Black Rose Ship: ସଂସଦରେ ଉଠିଲା ବ୍ଲାକ ରୋଜ ଘଟଣା, ସାଂସଦ ବିଭୁ ପ୍ରସାଦ ତରାଇ ଏହି ପ୍ରସଙ୍ଗ ଉଠାଇଛନ୍ତି

Reporterspen

Black Rose Ship: ନୂଆଦିଲ୍ଲୀ- ସଂସଦରେ ଉଠିଛି ଓଡ଼ିଶାର ‘ବ୍ଲାକ ରୋଜ’ ବୁଡ଼ି ଘଟଣା। କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଲଦନ ପତ୍ର ବିଧେୟକ ୨୦୨୪ ଆଲେରଚନା ବେଳେ ଓଡ଼ିଶାର ସାଂସଦ ବିଭୁ  ପ୍ରସାଦ ତରାଇ ଏହି ପ୍ରସଙ୍ଗ ଉଠାଇଛନ୍ତି। ପାରାଦୀପ କୂଳରେ ଆଜି ବି ବୁଡ଼ି ରହି ପରିବେଶ ପ୍ରତି ଆଶଙ୍କା ସୃଷ୍ଟି କରୁଥିବା ଏହି ଜାହାଜ କିଭଳି ଆଇନ ଅଭାବରୁ ଚପି ହୋଇଗଲା ତାହା କହିଛନ୍ତି ଶ୍ରୀ ତରାଇ। ହେଲେ ପରୋକ୍ଷରେ ଏହା ଏବେକାର ରାଜ୍ୟ ସରକାରୀ ଦଳ ବିଜେପି ପାଇଁ ପ୍ରଶ୍ନଗୁଚ୍ଛ ଆଣିଛି। କାରଣ ବିରୋଧୀ ଦଳରେ ଥିବା ସମୟରେ ଏହି  ଜାହାଜ ବୁଡ଼ି ଘଟଣାକୁ ନେଇ ବିଜେପି ଅନେକ ପ୍ରଶ୍ନ ଉଠାଉଥିଲା। ଆଉ ଆଜି କିନ୍ତୁ ସରକାରରେ ଥାଇ ଚୁପ୍‍ ବସିଛି। ଏହାସହ ଏହି ମାମଲାରେ ଏକଦା ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ପରୋକ୍ଷ ସମ୍ପୃକ୍ତିକୁ ନେଇ ବିଜେପି ଚର୍ଚ୍ଚା କରୁଥିଲା।
2009 ମସିହା, ସେପ୍ଟେମ୍ବର ମାସ 9  ତାରିଖର ବ୍ଲାକରୋଜ ଜାହାଜ ପାରାଦୀପ କୂଳରେ ଡୁବିଯାଇଥିଲା। ଏଥିରେ ଓଡ଼ିଶାରୁ ଲୁହାପଥର ବୋଝେଇ ହୋଇ ଚାଲାଣ ହେଉଥିଲା। ମଙ୍ଗୋଲିଆର ଏହି ଜାହାଜରେ ମାଲ ବୋଝେଇ କରିଥିବା  ଅର୍ଥାତ୍‍ ଲଦନକାରୀ କିଏ ତାହାର ଠିକଣା ନଥିଲା। ଏପରିକି ଏ ବାବଦରେ ଅନେକ ଚର୍ଚ୍ଚା ହୋଇ ମଧ୍ୟ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ତାହାର ଆଇନଗତ ଟୋ ପାଇଲା ନାହିଁ। ଫଳରେ ଆଜିକୁ ୧୬ ବର୍ଷ ହେଲାଣି ସେ ଜାହାଜ ସମୁଦ୍ର ମଧ୍ୟରେ ପରିବେଶ ଆଶଙ୍କା ସୃଷ୍ଟି କରୁଛି। ନୂଆ ବିଧେୟକ ଦ୍ୱାରା ଏହିଅସୁବିଧାକୁ ଦୂର କରାଯାଇପାରିବ ବୋଲି ଶ୍ରୀ ତରାଇ ଆଶାବ୍ୟକ୍ତ କରିଛନ୍ତି।

