ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ଝାରପଡ଼ା ସ୍ଥିତ ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଯୋଗୁଁ ୪ ଜଣ ଆହତ ହୋଇଥିବାବେଳେ ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ, ଭୁବନେଶ୍ୱର ନୀଳପଦ୍ମା ଆପାର୍ଟମେଣ୍ଟର ୨୦୩ ନମ୍ବର ଘରେ ବୃଦ୍ଧ ଦମ୍ପତି ରହୁଥିଲେ । ସେହି ଘରୁ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ଆୟତ କରିଥିଲା । ଏହି ଘରେ ରହୁଥିବା ଦମ୍ପତିଙ୍କ ସହ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆପାର୍ଟମେଣ୍ଟରୁ ଅନ୍ୟମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବାବେଳେ ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ନଥିବା ଜଣାପଡିଛି । ଏନେଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏଫଓ ସତ୍ୟଜିତ ଦାସ କହିଛନ୍ତି ।
ସୂଚନାଯୋଗ୍ୟ, ଅପରାହ୍ନରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ସଚ୍ଚ଼ିବାଳୟ, କଳ୍ପନା, ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ନିଆଁ ଲାଗିବା କାରଣରୁ ଆପାର୍ଟମେଣ୍ଟର ୨ଟି ଫ୍ଲାଟ୍ ହୁତୁହୁତୁ ହୋଇ ଜଳିଯାଇଥିବାବେଳେ ଫ୍ଲାଟରୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଝାରପଡ଼ା ଗଣେଶ ମଣ୍ଡପ ପାଖ ନୀଳପଦ୍ମା ଆପାର୍ଟମେଣ୍ଟରେ ନିଆଁ ଲାଗିଥିବାବେଳେ ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ୩ଟି ଦମକଳ ଗାଡି ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ କରାଯାଇଛି । ଏସିରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଘରର ଆସବାବପତ୍ର ପୋଡିଯାଇଛି । ନିଆଁ ଧାସରୁ ବର୍ତ୍ତିବାକୁ କାଚ ଫଟାଇ ଘରର ଝରକା ବାଟେ ନିଶ୍ୱାସ ନେବା ପାଇଁ ଲୋକ ଚେଷ୍ଟା କରିଥିଲେ । ଗତ ୨୪ ଘଣ୍ଟାରେ ଚିନ୍ତାମଣେଶ୍ୱର ଓ ଝାରପଡାରେ ଅଗ୍ନିକାଣ୍ଡ ଘଟଣା ଖରାଦିନ ପୂର୍ବରୁ ସତର୍କର ଘଣ୍ଟି ବଜାଇଥିବା ସାଧାରଣରେ ପ୍ରକାଶ ପାଇଛି ।
କାର୍, ଅଟୋ ଓ ଡାଲା ଅଟୋ ଜଳି ପାଉଁଶ
ବେପରୁଆ ପୋଲିସିଂ, ବେକାବୁ ଅପରାଧି, ଛୋଟ ଛୋଟ କଥାରେ ସବୁ କିଛି ଛାରଖାର । ପୂର୍ବ ଶତ୍ରୁତାରୁ ପେଟ୍ରୋଲ ଢାଳି ଜାଳି ଦେଲେ କାର୍ । ରାତି ପ୍ରାୟ ୩ଟାରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱରରେ ହଠାତ ନିଆଁରେ ଏକ କାର ହୁତୁହୁତୁ ହୋଇ ଜଳିଯାଇଥିଲା । ଫୁଲ ତୋଳିବାକୁ ଉଠିଥିବା ଲୋକ ପାଟି କରିବା ଭିତରେ କାରଟି ପ୍ରାୟତଃ ଶତ ପ୍ରତିଶତ ପୋଡି ସାରିଥିଲା । କାରରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ଆଗରେ ଓ ପଛରେ ପାର୍କ ହୋଇଥିବା ଦୁଇଟି ଅଟୋ ମଧ୍ୟ ଜଳିଯାଇଥିଲା । ନିଆଁରେ ଜଳି କାର ଉପରେ ଯାଇଥିବା ବିଦ୍ୟୁତ ତାର ମଧ୍ୟ ଛିଣ୍ଡି ଗାଡି ଉପରେ ପଡିଥିଲା । ଏସବୁ ଦେଖିବା ପରେହୁଏତ ସର୍ଟସର୍କିଟରୁ ଗାଡି ପୋଡିଯାଇଥିବା ସନ୍ଦେହ ହୋଇଥିଲା । କିନ୍ତୁ ସିସିଟିଭି ସାମ୍ନାକୁ ଆସିବା ପରେ ସତ ଧରାପଡିବା ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଡ଼ିରେ ନିଆଁ ଲଗାଯାଇଥିବା ଜଣାପଡିଛି । ମିଳିଥିବା ସିସିଟିଭିରେ କଏଦ ଦୃଶ୍ୟ ମୁତାବକ ବିଳମ୍ବିତ ରାତି ପ୍ରାୟ ୨ଟା ୪୫ରୁ ଗାଡି ନିକଟରେ ବୁଲୁଥିଲା ଜଣେ ଦୁର୍ବୃତ୍ତ । ମୁହଁରେ ଗାମୁଛା ଭିଡି ହାତରେ ପେଟ୍ରୋଲ ଭର୍ତ୍ତି ବୋତଲରେ ନିଆଁ ଲଗାଇ ଦେଇଥିଲା । ପରେ ଲକ୍ଷ୍ମୀସାଗର ଥାନା ପୋଲିସ ସ୍ପଟ ଭିଜିଟ କରିବା ସହ ଏତଲା ରୁଜୁ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଶାସକ୍ତ ଯୁବକ ଏଭଳିକାଣ୍ଡ ଭିଆଇଥିବା ପୋଲିସ ଜାଣିବାକୁ ପାଇଛି ।

