୨୦୨୭ ବିଶ୍ୱକପ୍ ପୂର୍ବରୁ ରୋହିତଙ୍କୁ ନେଇ ଗମ୍ଭୀରଙ୍କ ବଡ଼ ନିଷ୍ପତ୍ତି

Reporterspen

ନୂଆଦିଲ୍ଲୀ, ୧୫ ।୦୭: ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ଲକ୍ଷ୍ୟ କରି ଭାରତୀୟ ଦଳ ପ୍ରସ୍ତୁତି ଜୋରଦାର କରିଛି । ଏହି ମିଶନ୍‌ରେ ଦଳର ଅଭିଜ୍ଞ ଓପନର ରୋହିତ ଶର୍ମାଙ୍କୁ ନେଇ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏକ ବଡ଼ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ଜୋର ଧରିଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରୁ ଆସ୍ଥା ହଟାଇ ନାହିଁ ।

ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଜବାଷ୍ଟନରେ ଭାରତର ୬ ୱିକେଟ୍ ବିଜୟ ପରେ ଗୌତମ ଗମ୍ଭୀର ଓ ରୋହିତ ଶର୍ମାଙ୍କ ମଧ୍ୟରେ ଏକ ବିଶେଷ ଆଲୋଚନା ହୋଇଥିଲା । ଏଥିରେ ରୋହିତଙ୍କୁ ଭବିଷ୍ୟତକୁ ନେଇ ଚିନ୍ତା ନ କରି ନିଜର ସ୍ୱାଭାବିକ ଏବଂ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିବା କୁହାଯାଉଛି ।

ରୋହିତଙ୍କୁ ଫ୍ରି’ ହ୍ୟାଣ୍ଡ’
ସୂତ୍ର ଅନୁସାରେ, ଗୌତମ ଗମ୍ଭୀର ଚାହୁଁଛନ୍ତି ଯେ ରୋହିତ ପୂର୍ବଭଳି ନିର୍ଭୀକ ଭାବେ ବ୍ୟାଟିଂ କରନ୍ତୁ ଏବଂ ଦଳକୁ ଦ୍ରୁତ ଆରମ୍ଭ ଦିଅନ୍ତୁ । ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କୁ କୌଣସି ଚାପ ନେବାକୁ ବାରଣ କରାଯାଇଛି ।
ଦଳର ଜଣେ ସୂତ୍ର କହିଛନ୍ତି, “ରୋହିତ ଶର୍ମା ସୀମିତ ଓଭର କ୍ରିକେଟରେ ଭାରତ ପାଇଁ ଅନେକ ଅବଦାନ ରଖିଛନ୍ତି । କୋଚ୍ ଚାହୁଁଛନ୍ତି ସେ ନିଜ କ୍ୟାରିୟର ଭଳି ସ୍ୱାଧୀନ ଓ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରନ୍ତୁ ।”

ପ୍ରଥମ ଦିନିକିଆରେ ନିରାଶ କରିଥିଲେ
ବର୍ମିଂହାମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ରୋହିତ ୨୧ଟି ବଲ୍‌ରୁ ମାତ୍ର ୧୧ ରନ୍ କରିଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୫୨.୩୮ ଥିଲା । ଏହା ପରେ ସୋସିଆଲ ମିଡିଆରେ ତାଙ୍କ ବ୍ୟାଟିଂକୁ ନେଇ ସମାଲୋଚନା ଆରମ୍ଭ ହୋଇଥିଲା । ତେବେ ଟିମ୍ ମ୍ୟାନେଜମେଣ୍ଟର ମତ ହେଉଛି, ଏଭଳି ଅଭିଜ୍ଞ ଖେଳାଳିଙ୍କୁ ବାରମ୍ବାର ସମାଲୋଚନା କରିବା ପରିବର୍ତ୍ତେ ମାନସିକ ସମର୍ଥନ ଦେବା ଆବଶ୍ୟକ ।

୨୦୨୭ ବିଶ୍ୱକପ୍‌କୁ ନେଇ ଚର୍ଚ୍ଚା
୨୦୨୭ ଦିନିକିଆ ବିଶ୍ୱକପ୍ ବେଳକୁ ରୋହିତଙ୍କ ବୟସ ୩୯ ବର୍ଷ ହେବ । ତେଣୁ ସେ ବିଶ୍ୱକପ୍ ଖେଳିବେ କି ନାହିଁ, ତାହାକୁ ନେଇ ଲଗାତାର ଚର୍ଚ୍ଚା ଚାଲିଛି । ତେବେ ସୂତ୍ର ସ୍ପଷ୍ଟ କରିଛି ଯେ ଗମ୍ଭୀରଙ୍କ ବର୍ତ୍ତମାନର ରଣନୀତିର ସହ ରୋହିତଙ୍କ ଭବିଷ୍ୟତ କିମ୍ବା ୨୦୨୭ ବିଶ୍ୱକପ୍ ଚୟନର କୌଣସି ସିଧାସଳଖ ସମ୍ପର୍କ ନାହିଁ ।
ସୂତ୍ର କହିଛି, “ଭବିଷ୍ୟତରେ କ’ଣ ହେବ, ତାହା କେହି ଜାଣିନାହାନ୍ତି । ବର୍ତ୍ତମାନ ଆମର ସମସ୍ତ ଧ୍ୟାନ ବର୍ତ୍ତମାନ ପ୍ରଦର୍ଶନ ଉପରେ । ରୋହିତ ଯେତେବେଳେ ପଡ଼ିଆକୁ ଓହ୍ଲାଇବେ, ସେତେବେଳେ ତାଙ୍କ ମନ ସମ୍ପୂର୍ଣ୍ଣ ଚାପମୁକ୍ତ ରହୁ ବୋଲି ଆମେ ଚାହୁଁଛୁ ।”

ଯୁବ ଖେଳାଳିଙ୍କଠାରୁ ଚ୍ୟାଲେଞ୍ଜ
ରୋହିତଙ୍କ ପାଇଁ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଦଳରେ ସ୍ଥାନ ବଜାୟ ରଖିବା ସହଜ ହେବ ନାହିଁ । ଇଶାନ କିଶନ ଓ ଯଶସ୍ୱୀ ଜୟସ୍ୱାଲଙ୍କ ଭଳି ଯୁବ ଓପନରମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଯଦି ରୋହିତ ଆହତ ହୁଅନ୍ତି କିମ୍ବା ଫର୍ମ ହରାନ୍ତି, ତେବେ ଏହି ଯୁବ ଖେଳାଳିମାନେ ତାଙ୍କ ସ୍ଥାନ ଦଖଲ କରିପାରନ୍ତି ।
ଏବେ ସମସ୍ତଙ୍କ ନଜର ରହିଛି ଯେ, ଗୌତମ ଗମ୍ଭୀରଙ୍କଠାରୁ ମିଳିଥିବା ଏହି ‘ଫ୍ରି ହ୍ୟାଣ୍ଡ\’କୁ ରୋହିତ ଶର୍ମା କିଭଳି ବ୍ୟବହାର କରୁଛନ୍ତି ଏବଂ ଆଗାମୀ ମ୍ୟାଚ୍‌ଗୁଡ଼ିକରେ କେମିତି ପ୍ରଦର୍ଶନ କରୁଛନ୍ତି ।


Reporterspen