ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରାଜଧାନୀ ଝାରପଡାସ୍ଥିତ ସ୍ୱତନ୍ତ୍ର କାରାଗାରରେ ଏଚଆଇଭି ପଜିଟିଭ୍ ଚିନ୍ତା ବଢ଼ାଇଛି । ସୂଚନା ଅନୁଯାୟୀ, ନିକଟରେ ନାବାଳିକା ଦୁଷ୍କର୍ମ ମାମଲାରେ ମହିଳା ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଆସିଥିବା ଜଣେ ଅଭିଯୁକ୍ତର ସ୍ୱାସ୍ଥ୍ୟ ଯାଞ୍ଚ ପରେ ସେ ଏଚଆଇଭି ପଜିଟିଭ୍ ବୋଲି ଜଣାପଡିଛି । ଏନେଇ ଭୁବନେଶ୍ୱର ସ୍ୱତନ୍ତ୍ର ପୋକ୍ସ କୋର୍ଟ ଏବଂ ଭୁବନେଶ୍ୱର ଡିସିପିଙ୍କୁ ଝାରପଡା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଠି ଲେଖାଯାଇ ଅବଗତ କରାଯାଇଛି ।
ଝାରପଡା ଜେଲ ସୂତ୍ର ଅନୁସାରେ, ଜେଲରେ ବର୍ତ୍ତମାନ ୮ ଜଣ ଏଚଆଇଭି ପଜିଟିଭ୍ ଅନ୍ତେବାସୀ ଅଛନ୍ତି । ଜେଲରେ ଏଡ଼ସ ସଂକ୍ରମିତ ଅନ୍ତେବାସୀଙ୍କ ସଂଖ୍ୟା ବଢ଼ିଥିବାବେଳେ ଏହାକୁ ନେଇ କାରାଗାରରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟ ଅନ୍ତେବାସୀଙ୍କୁ କିଭଳି ଏଡ଼ସ ନବ୍ୟାପିବ ସେଥିପାଇଁ ଜେଲ କର୍ତ୍ତୃପକ୍ଷ ସତର୍କ ହୋଇଛନ୍ତି ।
ଏନେଇ ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ୍ ସର୍ବେଶ୍ୱର ସାହୁ କହିଛନ୍ତି, କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି କଏଦୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଯିବା ଏକ ନିୟମିତ ପ୍ରକ୍ରିୟା । ଭବିଷ୍ୟତରେ କୌଣସି ସମସ୍ୟା ନଉପୁଜୁ ବୋଲି ଅବଗତ କରାଯାଏ । ଜେଲରେ ଏଚଆଇଭି ପଜିଟିଭ୍ ସଂକ୍ରମିତ ଅନ୍ତେବାସୀଙ୍କୁ ସ୍ୱତନ୍ତ୍ର ସେଲରେ ରଖାଯାଇଛି । ଏଥିପାଇଁ ଜେଲରେ ନିୟମିତ କାଉନସିଲିଂ କରାଯିବା ସହ ସ୍ୱାସ୍ଥ୍ୟ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ଏପରିକି ଡାକ୍ତରଙ୍କ ଦ୍ୱାରା କ୍ୟାମ୍ପ କରାଯାଇ ପ୍ରତିକାର ପାଇଁ ସଚେତନତା ସୃଷ୍ଟି କରାଯାଉଛି । ଜେଲ ଆସୁଥିବା ନୂଆ କଏଦୀଙ୍କୁ ପ୍ରଥମେ ବିଭିନ୍ନ ଟେଷ୍ଟ୍ କରାଯାଉଛି । ଜେଲ୍ ଅଧୀକ୍ଷକ କଏଦୀଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଏବଂ ରୋଗ ବ୍ୟାପିବାକୁ ରୋକିବା ପାଇଁ ସେମାନେ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକୀୟ ସତର୍କତା ଏବଂ ପଦକ୍ଷେପ ନେଉଥିବା କହିଛନ୍ତି ।
ସୂଚନାଥାଉ କି, ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ, ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ନେଲେ କିମ୍ବା ବ୍ୟବହୃତ ସିରିଞ୍ଜ୍ ବ୍ୟବହାର କଲେ ଓ ସଂକ୍ରମିତ ଗର୍ଭବତୀ ମା\’ଙ୍କଠାରୁ ତାଙ୍କର ସନ୍ତାନକୁ ଏଚଆଇଭି ବ୍ୟାପିଥାଏ ।

