ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଟ୍ରାଫିକ୍‌ କଟକଣା: ଜାଣନ୍ତୁ

Reporterspen

ପୁରୀ,(ରିପୋର୍ଟର୍ସ ପେନ୍‌): ଇଂରାଜୀ ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ହେବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ପର୍ଯ୍ୟଟକଙ୍କ ସୁରକ୍ଷା ସାଙ୍ଗକୁ ଟ୍ରାଫିକ୍ ପରିଚାଳନା ନେଇ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖ ଦୁଇ ଦିନ ପ୍ରବଳ ଭିଡ଼ ଦୃଷ୍ଟିରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ୩୧ ତାରିଖରୁ ସହରରେ ୩୦୦ ଅଧିକାରୀଙ୍କ ସହ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ।

ଏସ୍ପି ପ୍ରତୀକ ସିଂ କହିଛନ୍ତି ଯେ,ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର । ସହରକୁ ମୁଖ୍ୟ ପ୍ରବେଶ ପଥରେ ଗାଡ଼ି ଚେକିଂ ଜୋରଦାର କରାଯିବ । ଜିରୋନାଇଟ୍ ସେଲିବ୍ରେସନ ଉପରେ କଡ଼ା ନଜର ରଖାଯିବ । ନୂଆବର୍ଷ ଦିନ ମାର୍କେଟ ଛକଠୁ ସିଂହଦ୍ୱାର ପର୍ଯ୍ୟନ୍ତ ନୋ-ଭେଇକିଲ୍ ଜୋନ ଘୋଷଣା କରାଯିବ । ସେହିପରି ମେଡିକାଲ ଛକଠୁ ସୁଭାଷ ବୋଷ ଛକ ଏବଂ ସୁଭାଷ ବୋଷ ଛକଠୁ ଲାଇଟ୍ହାଉସ ପର୍ଯ୍ୟନ୍ତ ବେଳାଭୂମି ମାର୍ଗ ଅଞ୍ଚଳରେ ଚାରିଚକିଆ ଯାନ ଚଳାଚଳ ସଂପୂର୍ଣ୍ଣ ନିଷେଧ କରାଯାଇଛି । କେବଳ ଯେଉଁ ପର୍ଯ୍ୟଟକମାନେ ହୋଟେଲ ବୁକିଂ ସ୍ଲିପ୍ ଦେଖାଇବେ ସେମାନଙ୍କ ଗାଡ଼ିକୁ ହୋଟେଲ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ । ଦୁଇଚକିଆ ଗାଡ଼ି ଲାଗି ମଧ୍ୟ କଟକଣା ଜାରି କରାଯାଇଛି ।

ଚାରିଚକିଆ ଯାନ ଚଳାଚଳ କଟକଣା

ଭୁବନେଶ୍ୱରରୁ ପଟୁ ଆସୁଥିବା ସମସ୍ତ ଚାରିଚକିଆ ଯାନ ବାଟଗାଁ(ହରେକୃଷ୍ଣପୁରଛକ)ରୁ ବାଇପାସ୍ରେ ଯାଇ ଶ୍ରୀସେତୁ ଦେଇ ଜେବିପିସି ପାର୍କିଂରେ ରଖିବେ । ସେଠାରେ ଚାରିଚକିଆ ଯାନ ପ୍ୟାକ୍ ହୋଇଗଲେ ବାଟଗାଁ, ଚାରିନଳା, ଅଠରନଳା ଓ କୁମ୍ଭାରପଡ଼ା ଥାନା ଛକ ଦେଇ ଜେଲ୍ରୋଡ ପାର୍କିଂରେ ରଖିବେ । ପରେ ଶରଧାବାଲିରେ ଯାନଗୁଡ଼ିକ ପାର୍କିଂ କରିବେ । ଶରଧାବାଲିରେ ପ୍ୟାକ୍ ହୋଇଗଲେ ମାଳତୀପାଟପୁର ଆରଓବି ଦେଇ ସିଧାସଳଖ ତାଳବଣିଆରେ ପାର୍କିଂ କରିବେ । ସେଠାରୁ ଫେରିବା ସମୟରେ ବାଲିଘାଟ, ସମଙ୍ଗରା ଛକ ଦେଇ ହରେକୃଷ୍ଣପୁର ଛକରେ ବାହାରି ଭୁବନେଶ୍ୱର ଅଭିମୁଖେ ଫେରିବେ । ସେହିଭଳି ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକଠୁ ଷ୍ଟର୍ଲିଂ ଛକ ଦେଇ ଲାଇଟହାଉସ ନିକଟ ଯାତ୍ରିକା ପାର୍କିଂରେ ରଖିବେ । ସେଠାରେ ପ୍ୟାକ୍ ହୋଇଗଲେ ଷ୍ଟର୍ଲିଂ ଛକରେ ଯାନଗୁଡ଼ିକ ରଖିବେ । କୋଣାର୍କରୁ ଆସୁଥିବା ଚାରିଚକିଆ ଯାନଗୁଡ଼ିକ ତାଳବଣିଆରେ ପାର୍କିଂ କରିବେ ।

