ଶିଶୁପାଳଗଡ଼ରେ ଚୋର ମାତିଛନ୍ତି, ଯାହା ପାଉଛନ୍ତି ଲୁଟି ନେଉଛନ୍ତି

Reporterspen

ପୋଲିସ କହୁଛି, ଖୁଚୁରାଙ୍କୁ ଛାଡ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ରାଜଧାନୀର ଧଉଳି ଥାନା ଇଲାକା ଏବେ ଅପରାଧୀଙ୍କ ସେଭ୍‌ ଜୋନ ପାଲଟିଛି। ଲୁଟ, ଛିନତାଇ ଠାରୁ ଆରମ୍ଭ କରି ହତ୍ୟା ଉଦ୍ୟମ ଭଳି ଘଟଣା ପ୍ରାୟ ପ୍ରତିଦିନ ଘଟୁଛି। ବିଶେଷ କରି ଚୋର ଗ୍ୟାଙ୍ଗ ଏହି ଥାନା ଇଲାକାରେ ମାତି ଉଠିଛନ୍ତି। ରାତି ଅଧରେ ମୁହଁରେ ମୁଖା ପିନ୍ଧି ଅପରେସନ କରୁଛନ୍ତି। ଯାହା ଯେଉଁଠି ପାଉଛନ୍ତି, ସବୁ ଲୁଟି ନେଉଛନ୍ତି। ଗାଡିରୁ ପେଟ୍ରୋଲ ଠାରୁ ଆରମ୍ଭ କରି ଏସି ପାଇପ ପର୍ଯ୍ୟନ୍ତ ସବୁ ଚୋରି କରି ନେଉଛନ୍ତି। ଏନେଇ ଲୋକେ ଥାନାରେ ଅଭିଯୋଗ କଲେ, ପୋଲିସ କହୁଛି ଏ ଖୁଚୁରା ଚୋରକୁ ଛାଡନ୍ତୁ। ଯାହାକୁ ନେଇ ଏବେ ଧଉଳି ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଧଉଳି ଥାନା ଶିଶୁପାଳଗଡ଼ ସ୍ଥିତ ନବଜ୍ୟୋତି କଲେଜ ପାଖରେ ରଘୁନାଥନଗରରେ ଏହି ଚୋର ଗ୍ୟାଙ୍କ ଏବେ ଉତ୍ପାତ କରୁଛନ୍ତି। ଗତ ୧୫ ଦିନ ହେଲା ଏକ ଗ୍ୟାଙ୍ଗ ରାତିରେ ଘର ଘର ବୁଲି ଗାଡିରୁ ପେଟ୍ରୋଲ, ଏସି ପାଇପ, ବଲବ ସହିତ ଅନ୍ୟାନ୍ୟ ଜିନିଷ ଚୋରି କରିନେଉଛନ୍ତି। ଏହି ଗ୍ୟାଙ୍ଗର ଚୋର କରିବାର ଦୃଶ୍ୟ ଏକାଧିକ ସିସିଟିଭିରେ କଏଦ ହୋଇଛି। ଏମାନେ ରାତିି ଗୋଟାଏ ପରେ ହେଲମେଟ ଓ ମୁହଁରେ ମୁଖା ପିନ୍ଧି ଘରର ପାଚେଇ ଡେଇଁ ଭିତରକୁ ପଶୁଛନ୍ତିି। ଘର ବାହାରେ ଥିବା ଇଲେକ୍ଟ୍ରି ବଲବ, ଗାଡିରୁ ପେଟ୍ରୋଲ, ବାହାରେ ଥିବା ଛୋଟ ପିଲାଙ୍କ ସାଇକେଲ ସହ ଅନ୍ୟାନ୍ୟ ସାମାଗ୍ରୀ ଚୋରି କରି ନେଉଛନ୍ତି।

ପ୍ରାୟ ପ୍ରତିଦିନ ଏଭଳି ଛୋଟମୋଟ ଚୋରି ହେଉଥିବାରୁ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଡ୍ୟୁଟିରେ ଥିବା ପୋଲିସ ବାବୁ ଅଭିଯୋଗ ରଖିବା ବଦଳରେ ତାଙ୍କୁ ଏଭଳି ଛୋଟମୋଟ ଚୋରିକୁ ଛାଡନ୍ତୁ ବୋଲି କହି ବିଦା କରିଦେଇଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୋଲିସ ପେଟ୍ରୋଲିଂ ହେଉନଥିବାରୁ ଏଭଳି ଛୋଟମୋଟ ଚୋର ମାତି ଉଠିଛନ୍ତି। ଛୋଟମୋଟ ଚୋରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ନହେବା ଓ ପାଟ୍ରୋଲିଂ ଠପ୍‌ ଯୋଗୁଁ ଏଭଳି ଅପରାଧୀମାନେ ନଦିନକୁ ଦିନ ଅଧିକ ସକ୍ରିୟ ହୋଇଉଠୁଛନ୍ତି। ଡିସିପି ଓ ପୋଲିସ କମିଶନର ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।


Reporterspen