ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

Reporterspen

ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌):  ରାଜ୍ୟର ୧୩ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ, ଏହି ଧାନ କିଣା ବ୍ୟବସ୍ଥା ଚଳିତ ବର୍ଷ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଧାନ ପ୍ରତି କୁଇଣ୍ଟାଲ ୮୦୦ ଟଙ୍କା ଇନପୁଟ ସବସିଡି ପ୍ରଦାନ କରୁଛନ୍ତି ବୋଲି ବାହାବା ନେଉଥିବା ରାଜ୍ୟ ବିଜେପି ସରକାର ବାସ୍ତବରେ ରାଜ୍ୟର ଧାନ କିଣାକୁ ଦେଖିଲେ, ଏହା ଚାଷୀକୁଳଙ୍କ ପ୍ରତି ଧୋକା ଓ ପ୍ରତାରଣାରେ ପରିଣତ ହୋଇଛି ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା, ବିଧାୟକ ତଥା କୃଷକ ସେଲ୍ର ଆବାହକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା ରାଜ୍ୟର ଚାଷୀକୁଳଙ୍କୁ ରାଜ୍ୟ ସରକାର ହତାଶ କରିଛନ୍ତି ବୋଲି ଅଭିଯୋଗ କରିବା ସହିତ ବିଜେଡି ଚାଷୀକୁଳଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢେଇ ଜାରି ରଖିବ ବୋଲି କହିଥିଲେ ।

ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଡବଲ ବିକାଶ ନାରା ଦେଇ ଆସିଥିବା ସରକାର ବାସ୍ତବରେ ଚଳିତ ବର୍ଷ ଧାନ କିଣା ବ୍ୟାପାରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ଧାନ କିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । କେନ୍ଦ୍ର ସରକାରଙ୍କ ଆଗରେ ଓଡ଼ିଶାର ସ୍ୱର ନରମି ଯାଉଛି । ଧାନ କିଣା ପ୍ରସଙ୍ଗରେ ନିକଟରେ କେନ୍ଦ୍ର ସରକାରଙ୍କ ଅଧୀନରେ ହୋଇଥିବା ବୈଠକରେ ବିଭିନ୍ନ ରାଜ୍ୟ ମାନଙ୍କ ପାଇଁ ଧାନ କିଣା ପାଇଁ ରଖାଯାଇଥିବା ଲକ୍ଷ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଓଡିଶା ଠାରୁ ଛତିଶଗଡ଼ ରାଜ୍ୟର ଲକ୍ଷ୍ୟ ଅଧିକ ରହିଛି । ଛତିଶଗଡ଼ ଓଡିଶା ଠାରୁ କ୍ଷୁଦ୍ର ରାଜ୍ୟ ହୋଇଥିବା ବେଳେ ଓ ଛତିଶଗଡ଼ ଓଡିଶା ଠାରୁ କମ୍ ଧାନ ଉତ୍ପାଦନ କରୁଥିବା ବେଳେ ଓଡିଶା ପାଇଁ ୭୩ ଲକ୍ଷ ମେଟି୍ରକ ଟନ ଧାନକିଣା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଛତିଶଗଡ଼ ପାଇଁ ୮୦ ଲକ୍ଷ ମେଟି୍ରକ ଟନ ଧାନ କିଣାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ଓଡ଼ିଶାର ଦୁର୍ଭାଗ୍ୟ ଯେ, ଓଡିଶା ସରକାର ଏ ପ୍ରସଙ୍ଗରେ ନିରବ ରହିବାକୁ ଉଚିତ ମଣିଛନ୍ତି । ଛତିଶଗଡ଼ରେ ଧାନ ସଂଗ୍ରହ ପ୍ରକ୍ରିୟା ଆଗେଇ ଚାଲିଥିବା ବେଳେ ଓଡ଼ିଶାରେ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଧାନ କିଣା ଦାୟିତ୍ୱରେ ଥିବା ଓଡିଶା ରାଜ୍ୟ ଯୋଗାଣ ନିଗମର ୧୮,୮୮୬ କୋଟି ଟଙ୍କା ଋଣଭାର ରହିଛି । ଏହାଛଡା ଧାନ କିଣା ବାବଦରେ କେନ୍ଦ୍ର ସରକାରଙ୍କ ନିକଟରୁ ୮୧୨୧ କୋଟି ଟଙ୍କା ଓଡିଶା ପାଇବାର ଅଛି।

