Police Encounter: ଭୁବନେଶ୍ୱର (ରିପୋଟର୍ସ ପେନ୍) : ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ଘନଘନ ଚେନ୍ ଲୁଟ୍ କରି ଆତଙ୍କ ରଚିଥିବା ଦୁଇ ଅନ୍ତଃରାଜ୍ୟ ଚେନ୍ ଲୁଟେରା ପୋଲିସ ଏନକାଉଣ୍ଟରରେ ଘାଇଲା ହୋଇଛନ୍ତି । ପୋଲିସ ଗୁଳିରେ ଘାଇଲା ହୋଇଥିବା ଦୁଇ ଲୁଟେରା ହେଲେ ବିହାରର ସୋନୁ ଯାଦବ ଓ ମନିଷ । ଏମାନଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ବଡମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି ।
ସୂଚନା ଅନୁସାରେ, ଗତମାସ ୨୦ ତାରିଖ ଦିନ ରାଜଧାନୀ ଓ ଉପକଣ୍ଠରେ ସିରିଜ ଚେନ୍ ଲୁଟ ହୋଇଥିଲା । ଗୋଟିଏ ଦିନରେ ୬ରୁ ଅଧିକ ସ୍ଥାନରୁ ଚେନ ଲୁଟ କରି ଏହି ଗ୍ୟାଙ୍ଗ କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଥିଲା । ପରେ ସ୍ପେଶାଲ ସ୍କ୍ୱାଡ ଏହି ଗ୍ୟାଙ୍ଗକୁ ଧରିବା ଲାଗି ଜାଲ ବିଛାଇଥିଲା । ଏମାନେ କଟକ, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ଅଞ୍ଚଳରେ ଲୁଟପାଟ୍ କରୁଥିବାରୁ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗ୍ୟାଙ୍ଗ ଉପରେ ନଜର ରଖିଥିଲା ।
ଆଜି ସନ୍ଧ୍ୟାରେ ଏମାନେ ଭୁବନେଶ୍ୱର ଆସି ଲୁଟ୍ ଉଦ୍ୟମ କରୁଥିବା ପୋଲିସକୁ ସୂଚନା ମିଳିଥିଲା । ପରେ ସ୍ପେଶାଲଳ ସ୍କାଡ, କ୍ୟାପିଟାଲ ଥାନା, ବଡଗଡ ଥାନା ପୋଲିସ ସଜାଗ ରହିଥିଲା । ରାତି ପ୍ରାୟ ୧୦ଟା ବେଳେ ଏହି ଗ୍ୟାଙ୍ଗ ବାଙ୍କୁଆଳ ନଦୀବନ୍ଧ ଦେଇ ବାଲିଅନ୍ତା ଆଡକୁ ଯାଉଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ପୋଲିସ କବଳରୁ ଖସିଯିବା ଲାଗି ସେ ଗୁଳିଚାଳନା କରିଥିଲେ । ଲୁଟେରାଙ୍କ ଗୁଳିରୁ ପୋଲିସ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ପୋଲିସ ପାଲଟା ଗୁଳି ମାଡ କରିଥିଲା । ଫଳରେ ଦୁଇ ଲୁଟେରା ଗୁରୁତର ଆହତ ହୋଇଥିଲେ ।
ଆହତ ଲୁଟେରାଦ୍ୱୟଙ୍କୁ ପୋଲିସ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ବଡ ମେଡିକାଲକୁ ପଠାଇଦେଇଛି । ଏମାନଙ୍କ ଠାରୁ ବନ୍ଧୁକ, ଗୁଳି ଓ ବାଇକ ଆଦି ଜବତ କରାଯାଇଛି । ଅଧିକ ତଦନ୍ତ ଜାରି ରହିଛି ।