Political News: ଭୁବନେଶ୍ୱର (ରିପୋଟର୍ସ ପେନ୍) : ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନେବା ପରେ ଅଶୋକ ପଣ୍ଡା ପ୍ରଥମରୁ ଝୁଣ୍ଟିଛନ୍ତି । ଲୋକ ନହେବାରୁ ଆଜି ନୀବନଙ୍କ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଛି । ହେଲେ ଭାରତ-ପାକ୍ ଉତ୍ତେଜନାକୁ ଢାଲ କରି ସେ ଦୋଷ ଲୁଚାଇବାକୁ ଚେଷ୍ଠା କରିଛନ୍ତି । ଯାହାକୁ ନେଇ ଏବେ ବିଜେଡି ଶିବିରରେ ଟୁପୁର ଟାପର ଚାଲିଛି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରଭାବ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଏକ ନିର୍ଣ୍ଣୟାକ ଭୂମିକା ନେଇଥିବାରୁ ଋଷ ସରକାର ତାଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନୀତ କରିଥିଲେ । ଋଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନକୁ ଗ୍ରହଣ କରିଥିଲେ । ଆଜି ସେ ଭୁବନେଶ୍ୱର ଫେରିଛନ୍ତି । ବିଜୁ ବାବୁଙ୍କୁ ଏଭଳି ସମ୍ମାନ ମିଳିବା ନିଶ୍ଚିତପକ୍ଷେ ରାଜ୍ୟବାସୀଙ୍କ ଲାଗି ଏକ ଗର୍ବର ମୁର୍ହୂତ୍ତ । ତେଣୁ ଏହି ସମ୍ମାନ ଗ୍ରହଣ କରି ଫେରିବା ସମୟରେ ନବୀନ ପଟ୍ଟନାୟକଙ୍କୁ ଏକ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହ ଏକ ବିଶାଳ ଶୋଭାଯାତ୍ରାରେ ନବୀନ ନିବାସ ପର୍ଯ୍ୟନ୍ତ ନେବାର କାର୍ଯ୍ୟକ୍ରମ ରହିଥିଲା ।
ଜିଲ୍ଲା ସଭାପତି ହେବା ପରେ ପ୍ରଥମ ଥର ଅଶୋକ ପଣ୍ଡା ଏହି ଦାୟିତ୍ୱ ନେଇଥିଲେ । କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ ସମ୍ପାଦନ କରାଯିବ ସେନେଇ ସେ ତତ୍ପର ହୋଇଉଠିଥିଲେ । ଦୁଇ ବିଧାୟକଙ୍କ ସହଯୋଗ ନେଇ ସେ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଳକ୍ଷ୍ୟ ରଖିଥିଲେ । ହେଲେ କାର୍ଯ୍ୟକ୍ରମକୁ ଆସିବାକୁ ଲୋକ ମିଳିନଥିଲେ । ବିଜେଡି ସରକାରରେ ନଥିବାରୁ ବସ୍ତିବାସିନ୍ଦା ଅମଙ୍ଗ ହୋଇଥିଲେ । ଶେଷରେ ସକାଳୁ ଯୁଦ୍ଧର ଆଳ ଦେଖାଇ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ସେ ବାଧ୍ୟ ହୋଇଥିଲେ ।
ଏହାକୁ ନେଇ ବିଜେଡି ଶିବିରରେ ଟୁପୁରୁ ଟାପର ଆରମ୍ଭ ହୋଇଛି । କିଛି ବରିଷ୍ଠ ନେତାଙ୍କ କହିବାନୁସାରେ, ଭୁବନେଶ୍ୱରରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମରେ ଦୁଇ ଯୁବନେତା ଅମରେଶ ଜେନା ଓ ଲିଟୁ ମହାସୁପକାରଙ୍କ ଦ୍ୱାରା ସଫଳ ହେଉଥିଲା । ହେଲେ ବଡ ନେତାମାନେ ବାହାଃ ବାହାଃ ନେଉଥିଲେ । ଏନେଇ ସେହି ଦୁଇ ଯୁବନେତାଙ୍କୁ ଦଳ ଅଣଦେଖା କରିଛି । ତେଣୁ ସେମାନଙ୍କ ସହଯୋଗ ନ ମିଳିବାରୁ ପ୍ରଥମ ଥର ଲାଗି ଲୋକ ନହେବାରୁ କାର୍ଯ୍ୟକ୍ରମକୁ ବାତିଲ ହୋଇଛି । ଏହା ଦଳ ଓ ଜିଲ୍ଲା ସଭାପତିଙ୍କ ଲାଗି ନିଶ୍ଚିତ ପକ୍ଷେ ଚିନ୍ତାର ବିଷୟ ପାଲଟିଛି ।