ଶ୍ରୀ ଆଚାର୍ଯ୍ୟ କହିଥିଲେ, ଗତ ଖରିଫ ଚାଷ ସମୟରେ ସାର ପ୍ରଦାନ କରିବାରେ ରାଜ୍ୟ ବିଜେପି ସରକାର ବିଫଳ ହୋଇଥିଲେ । ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ ଜଟିଳ କରିବା ଦ୍ୱାରା ରାଜ୍ୟର ସମସ୍ତ ଚାଷୀଙ୍କର ପଞ୍ଜିକରଣ ହୋଇପାରିଲା ନାହିଁ । ପଞ୍ଜିକରଣ ନହେଲେ ଚାଷୀ ଧାନ ମଣ୍ଡିରେ ବିକ୍ରି କରିପାରିବ ନାହିଁ । ଅଭାବୀ ବିକ୍ରି ପାଇଁ ବାଧ୍ୟ ହେବ । ସରକାର ଦାରୁଭୂତ ମୁରାରୀ ହୋଇ ବସି ରହିଛନ୍ତି । ଚାଷୀଙ୍କୁ ଶୋଷଣ କରିବାର ସମସ୍ତ ଉପାୟ ସରକାର ଅବଲମ୍ୱନ କରୁଛନ୍ତି ।

ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ଯେଉଁ ୮୦୦ ଟଙ୍କା ଇନପୁଟ ସବ୍ସିଡି କଥା କହିଥିଲେ, ତାହା ପ୍ରଦାନ ନକରିବା ଉଦେ୍ଦଶ୍ୟରେ ଧାନ କିଣାରେ ଟାଳଟୁଳ ନୀତି ରାଜ୍ୟ ସରକାର ଅବଲମ୍ୱନ କରୁଛନ୍ତି । ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ ମାନଙ୍କ ମନ୍ତବ୍ୟରେ ତାଳମେଳ ନାହିଁ । ଯୋଗାଣ ମନ୍ତ୍ରୀ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଠାରୁ ଅଧିକ ଧାନ କିଣା ଯିବ ନାହିଁ ବୋଲି କହିଥିବା ବେଳେ କ୍ୟାବିନେଟ ବୈଠକରେ ସମସ୍ତ ବଳକା ଧାନ କିଣାଯିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ବୋଲି ଗଣମାଧ୍ୟ୍ୟମରେ ପ୍ରକାଶ ପାଇଛି । ଅପରପକ୍ଷରେ ରାଜ୍ୟ ସମବାୟ ମନ୍ତ୍ରୀ ଟୋକନ ପିଛା ୧୫୦ କୁଇଣ୍ଟାଲ ଧାନ କିଣାଯିବ ବୋଲି କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷି ମନ୍ତ୍ରୀ ରାଜ୍ୟର କୃଷକ ମାନଙ୍କୁ ଧାନ ଚାଷ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ରାଜ୍ୟର ଚାଷୀକୁଳକୁ ହତାଶ କରିଛି । କ’ଣ ପାଇଁ ଚାଷୀକୁଳ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ଏହି ହତାଦର? ଇନପୁଟ ସବ୍ସିଡି ଦେଇ ସରକାର ଯେଉଁ ବାହାବା ନେଉଛନ୍ତି, ତାହା ବାସ୍ତବରେ ଚାଷୀକୁଳ ପ୍ରତି ଧୋକା ଓ ପ୍ରତାରଣା ।

ଶ୍ରୀ ଦାସବର୍ମା କହିଥିଲେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମାତ୍ର ୮% ଚାଷୀ ଧାନ ବିକିବା ପାଇଁ ସକ୍ଷମ ହୋଇଥିଲା ବେଳେ ଛତିଶଗଡ଼ରେ ୪୦% ଚାଷୀ ଧାନ ବିକ୍ରି କରିସାରିଲେଣି । ରାଜ୍ୟରେ ବର୍ତ୍ତମାନ ୧୩ଟି ଜିଲ୍ଲାରେ ଧାନ କିଣା ଚାଲିଥିବା ବେଳେ, ଏହି ଜିଲ୍ଲା ଗୁଡିକରେ ୪୦୮୩ ଧାନ କିଣା କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହି ଜିଲ୍ଲା ଗୁଡିକରେ ମାତ୍ର ୧୦୩୯ଟି ଧାନ କିଣା କେନ୍ଦ୍ର ଖୋଲା ଯାଇଛି । ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ଧାନ କିଣା ପ୍ରକ୍ରିୟା କିପରି ଭାବେ ଚାଲିଛି ? ଧାନ ମଣ୍ଡିରେ ଓ ରାଜରାସ୍ତାରେ ଧାନ ରଖି କୃଷକ ମାନେ ଧାନ ବିକିବାକୁ ଚାତକ ପରି ଚାହିଁ ବସିଛନ୍ତି । କିନ୍ତୁ ରାଜ୍ୟ ସରକାର ନିଦାବିଷ୍ଣୁ ହୋଇ ବସି ରହିଛନ୍ତି । ରାଜ୍ୟର କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ସ୍ୱର ଉଠାଇବ ଓ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ।


Reporterspen