ଯୁବପିଢ଼ିକୁ ବିପଥଗାମୀ କରୁଛି ଅଦୃଶ୍ୟ ଶତ୍ରୁ

Reporterspen

‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ: ‘ଯୁବଶକ୍ତିର ଏକ ହିଁ ସ୍ୱର- ସୁରକ୍ଷିତ ହେବ ଦେଶ ଆମର’
ଜେନ୍‌-ଜି ଓ ଯୁବସମାଜକୁ ଦେଶଭକ୍ତିର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ଆଜିଠୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ସାଢେ ଚାରି କୋଟି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ।

ନିଜ ଅଭିଭାଷଣ ସ୍ୱାଧୀନତା ସଂଗ୍ରାମୀ, ବୀର ଶହୀଦ ଏବଂ ଓଡ଼ିଶାର ଅମର ସପୁତମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୪୨ ଅଗଷ୍ଟ ୯ରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ‘ଭାରତ ଛାଡ଼’ ଆନ୍‌ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା । ଜାତୀୟ ପତାକା ‘ତ୍ରିରଙ୍ଗା’ କେବଳ ତିନୋଟି ରଙ୍ଗର ସମାହାର ନୁହେଁ, ବରଂ ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ, ଗୌରବ ଓ ଆକାଂକ୍ଷାର ପ୍ରତୀକ । କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତ ରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ମଝିରେ ଥିବା ଅଶୋକ ଚକ୍ର ନିରନ୍ତର କର୍ତ୍ତବ୍ୟପଥରେ ଆଗେଇ ଚାଲିବାର ଶିକ୍ଷା ଦିଏ ।

ଏହି ପବିତ୍ର ଜାତୀୟ ଉତ୍ସବକୁ ସମ୍ପୂର୍ଣ୍ଣ ପରିବେଶ-ଅନୁକୂଳ କରିବା ପାଇଁ ପ୍ଲାଷ୍ଟିକ୍ ପତାକାକୁ ସମ୍ପୂର୍ଣ୍ଣ ବର୍ଜନ କରି କେବଳ କପଡ଼ା ପତାକା ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଏକ ବର୍ଣ୍ଣାଢ଼୍ୟ ପଦଯାତ୍ରା ଆୟୋଜିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ଏନ.ସି.ସି. ଏବଂ ଏ.ଏସ.ଏସ.ର ସ୍ୱେଚ୍ଛାସେବୀମାନେ ହାତରେ ତ୍ରିରଙ୍ଗା ଧରି ଶୃଙ୍ଖଳିତ ଭାବେ ପଦଯାତ୍ରା କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଦଳ ନିଜର ପାରମ୍ପରିକ ଲୋକନୃତ୍ୟ ଓ କଳା ପ୍ରଦର୍ଶନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ବିଶିଷ୍ଟ କ୍ରୀଡ଼ାବିତ୍ ଏବଂ ହଜାର ହଜାର ଛାତ୍ରଛାତ୍ରୀ “ବନ୍ଦେ ମାତରମ୍‌” ଓ “ଭାରତ ମାତା କି ଜୟ” ନାରା ଦେଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ରାଜ୍ୟର ‘ଜେନ୍‌-ଜି’ ଓ ଯୁବସମାଜକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଡିଜିଟାଲ୍ ଯୁଗରେ ଆମ ଯୁବପିଢ଼ିକୁ ବିପଥଗାମୀ କରିବାକୁ କିଛି ବାହ୍ୟ ଶକ୍ତି, ଅଦୃଶ୍ୟ ଶତ୍ରୁ, ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଓ ନିଶାଦ୍ରବ୍ୟ ଭଳି କୁପ୍ରଭାବ ସକ୍ରିୟ ରହିଛନ୍ତି । ସେହି ଅଦୃଶ୍ୟ କୁଚକ୍ରୀ ଶକ୍ତି କେବେହେଲେ ନିଜ ଉଦ୍ଦେଶ୍ୟରେ ସଫଳ ହେବେ ନହିଁ । ସେମାନଙ୍କ ମାୟାଜାଲରେ ନପଡ଼ି ଦେଶଭକ୍ତିକୁ ପ୍ରଥମ ସ୍ଥାନ ଦେବାକୁ ସେ ପରାମର୍ଶ ଦେଇଥିଲେ ଦେଇ ସେ “ଯୁବଶକ୍ତିର ଏକ ହିଁ ସ୍ୱର-ସୁରକ୍ଷିତ ହେବ ଦେଶ ଆମର!” ନାରା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ – ୨୦୪୭’ ସଂକଳ୍ପରେ ଓଡ଼ିଶାର ଭୂମିକା ସବୁଠାରୁ ନିର୍ଣ୍ଣାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ରାଜ୍ୟର ଚାଷୀ, ଶ୍ରମିକ, ଯୁବକ ଓ ସ୍ୱାବଲମ୍ବୀ ମହିଳାଙ୍କ ଅବଦାନ ଯୋଗୁଁ ଓଡ଼ିଶା ଦେଶର ଆର୍ଥିକ ଓ ଶିଳ୍ପ ବିକାଶର ପ୍ରମୁଖ ଇଞ୍ଜିନ୍ ପାଲଟିବ । ସ୍ୱାଧୀନତା ଦିବସ ଅବସରରେ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକ ଓ ପୋଲିସ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଗୌରବର ସହ ସମ୍ମାନିତ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍‌ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ମଞ୍ଚାସୀନ ଥିଲେ ।

ଏହା ବ୍ୟତୀତ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି , ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଜେପି ଓଡ଼ିଶାର ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ଏବଂ ବିଜେପି ଓଡ଼ିଶା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୋଭାମଣ୍ଡିତ କରିଥିଲେ ।

ଏହି ସମାରୋହରେ ଓଡ଼ିଶାର ଗୌରବ ତଥା ଆନ୍ତର୍ଜାତୀୟ ସ୍ତରର ଅନ୍ତରଙ୍ଗ କ୍ରୀଡ଼ାବିତ୍ ପ୍ରମୋଦ ଭଗତ, ଅନୁପମା ସ୍ୱାଇଁ, ସୁନୀଲ ପ୍ରଧାନ, ରବି କୁମାର ଏବଂ କମଳା କାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଯୁବସମାଜ ମଧ୍ୟରେ ଦେଶପ୍ରେମ ଓ ଉତ୍ସାହ ଭରିଦେଇଥିଲେ ।


Reporterspen