ତିରୁଭଲ୍ଲୁର : ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ରବିବାର ଏକ ରପ୍ତାନି ୟୁନିଟରେ ଆମୋନିଆ ଗ୍ୟାସ ଲିକ୍ ଘଟଣା ସାମନାକୁ ବସିଛି । ଏହି ଲିକ୍ ପେରିଆପାଲାୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପର୍ଟଙ୍କ ଫ୍ୟାକ୍ଟ୍ରିରେ ହୋଇଥିଲା । ଏହି କାରଖାନାରେ ୭ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି ଓ ୬୭ ଜଣ ଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ । ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଏବଂ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି । ସେଭଳି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଆରାକୋନମରେ ଥିବା ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀର ଚତୁର୍ଥ ବାଟାଲିୟନକୁ ସତର୍କ କରାଯାଇଥିଲା । ଏହା ପରେ ଚେନ୍ନାଇରୁ ୩୦ ଜଣ ଜଣିଆ ଏନଡିଆରଏଫ ଟିମ୍ଙ୍କୁ ପଠାଯାଇଥିଲା ।
ଏନଡିଆରଏଫ ଦଳ ଅତ୍ୟାଧୁନିକ ସୁରକ୍ଷା ଉପକରଣ ସହିତ ସଜ୍ଜିତ ହୋଇ ଘଟଣାସ୍ଥଳରେ ପହଞ୍ଚିଛି । ଟିମ୍ ପାଖରେ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟ (ପିପିଇ), ଗ୍ୟାସ୍ ଡିଟେକସନ୍ ଡିଭାଇସ୍ ଓ ରାସାୟନିକ, ଜୈବିକ ରେଡିଓଲୋଜିକାଲ ଓ ପରମାଣୁ (ସିବିଆରଏନ୍) ବିପଦରୁ ମୁକାବିଲା ପାଇଁ ସ୍ୱତନ୍ତ୍ର ଉପକରଣ ରହିଛି । ଅଧିକାରୀଙ୍କ ଅନୁଯାୟୀ, ଗ୍ୟାସ୍ ଲିକ୍ ନିୟନ୍ତ୍ରଣ କରିବା ଏବଂ ପ୍ରଭାବିତ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି । ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ତିରୁଭଲ୍ଲୁର ଜିଲ୍ଲା କଲେକ୍ଟର ଏସ. କବିତା କହିଛନ୍ତି ଯେ ୱେଲ୍ସ ହସ୍ପିଟାଲରେ ୪୬ଜଣ ଏବଂ ଭେଙ୍କଟେଶ୍ୱର ହସ୍ପିଟାଲରେ ୨୧ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଗୁରୁତର ୯ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଚେନ୍ନାଇର ସରକାରୀ ପରିଚାଳିତ ଷ୍ଟାନଲି ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଜିଲ୍ଲା କଲେକ୍ଟର କହିଛନ୍ତି ଯେ ଘଟଣା ପେରିଆପାଲାୟମ ନିକଟସ୍ଥ ମଞ୍ଜାଙ୍ଗାରନାଇରେ ଥିବା ଏକ ସି ଫୁଡ୍ ୟୁନିଟରେ ଏହି ଘଟଣା ଘଟିଛି । ଗ୍ୟାସ ଲିକ୍ ଖବର ପାଇବା ମାତ୍ରେ ପ୍ରଭାବିତ ଶ୍ରମିକମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା । ଏହା ଭିତରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବାର ଗୁଜବ ଖବର ସାମନାକୁ ଆସିଥିଲା, କିନ୍ତୁ ଘରୋଇ ହସ୍ପିଟାଲର ଜଣେ ବରିଷ୍ଠ ଚିକିତ୍ସକ ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ହସ୍ପିଟାଲରେ ଭର୍ତ୍ତି ସବୁ ରୋଗୀ ଜୀବିତ ଅଛନ୍ତି ଓ କାହାର ମୃତ୍ୟୁ ହୋଇନି । ଡାକ୍ତରଙ୍କ କହିବା ଅନୁସାରେ, ହସ୍ପିଟାଲରେ ମୋଟ ୪୪ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି, ଯାହାଙ୍କ ଭିତରେ ୪୩ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ତାଙ୍କ ଭିତରେ ୧୫ ରୁ ୧୬ ଜଣ ରୋଗୀ ରହିଛନ୍ତି । ସେଭଳି ୧୧ ଜଣ ଭେଣ୍ଟିଲେଟର ସର୍ପୋଟରେ ରହିଛନ୍ତି । ଅଧିକାଂଶ ପ୍ରଭାବିତ ୨୪ ରୁ ୨୫ ବର୍ଷ ଭିତରେ ଥିବା ମହିଳା ରହିଛନ୍ତି । ଚିକିତ୍ସକଙ୍କ କହିବା ଅନୁସାରେ, ବହୁ ରୋଗୀଙ୍କ ରକ୍ତଚାପ ସ୍ୱାଭାବିକଠାରୁ ଖୁବ୍ କମ୍ ରହିଛି । କିନ୍ତୁ ତାଙ୍କର ବୟସ କମ୍ ହେବା କାରଣରୁ ତାଙ୍କୁ ଖୁବ୍ ଶୀଘ୍ର ସୁସ୍ଥ ହେବାର ଆଶା କରାଯାଇଛି । ଗମ୍ଭୀର ସ୍ଥିତି ଥିବା ଆଉ କିଛି ରୋଗୀଙ୍କ ଭଲ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ସ୍ଥାନାନ୍ତରିତ କରିବାର ପ୍ରସ୍ତୁତି କରାଯାଉଛି ।
ଓଡ଼ିଆ ଶ୍ରମିକମାନଙ୍କ ସହାୟତା ପାଇଁ ତାମିଲନାଡୁ ଗଲେ ୩ ଅଧିକାରୀ
ତାମିଲନାଡୁଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ । ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଆହତ ଓଡ଼ିଆ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି । ସେଠାରେ ତୁରନ୍ତ ସମନ୍ୱୟ ରକ୍ଷା କରିବା ସହ ଓଡ଼ିଆ ଶ୍ରମିକ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ଓଡ଼ିଶା ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତାମିଲନାଡୁର ତିରୁଭଲ୍ଲୁର ଅଭିମୁଖେ ଯାତ୍ରା କରିଛନ୍ତି ।