ସେତେବେଳେ ଏହି ଜଗତସିଂହପୁର ସାଂସଦ ଶ୍ରୀ ତରାଇ ସିପିଆଇର ସାଂସଦ ଥିଲେ। ବିଜେଡିକୁ ପରୋଧ ସମର୍ଥନ ମଧ୍ୟ ଦେଉଥିଲେ। କେନ୍ଦ୍ରରେ ସେତେବେଳେ ୟୁପିଏ ସରକାର ଚାଲିଥିଲା। ସରକାର ଏହି ବିଷୟକୁ ଧ୍ୟାନ ଦେଇ ନଥିଲେ ବୋଲି ପରୋକ୍ଷରେ ଶ୍ରୀ ତରାଇ ଇଙ୍ଗିତ କରିଛନ୍ତି। ଏବେ କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ରହିଛି। ଯଦି ସରକାର ଚାହିଁବେ ତେବେ ଏହି ମାଲ କିଏ ବୋଝେଇ କରି କେଉଁଠିକୁ ନେଉଥିଲା ତାହାର ଟେର ମିଳିବା ଅସମ୍ଭବ ନୁହେଁ। ପୁଣି ଏଥିରେ ପୂର୍ବରୁ ବିଜେପି ଦାବି କରୁଥିବା ବିଜେଡି ନାତେଙ୍କ ହାତ ରହିଛି କି ନା ତାହା ବି ସ୍ପଷ୍ଟ ହୋଇଯିବ। ଖାଲି ସେତିକି ନୁହେଁ ଓଡ଼ିଶାରୁ କିପରି ଲୁହାପଥର ତଥା ଅନ୍ୟ ଖଣିଜ ଚୋରାରେ ଚାଲାଣ ହେଉଛି ତାହାର ହିସାବ ମିଳିବ।

ଓଡ଼ିଶାରେ ବିଜେପି ସରକାର ଆସିବା ପରେ ୨୦୨୪ ଅଗଷ୍ଟ ମାସରେ ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜି ଏବଂ କ୍ରାଇମ ବ୍ରାଞ୍ଚକୁ ଏ ବାବଦରେ ଏକ ଚିଠିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କୁହାଯାଇଥିଲା। ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ବିଧାନସଭାରେ ଏ ପ୍ରସଙ୍ଗକୁ ଉଠାଇଥିଲେ। ପୂର୍ବରୁ ବିଜେଡି ସରକାର ପରିସ୍ଥିତିକୁ ଗୋଳମାଳିଆ କରି ରଖିଥିଲେ ଆଉ ଏବେ ତଦନ୍ତ ପରେ ସବୁ ବାଟ ଖୋଲିବ ବୋଲି କହିଥିଲେ ଶ୍ରୀ ମିଶ୍ର। ହେଲେ ଏହାପରେ କେଉଁ ପରିସ୍ଥିତିରେ ଓ କେଉଁଠାରେ  ବ୍ଲାକ୍‍ ରୋଜ୍‍ ଫାଇଲ ରହିଛି ତାହାର ସୂଚନା ମିଳି ନାହିଁ।

ଅପରପକ୍ଷେ ଏହି ଘଟଣାକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତଥା ସିବିଆଇ ମଧ୍ୟ ପୂର୍ବରୁ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିଥିଲା। ହେଲେ ତତ୍‍କାଳୀନ ରାଜ୍ୟ ସରକାର ସିବିଆଇ ଚିଠିର କୌଣସି ଉତ୍ତର ଦେଇ ନଥିଲେ। କ୍ରାଇମ୍‍ବ୍ରାଞ୍ଚ ତଦନ୍ତ କରୁଥିଲେ ମଧ୍ୟ ତାହାର ତଥ୍ୟ କାହାକୁ ସ୍ପଷ୍ଟ କରାଯାଇ ନାହିଁ। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ସାଂସଦଙ୍କ ଲୋକସଭାରେ ଏ ପ୍ରସଙ୍ଗକୁ ଉଠାଯିବା ରାଜ୍ୟରେ ବିଜେପି ସରକାରଙ୍କୁ ଚେଙ୍କ ଦେଇପାରେ। ପୁଣି ଯଦି ବିଜେଡି ସହ ସଲା-ସୁତୁରା ହୁଏ ତେବେ ଏ ମାମଲା ସବୁଦିନ ପାଇଁ ଚପିଯିବାର ବି ଆଶଙ୍କା ରହିଛି।


Reporterspen
!-- afp header code starts here -->