକେଇ ପଦ୍ଧତି ବଦଳାଇ ନୂଆ ଉପାୟ ଆପଣାଉଛନ୍ତି । ଏଥିରେ ମୁଖ୍ୟତଃ: – ୟୁପିଆଇ ଠକେଇ: ଟଙ୍କା ପଠାଇବା ବାହାନାରେ ଲୋକଙ୍କଠାରୁ ଟଙ୍କା ଲୁଟ୍ । ଅନଲାଇନ୍ ଚାକିରି: ଘରେ ବସି ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ । ନକଲି ନିବେଶ: ସେୟାର ମାର୍କେଟ୍ ଓ କ୍ରିପ୍େଟାକରେନ୍ସିରେ ଅଧିକ ଲାଭ ଦେବାର ଲୋଭ । ଡିଜିଟାଲ ଆରେଷ୍ଟ: ପୁଲିସ, ସିବିଆଇ କିମ୍ବା ଅନ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ ପରିଚୟ ଦେଇ ଧମକ । ସୋସିଆଲ ମିଡିଆ ଠକେଇ: ନକଲି ଆକାଉଣ୍ଟ, ଲିଙ୍କ୍ ଓ ଓଟିପି ଜରିଆରେ ବ୍ୟାଙ୍କ ଖାତା ଖାଲି ଆଦି ମାଧ୍ୟମ ରହିଛି ।

ଓଡ଼ିଶାରେ ୯ ମାସରେ ୩୦୫ କୋଟିରୁ ଅଧିକ ଠକେଇ
ରାଜ୍ୟସ୍ତରୀୟ ତଥ୍ୟ ମଧ୍ୟ ଚିନ୍ତା ବଢ଼ାଇଛି । ନଭେମ୍ବର ୨୪, ୨୦୨୬ରେ ପ୍ରକାଶିତ ଏକ ମିଡ଼ିଆ ରିପୋର୍ଟ ଅନୁସାରେ, ୨୦୨୬ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ ସାଇବର ଠକେଇରେ ୩୦୫.୧୯ କୋଟି ଟଙ୍କା ଲୁଟ୍ ହୋଇଛି । ୨୦୨୫ର ସମ୍ପୂର୍ଣ୍ଣ ବର୍ଷରେ ଏହି ପରିମାଣ ୧୬୮.୩୧ କୋଟି ଟଙ୍କା ଥିଲା । ଅର୍ଥାତ୍ ମାତ୍ର ୯ ମାସରେ ଠକେଇର ପରିମାଣ ୮୧ ପ୍ରତିଶତରୁ ଅଧିକ ବଢ଼ିଛି ।

ସେହିପରି ୨୦୨୫ରେ ରାଜ୍ୟରେ ୨,୮୦୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୨୦୨୬ର ପ୍ରଥମ ୯ ମାସରେ ଏହା ୩,୬୩୦ରେ ପହଞ୍ଚିଛି । ଏହି ତଥ୍ୟ ବିଧାନସଭାରେ ସରକାର ଦେଇଥିବା ସୂଚନା ଆଧାରିତ ।

ଠକେଇ ଟଙ୍କା ଫେରିପାଇବା ବଡ଼ ଚ୍ୟାଲେଞ୍ଜ
ଠକେଇର ଶିକାର ହେବା ପରେ ଅନେକ ଲୋକ ଲଜ୍ଜା, ଭୟ କିମ୍ବା ଆଶଙ୍କାରେ ପୁଲିସକୁ ଜଣାଇବାରେ ବିଳମ୍ବ କରୁଛନ୍ତି । ଫଳରେ ଠକମାନେ ଟଙ୍କାକୁ ବିଭିନ୍ନ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରି ଦେଉଛନ୍ତି । ଏହାପରେ ଟଙ୍କା ଫେରାଇ ଆଣିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେଉଛି ।

କ’ଣ କରିବେ ସାଧାରଣ ଲୋକ?
ସାଇବର ଠକେଇରୁ ବର୍ତ୍ତିବା ପାଇଁ କିଛି ସତର୍କତା ଜରୁରୀ ।
୧. ଅଜଣା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ ।
୨. କାହାକୁ ଓଟିପି, ଏଟିଏମ ପିନ୍ ଓ ୟୁପିଆଇ ପିନ୍ ଦିଅନ୍ତୁ ନାହିଁ ।
୩. ଅଧିକ ଲାଭର ପ୍ରଲୋଭନରେ ଅଜଣା ଆପ୍‌ରେ ଟଙ୍କା ନିବେଶ କରନ୍ତୁ ନାହିଁ ।
୪. ଡିଜିଟାଲ ଆରେଷ୍ଟ ନାମରେ କେହି ଧମକ ଦେଲେ ଭୟଭୀତ ହୁଅନ୍ତୁ ନାହିଁ ।
୫. ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବରକୁ ଫୋନ୍ କରନ୍ତୁ ଏବଂ ଜାତୀୟ ସାଇବର କ୍ରାଇମ୍ ପୋର୍ଟାଲରେ ଅଭିଯୋଗ କରନ୍ତୁ ।

ତେବେ ବଡ ପ୍ରଶ୍ନ ହେଉଛି, ସ୍ମାର୍ଟ ସିଟିରେ ଡିଜିଟାଲ ସେବା ଯେତେ ଦ୍ରୁତ ଗତିରେ ବଢ଼ୁଛି, ସେହି ଅନୁପାତରେ ସାଇବର ଅପରାଧ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କେତେ ମଜଭୁତ ହେଉଛି? ସାଧାରଣ ଲୋକଙ୍କ ଟଙ୍କା ଓ ତଥ୍ୟର ସୁରକ୍ଷା ପାଇଁ ପୁଲିସର ଅଧିକ ସଚେତନତା, ତ୍ୱରିତ ତଦନ୍ତ ଓ ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବେ ସମୟର ଆବଶ୍ୟକତା ରହିଛି ।


Reporterspen