କୋଲକାତା: ଆଇପିଏଲ୍ ୨୦୨୬ର ଶେଷ ତଥା ୭୦ତମ ଲିଗ୍ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪୦ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୩ ରନ କରିଥିଲା। ଟାର୍ଗେଟର ପିଛା କରି କୋଲକାତା ୧୮.୪ ଓଭରରେ ୧୬୩ ରନରେ ଅଲଆଉଟ୍ ହୋଇଯାଇଥିଲା। ଦିଲ୍ଲୀ ପାଇଁ ଲୁଙ୍ଗି ଏନଗିଡି ଏବଂ କୁଲଦୀପ ଯାଦବ ପ୍ରତ୍ୟେକେ ତିନୋଟି ୱିକେଟ୍ ନେଇଥିଲେ। ଏହା ଉଲ୍ଲେଖନୀୟ ଯେ ଏହି ମ୍ୟାଚ୍ ପ୍ଲେଅଫ୍ ଦୃଷ୍ଟିରୁ ଅପ୍ରାସଙ୍ଗିକ ଥିଲା। କାରଣ ଉଭୟ ଦଳ ପୂର୍ବରୁ ବାଦ ପଡ଼ିଥିଲେ। ପ୍ଲେଅଫ୍ ମ୍ୟାଚ୍ ଏବେ ମେ ୨୬ ତାରିଖରେ ଆରମ୍ଭ ହେବ।
ଇଡେନ ଗାର୍ଡେନ୍ସରେ ଟସ୍ ଜିଣ କୋଲକାତା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଦିଲ୍ଲୀକୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ଅକ୍ଷର ପଟେଲଙ୍କ ନେତୃତ୍ବରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୨୦୩ ରନ୍ ସଂଗ୍ରହ କରିଥିଲା।
ଦିଲ୍ଲୀର ବ୍ୟାଟିଂ ଅଭିଷେକ ପାରୋଲ ଏବଂ କେଏଲ ରାହୁଲ ଆରମ୍ଭ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ ପାଇଁ ୪୦ ରନ୍ର ଭାଗିଦାରୀ କରିଥିଲେ। ଅଭିଷେକ ଏଥିରୁ ବ୍ୟକ୍ତିଗତ ଭାବେ ୨୨ ରନ୍ ସଂଗ୍ରହ କରିଥିଲେ। ସେ ୧୮ଟି ବଲ୍ ଖେଳି ୪ଟି ଚୌକା ମାରିଥିଲେ। କୋଲକାତାର ଦ୍ବିତୀୟ ଶିକାର ହୋଇଥିଲେ ସାହିଲ ପ୍ରକାଶ, ଯିଏକି ବ୍ୟକ୍ତିଗତ ଭାବେ ୧୭ଟି ବଲ୍ ଖେଳି ୩ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୪ ରନ୍ କରିଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ନିଜର ତୃତୀୟ ୱିକେଟ ଭାବେ କେଏଲ୍ ରାହୁଲଙ୍କୁ ହରାଇଥିଲା। ପାଇଁ କେଏଲ୍ ରାହୁଲ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୦ଟି ବଲ୍ ଖେଳି ୫ଟି ଚୌକା ଏବଂ ୪ଟି ଛକା ବଳରେ ୬୦ ରନ୍ କରିଥିଲେ। ଅକ୍ଷର ପଟେଲ ଆଉଟ ହେବା ପୂର୍ବରୁ ୩୯ ରନ୍ର ଯୋଗଦାନ ଦେଇଥିଲେ। ସେ ୨୫ଟି ବଲ୍ ଖେଳି ୩ଟି ଚୌକା ଏବଂ ୨ଟି ଛକା ମାରିଥିଲେ।
ଡେଭିଡ ମିଲର ୧୯ଟି ବଲ୍ ଖେଳି ୩ଟି ଛକା ସହାୟତାରେ ୨୮ ରନ୍ ଏବଂ ଆଶୁତୋଷ ଶର୍ମା ୧୧ଟି ବଲ୍ରୁ ୨ଟି ଚୌକା ଏବଂ ଗୋଟିଏ ଛକା ବଳରେ ୧୮ ରନ୍ କରିଥିଲେ। କୋଲକାତା ପାଇଁ ସୌରଭ ଦୁବେ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ। ଅନୁକୂଳ ରୟ, ସୁନୀଲ ନାରାୟଣ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

