Sex Racket Busted in Bhubaneswar: ଭୁବନେଶ୍ୱର (ରିପୋଟର୍ସ ପେନ୍) : ବାଂଲାଦେଶୀ ଯୁବତୀଙ୍କୁ ନେଇ କଟକ-ଭୁବନେଶ୍ୱରରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ଖଣ୍ଡଗିରିରେ ସେକ୍ସ ରାକେଟ୍ ଠାବ ହୋଇଛି । ଦୀର୍ଘ ଦିନ ଧରି ସେଠାରେ ସେକ୍ସ ରାକେଟ୍ ଚାଲିଥିବା ଅଭିଯୋଗ ହୋଇଛି । ନୟାଗଡ଼ର ରାଣୀ ମହୁମାଛି ଯୁବତୀମାନଙ୍କୁ ଦେହ ବେପାର କାର୍ଯ୍ୟରେ ନିୟୋଜିତ କରିଥିବା କୁହାଯାଉଛି । ଏଭଳି ଅଭିଯୋଗ ପାଇବା ପରେ କମିସନରେଟ୍ ପୁଲିସ୍ ୪ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ରାଣୀ ମହୁମାଛି ଚଂପଟ ମାରିଛି ।
ଖଣ୍ଡଗିରିରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହେଉଥିଲା । ନୟାଗଡ଼ ଅଂଚଳର ଜଣେ ମହିଳା ଘର ଭଡ଼ା ନେଇ ୪ ଯୁବତୀଙ୍କୁ ରଖି ଦେହ ବେପାର କାମରେ ନିୟୋଜିତ କରୁଥିଲେ । ବହୁ ନାମୀଦାମୀ ଲୋକେ ଦେହର ଶୁଖ ନେବା ପାଇଁ ପ୍ରତି ସନ୍ଧ୍ୟାରେ ସେଠାରେ ଭିଡ଼ ଜମାଉଥିବା ଅଭିଯୋଗ ହୋଇଥିଲା । ବିଶେଷ ସୂତ୍ରରୁ ଖବର ପାଇଁ ଆଜି କମିସନରେଟ୍ ପୁଲିସ୍ ସେହି ଘରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଘର ଭିତରେ ୪ ଯୁବତୀ ଥିବା ଦେଖିବାକୁ ପାଇଥିଲା ।
ପୁଲିସ୍ ସେମାନଙ୍କୁ ଉଦ୍ଧାର କରିବା ସହିତ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଉଦ୍ଧାର ହୋଇଥିବା ଯୁବତୀମାନେ ଓଡ଼ିଶାର । ତେବେ ରାଣୀ ମହୁମାଛି ଚଂପଟ ମାରିଛି । ତାଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ପୁଲିସ୍ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏଥିରେ ବାଂଲାଦେଶୀ ନାବାଳିକା ସେକ୍ସ ରାକେଟ୍ ସହିତ କୌଣସି ସଂପର୍କ ନାହିଁ ବୋଲି ପୁଲିସ୍ କହୁଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, କଟକରୁ ବାଂଲାଦେଶୀ ନାବାଳିକା ସେକ୍ସ ରାକେଟ୍ ଠାବ ହେଲା ପରଠାରୁ କମିସନ୍ରେଟ୍ ପୁଲିସ୍ ତତ୍ପର ହୋଇଛି । ସେକ୍ସ ରାକେଟ୍ରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଦ୍ୱୈତ ନଗରୀରେ ଘନଘନ ଚଢ଼ଉ କରିଛି । ଏଥିସହ ଆଗକୁ ଭୁବନେଶ୍ୱରରେ ବହୁ ବଡ଼ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାର ରହିଛି । ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିଛି କମିସନରେଟ୍ ପୁଲିସ୍ । ଏହା ପରେ ମଧ୍ୟ ଖଣ୍ଡଗିରି ପରି ହାଇପ୍ରୋଫାଇଲ ଅଂଚଳରେ ସେକ୍ସ ରାକେଟ୍ ଚାଲିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।