commissionrate police: ଭୁବନେଶ୍ୱର (ରିପୋଟର୍ସ ପେନ୍) : ନାଇଟ ବ୍ଲକିଂ ବେଳେ କମିଶନରେଟ ପୁଲିସ ରାଜଧାନୀରୁ ଜଣେ ନକଲି ସବ୍-ଇନ୍ସପେକ୍ଟର ସହ ଦୁଇ ଜଣଙ୍କୁୁ ଗିରଫ କରିଛି । ଗିରଫ ଯୁବକଦ୍ୱୟ ହେଲେ ଭଦ୍ରକର ମାନସ ରଞ୍ଜନ ସେନାପତି ଓ ପିପିଲିର ଆଶିଷ ସ୍ୱାଇଁ । ଏମାନେ ଭୁବନେଶ୍ୱରରେ ଖାରବେଳନଗର ଥାନା ଅଧିନ ମଧୁସୂଦନ ନଗରରେ ରହୁଥିଲେ । ଏମାନେ ନିଜକୁ ପୁଲିସ କହି ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲେ । ଏମାନଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ଶହୀଦନଗର ଥାନା ପୁଲିସ ନାଇଟ ବ୍ଲକିଂ କରୁଥିଲା । ଏହି ସମୟରେ ଏକ କାରରେ ମାନସ ଓ ତା’ର ସହଯୋଗୀ ଯାଉଥିଲେ । ପୁଲିସ ତାଙ୍କ ଗାଡି ଯାଂଚ କରିବାକୁ କହିଥିଲେ । ହେଲେ ସେ ନିଜକୁ ଅତିରିକ୍ତ ଏସପି ବୋଲି ପରିଚୟ ଦେଇଥିଲେ । ହେଲେ ଗାଡିରେ ସବ-ଇନ୍ସପେକ୍ଟର ଡ୍ରେସ ଥିବାରୁ ପୁଲିସର ସନ୍ଦେହ ହୋଇଥିଲା । ପରେ ପରିଚୟ ପତ୍ର ମାଗି ଯାଂଚ କରିବାକୁ ଏହା ନକଲି ବୋଲି ଜଣାପଡିଥିଲା । ପରେ ପୁଲିସ ସେମାନଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା । ଜେରା ବେଳେ ସେମାନେ ନିଜକୁ ପୁଲିସ ପରିଚୟ ଦେଇ ଠକେଇ କରୁଥିବା ସ୍ୱିକାର କରିଥିଲେ ।
ପୁଲିସ ତାଙ୍କ ନିକଟରୁ ପୁଲିସ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୁଲିସ ଆଇ-କାର୍ଡ, କାର, ମୋବାଇଲ ଫୋନ ଆଦି ଜବତ କରିଛି । ପରେ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।