ଦୁଇଚକିଆ ଯାନ ଓ ତିନିଚକିଆ ଯାନ

ଭୁବନେଶ୍ୱର ପଟୁ ଆସୁଥିବା ଦୁଇଚକିଆ ଗାଡ଼ିଗୁଡ଼ିକ ଡାକ୍ତରଖାନା ଛକରୁ ଆସି ପୌରପାଳିକା ମାର୍କେଟ କମ୍ପେ୍ଳକ୍ସରେ ରଖିବେ । ସେଠାରେ ପ୍ୟାକ୍ ହୋଇଗଲେ ମାର୍କେଟ ଛକଠୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ବଡ଼ଦାଣ୍ଡରେ ପାର୍କିଂ କରିବେ । ବଡ଼ଦାଣ୍ଡ ପ୍ୟାକ୍ ହୋଇଗଲେ କୁମ୍ଭାରପଡ଼ା ଥାନା ଛକଦେଇ ଜଟିଆବାବାଜୀ ଛକ ଦେଇ ଜେବିପିସି ପାର୍କିଂରେ ରଖିବେ । ବ୍ରହ୍ମଗିରି ପଟୁ ଆସୁଥିବା ଯାନ ମଙ୍ଗଳାଘାଟ ଛକ ଦେଇ ଜେବିପିସି ପାର୍କିଂରେ ରଖିବେ । କୋଣାର୍କପଟୁ ଆସୁଥିବା ଯାନଗୁଡ଼ିକ ମାଟିଆପଡ଼ା ଗ୍ରୀଡଷ୍ଟେସନ ଛକଠାରେ ପାର୍କିଂ କରିବେ । ତିନିଚକିଆ ଯାନ କ୍ଷେତ୍ରରେ ତାଳବଣିଆରୁ ତିନିଚକିଆ ଯାନଗୁଡ଼ିକ ପେଣ୍ଠକଟା ଛକ, ସିଟି ରୋଡ, ୟୁଥ ହଷ୍ଟେଲ୍, ଅର୍ବାନ ହାଟ, ଜିଲ୍ଲା ସ୍କୁଲ ଦେଇ ଟାଉନ୍ ହଲ୍ ଛକରେ ପହଞ୍ଚିବେ ।

ସେହିଭଳି ୱାଟର ୱାର୍କସରୋଡ, ଓଡ଼ିଶା ବେକେରୀ, ରାମ ମନ୍ଦିର, ଘୋଡ଼ାବଜାର ଦେଇ ରେଡକ୍ରସ୍ ରୋଡରେ ପହଞ୍ଚିବେ । ତାଳବଣିଆକୁ ଫେରିବା ସମୟରେ ଘୋଡ଼ାବଜାର, ରାମମନ୍ଦିର, ଶ୍ରୀକ୍ଷେତ୍ର କଲୋନୀ ରାସ୍ତା ଦେଇ ଚଳାଚଳ କରିବେ । ବେଳାଭୂମି ରାସ୍ତାରୁ ଆସୁଥିବା ଯାନଗୁଡ଼ିକ ବାଲିସାହି ସୋଲଖିଆ ବରଗଛ, ଉତ୍ତରଦ୍ୱାର ପଟୁ ଆସୁଥିବା ଗାଡ଼ିଗୁଡ଼ିକ ବିଶେଶ୍ୱରୀ ମନ୍ଦିର, ସିଂହଦ୍ୱାର ଅଭିମୁଖେ ଆସୁଥିବା ଗାଡ଼ି ମୋଚିସାହି ଓ ଲୋକନାଥ ମନ୍ଦିର ପଟୁ ଆସୁଥିବା ଗାଡ଼ିଗୁଡ଼ିକ ବୃଷଭ ଛକ ପର୍ଯ୍ୟନ୍ତ ଯାଇପାରିବେ । ସେଠାରୁ ଶ୍ରୀମନ୍ଦିର ଅଭିମୁଖେ କୌଣସି ଗାଡ଼ିକୁ ପ୍ରବେଶ ଉପରେ ରୋକ ଲଗାଯାଇଛି ।


Reporterspen