sujata karthikeyan: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଭିକେ ପାଣ୍ଡିଆନ୍ଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯିବେ! ବିଜେଡିରେ ଏଭଳି ଟୁପୁରୁଟାପର ଚାଲିଥିବା ବେଳେ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଆଉ ଏକ ଗୋଷ୍ଠୀ ସୁଜାତାଙ୍କୁ ସମର୍ଥନ କରିବା ସହ ତାଙ୍କର ପ୍ରିୟଭାଜନ ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।
ନିକଟରେ ସୁଜାତା ସ୍ୱେଚ୍ଛାକୃତ ଭାବେ ଚାକିରୀରୁ ଅବସର ନେଇଛନ୍ତି । ସେ ବ୍ୟକ୍ତଗତ କାରଣ ଦର୍ଶାଇ ଅବସର ନେଇଥିଲେ ମଧ୍ୟ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ରାଜନୈତିକ ମହଲରେ ବେଶ ଆଲୋଚ୍ୟର ବିଷୟ ପାଲଟିଛି । ଶ୍ରୀମତୀ କାର୍ତ୍ତିକେୟନ ଚାକିରୀ ଛାଡି ବିଜେଡିରେ ମିଶି ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ହେବା ନେଇ ଚର୍ଚ୍ଚା ମଧ୍ୟ ହେଉଛି । ଏଭଳି ଚର୍ଚ୍ଚା ପରେ ବିଜେଡିର ଦୁଇଗୋଷ୍ଠୀ ସକ୍ରିୟ ହୋଇଉଠିଛନ୍ତି ।
କୁହାଯାଉଛି, ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ଏବେ ବି ବିଜେଡିରେ ତାଙ୍କର ଆଧିପତ୍ୟ ରହିଛି । ଗୋଟିଏ ଗୋଷ୍ଠୀ ତାଙ୍କୁ ଏବେ ବି ଦଳର ସର୍ବେସର୍ବା ବୋଲି ବିବେଚନା କରୁଛନ୍ତି । ତାଙ୍କ ବିନା ନିର୍ଦ୍ଦେଶରେ ଦଳରେ ସାମ୍ବାଦିକ ସମ୍ମିଳନିଟିଏ ମଧ୍ୟ କରୁନାହାନ୍ତି । ଏପରିକି ତାଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ହେଲେ ଅନ୍ୟ ଏକ ଗୋଷ୍ଠୀ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟି କରି ତାଙ୍କୁ ବିରୋଧ କରୁଛନ୍ତି । ପାଣ୍ଡିଆନଙ୍କୁ ନେଇ ବିଜେଡିରେ ଗୋଷ୍ଠୀ ବିବାଦ ଆରମ୍ଭ ହୋଇଛି । ଯାହା ଦଳ ପାଇଁ ଶୁଭଙ୍କର ନୁହେଁ । ଏପରିକି ରାଜ୍ୟବାସୀ ମଧ୍ୟ ପାଣ୍ଡିଆନଙ୍କୁ ପ୍ରତ୍ୟାଖାନ କରିଥିବା ଏହି ପରାଜୟରୁ ସ୍ପଷ୍ଟ ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀପାଣ୍ଡିଆନ ଓଡ଼ିଶା ଛାଡି ଦିଲ୍ଲୀରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି ।
ଏହି ସମୟ ମଧ୍ୟରେ ହଠାତ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଚାକିରୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି । ସୁଜାତାଙ୍କ ଅବସର ପରେ ପାଣ୍ଡିଆନ ସପରିବାରେ ଓଡ଼ିଶା ଛାଡିବେ ବୋଲି ଚର୍ଚ୍ଚା ହେଉଛି । ଯଦି ପାଣ୍ଡିଆନ ଓଡ଼ିଶା ଛାଡନ୍ତି, ତାଙ୍କ ସହ ସୁଜାତା ଯିବା ନିଶ୍ଚିତ, ହେଲେ ବିଜେଡିି ପକ୍ଷରୁ ରାଜ୍ୟସଭାକୁ ଯାଇ ସେ ଦିଲ୍ଲୀରେ ରହିବେ । ଏଭଳି ଏକ ରଣନୀତି ପ୍ରସ୍ତୁତ ହୋଇଛି । ଦିଲ୍ଲୀରେ ରହି ସୁଜାତା ରାଜନୀତିରେ ସକ୍ରିୟ ହେବା ସହ ପରବର୍ତ୍ତୀ ସମୟରେ ସେ ବିଜେଡିର ମଙ୍ଗ ସମ୍ଭାଳିବେ । କାରଣ ବିରୋଧୀମାନେ ପାଣ୍ଡିଆନଙ୍କୁ ରାଜ୍ୟ ବାହାର ଲୋକ କହି ସିନା ବିବାଦ ସୃଷ୍ଟି କରୁଛନ୍ତି, ହେଲେ ସୁଜାତା ଓଡ଼ିଶାର ଝିଅ । ତାଙ୍କୁ ବିରୋଧୀ ସମାଲୋଚନା କରିପାରିବେ ନାହିଁ । ଏଥିସହିତ ଲୋକେ ଗାଁ ଝିଅ ହିସାବରେ ଅତି ସହଜରେ ଗ୍ରହଣ କରିବେ ବୋଲି ବିଶ୍ୱାସ କରାଯାଉଛି । ଏଭଳି ଏକ ସମୀକରଣ କରାଯାଇ ସୁଜାତାଙ୍କୁ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ପ୍ରୋଜେକ୍ଟ କରାଯିବାକୁ ବିଜେଡି ଲକ୍ଷ୍ୟ ରଖିଥିବା କୁହାଯାଉଛି ।
ଉଲ୍ଲେଖଥାଉ କି, ଓଡ଼ିଶାରୁ ଏବେ ଗୋଟିଏ ରାଜ୍ୟସଭା ଆସନ ଫାଙ୍କା ରହିଛି । ସୁଜିତ କୁମାର ବିଜେଡି ଛାଡିବା ପରେ ତାଙ୍କ ଆସନଟି ଫାଙ୍କା ରହିଛି । ଏଥିସହିତ ଏହାକୁ ମିଶାଇ ୨୦୨୬ରେ ଏପ୍ରିଲରେ ୪ଟି ରାଜ୍ୟସଭା ଆସନ ଫାଙ୍କା ହେବ । ନିରଂଜନ ବିିଶି, ମମତା ମହନ୍ତ, ମୁଜ୍ଜିବୁଲା ଖାନଙ୍କ କାର୍ଯ୍ୟକାଳ ୨୦୨୬ରେ ସରିବ । ଏହି ଆସନ ମଧ୍ୟରୁ ଗୋଟିଏ ସଜାତାଙ୍କୁ ମିଳିବ । ରାଜ୍ୟସଭା ମାଧ୍ୟମରେ ସୁଜାତା ରାଜନୀତିକୁ ଏଣ୍ଟ୍ରି କରିବା ଏକପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି ।