ଓଡ଼ିଶା ଫୁଡ୍ ପ୍ରୋ ୨୦୨୬ : ୪୩,୪୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ

Reporterspen

ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ
ଇନଭେଷ୍ଟମେଣ୍ଟ ରୋଡ୍‌-ସୋ’ରେ ୩୦୦ରୁ ଅଧିକ ଉଦ୍ୟୋଗପତି ସାମିଲ
୨୭ ଏମଓୟୁ ସ୍ୱାକ୍ଷର, ୧୨ ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ୍ ଗ୍ରହଣ
୪୩,୩୧୬ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ରାଜ୍ୟର ପ୍ରଥମ କ୍ଷେତ୍ର-କୈନ୍ଦ୍ରିକ ଇନଭେଷ୍ଟମେଣ୍ଟ ରୋଡ୍‌-ସୋ’ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ର ପ୍ରଥମ ଦିନରେ ଓଡ଼ିଶା ସରକାର ମୋଟ ୪୩,୪୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି । ଯାହା ଦ୍ୱାରା ୪୩,୩୧୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ରୋଡ୍‌-ସୋ’ରେ ୪୧,୭୪୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସହିତ ୨୭ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ୩୫,୨୫୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ, ଓଡ଼ିଶା ସରକାର ୧,୬୮୯ କୋଟି ଟଙ୍କାର ନିବେଶ ପାଇଁ ୧୨ଟି ନିବେଶ ଇଚ୍ଛାପତ୍ର ଗ୍ରହଣ କରିଛନ୍ତି, ଯାହା ଦ୍ୱାରା ୮,୦୬୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ଏହି ରୋଡ ସୋ’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ହେଉଛି ଆମର କୃଷକମାନଙ୍କ ସମୃଦ୍ଧି, ଗ୍ରାମାଞ୍ଚଳର ରୂପାନ୍ତର ଏବଂ ଓଡ଼ିଶାର ଶିଳ୍ପ ଭବିଷ୍ୟତ ମଧ୍ୟରେ ଏକ ସେତୁ । ଏହି କ୍ଷେତ୍ରରେ କରାଯାଉଥିବା ପ୍ରତ୍ୟେକ ନିବେଶ କୃଷିକ୍ଷେତ୍ରକୁ ଉନ୍ନତ କରିବା ସହିତ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି କରେ, ରପ୍ତାନି ସୁଯୋଗ ସୃଷ୍ଟି କରେ ଏବଂ ଅର୍ଥନୀତିକୁ ସମୃଦ୍ଧ କରିଥାଏ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ହେବାକୁ ଓଡ଼ିଶା ପ୍ରସ୍ତୁତ ରହିଛି । ଏହି ଯାତ୍ରାରେ ଆମ ସହିତ ପାର୍ଟନର ହେବା ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରୁଛି । ଏଥିସହ ଓଡ଼ିଶା ପାଇଁ ଏକ ନୂତନ ଅଭିବୃଦ୍ଧି ଏଜେଣ୍ଡା ଉପସ୍ଥାପନ କରିଛନ୍ତି ।

ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବର୍ତ୍ତମାନ ଖାଦ୍ୟ ପ୍ରକ୍ରିୟାକରଣକୁ କେବଳ ଏକ ଶିଳ୍ପ କ୍ଷେତ୍ର ଭାବରେ ଦେଖୁନାହିଁ, ବରଂ ଏହାକୁ ଏକ ଅର୍ଥନୈତିକ ରୂପାନ୍ତର ଭାବରେ ଦେଖୁଛି ଯହା କୃଷକ, ମତ୍ସ୍ୟଜୀବୀ, ମହିଳା ଉଦ୍‌ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଏବଂ ଗ୍ରାମାଞ୍ଚଳର ଉଦ୍‌ୟୋଗଗୁଡ଼ିକୁ ସିଧାସଳଖ ଉପକୃତ କରିଥାଏ ।

ସେ କହିଛନ୍ତି ଯେ ଓଡ଼ିଶାରେ ଉତ୍ପାଦିତ ପ୍ରତ୍ୟେକ ପ୍ରମୁଖ କୃଷି ଏବଂ ସାମୁଦ୍ରିକ ସାମଗ୍ରୀ ଯେପରି ରାଜ୍ୟ ଭିତରେ ଅଧିକରୁ ଅଧିକ ପ୍ରକ୍ରିୟାକରଣ ହେବା ଆବଶ୍ୟକ । ଏହା ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ । ଉତ୍ପାଦକମାନଙ୍କ ପାଇଁ ଅଧିକ ଆୟ ସୃଷ୍ଟି କରିବା ସହିତ ଯୁବବର୍ଗଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୁନିଶ୍ଚିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ବ୍ୟାପକ ପ୍ରାକୃତିକ ସମ୍ପଦ, ଅନେକ ପ୍ରକାରର କୃଷି ଉତ୍ପାଦ, ଦଶଟି କୃଷି-ଜଳବାୟୁ ମଣ୍ଡଳ, ୫୭୫ କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ, ସମୃଦ୍ଧ ମତ୍ସ୍ୟଚାଷ, ବର୍ଦ୍ଧିତ ବନ୍ଦର ଭିତ୍ତିଭୂମି, ଉନ୍ନତ ଲଜିଷ୍ଟିକ୍ସ ସଂଯୋଗ ରହିଛି । ଏହା ସହିତ ଭାରତର ବିଭିନ୍ନ ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶାର ନିବେଶ ନୀତି ଶିଳ୍ପସ୍ଥାପନ ପାଇଁ ଖୁବ ଅନୁକୂଳ ପରିବେଶ ସୃଷ୍ଟି କରିଛି ।

ଏହି ଅବସର ମୁଖ୍ୟମନ୍ତ୍ରୀ ପାଞ୍ଚଟି ଷ୍ଟ୍ରାଟେଜିକ୍ ପିଲାର୍ ସମ୍ପର୍କିତ ଏକ ଦୀର୍ଘମିଆଦୀ ରୋଡମ୍ୟାପ ମଧ୍ୟ ଉନ୍ମୋଚନ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟର ସୃଷ୍ଟି, ସମନ୍ୱିତ କୋଲ୍ଡ-ଚେନ୍ ଏବଂ ୱେରହାଉସିଂ ଭିତ୍ତିଭୂମିର ସମ୍ପ୍ରସାରଣ, ଖାଦ୍ୟର ଗୁଣବତ୍ତା ଏବଂ ପ୍ରମାଣପତ୍ର ପ୍ରଣାଳୀକୁ ସୁଦୃଢ଼ କରିବା, ସଂଗଠିତ ଶିଳ୍ପ ସହିତ କୃଷକ ଉତ୍ପାଦକ ସଂଗଠନ, ଏମଏସଏମଇଏସ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସହିତ ଯୋଡିବା ହେଉଛି, ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହାଦ୍ୱାରା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଦକ୍ଷ ୱାର୍କଫୋର୍ସ’ର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି ।

ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଆମର ଦୃଷ୍ଟିଭଙ୍ଗୀ ହେଉଛି ଆମର କୃଷି ଏବଂ ସାମୁଦ୍ରିକ ସମ୍ପଦର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରି ଓଡ଼ିଶାକୁ ମୂଲ୍ୟବର୍ଦ୍ଧିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କେନ୍ଦ୍ରରେ ରୂପାନ୍ତରିତ କରିବା ।

ଏହି କାର୍ଯ୍ୟକ୍ରମରେ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ଏସୋଚାମ୍‌ର ପ୍ରତିନିଧି ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୦୦ ରୁ ଅଧିକ ଶିଳ୍ପ ନେତା, ଖାଦ୍ୟ ପ୍ରକ୍ରିୟାକରଣ ସଂଘ, ଉଦ୍ୟୋଗୀ, ନିବେଶକ ଏବଂ ବ୍ୟବସାୟୀ ପ୍ରତିନିଧିମାନେ ଯୋଗଦେଇଥିଲେ ।


Reporterspen