ରାଜ୍ୟରେ ବଢୁଛି ଅପରାଧୀଙ୍କ ଦୌରାତ୍ମ୍ୟ
ପୋଲିସ ଉପରେ ଆସ୍ଥା ହରାଇଲେଣି ସାଧାରଣ ଜନତା
ଅପରାଧୀଙ୍କ ସୁରକ୍ଷାକବଚ ସାଜୁଛନ୍ତି ବିଜେପି ନେତା
ରଥଯାତ୍ରା ପୂର୍ବରୁ ପୁରୀ ସହର ଅଶାନ୍ତ
ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଓଡିଶା ଏବେ ଘଡିସଦ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ବିଜେପି ରାଜ୍ୟର ଶାସନ ଭାର ନେବା ଦିନଠାରୁ ଦୀର୍ଘ ୨ ବର୍ଷ ହେଲାଣି ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । କେବଳ ଆଇନଶୃଙ୍ଖଳା ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ ଓଡିଶା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛି । ନାରୀ ଅସୁରକ୍ଷିତ, ଚାଷୀ ଅବ୍ୟବସ୍ଥା, ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି, ସାରା ରାଜ୍ୟରେ ମାଫିଆରାଜ, ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି ଆଦି ଘଟଣାମାନ ଏବେ ରାଜ୍ୟବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି ବୋଲି ବିଜେଡି ଅଭିଯୋଗ କରିଛି ।
ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲର ଜୋନାଲ ସହସଂଯୋଜକ ଏସ୍କେ.ନିଜାମୁଦ୍ଦିନ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ବିଜେପି ସରକାରଙ୍କ ଶାସନରେ ରାଜ୍ୟରେ ହତ୍ୟା, ଗୁଳିକାଣ୍ଡ ଓ ସଂଗଠିତ ଅପରାଧ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି । ବାରମ୍ୱାର ଘଟୁଥିବା ଏଭଳି ହିଂସାତ୍ମକ ଅପରାଧ ଯୋଗୁଁ ରାଜ୍ୟବାସୀଙ୍କ ମନରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି ହୋଇଛି ।
ଶ୍ରୀ ବେହେରା କହିଥିଲେ, ସହଦେବଖୁଣ୍ଟା ଥାନାଠାରୁ ମାତ୍ର ୬୦୦ ମିଟର ଦୂରରେ ଦୁର୍ବୃତ୍ତମାନେ ୮ ରାଉଣ୍ଡ ଗୁଳି ଚଳାଇ ଦିନ ଦ୍ୱିପ୍ରହରରେ ବାଲେଶ୍ୱରର ବ୍ୟବସାୟୀ ଶେଖ ହମିଦଙ୍କୁ ନିର୍ମମ ହତ୍ୟା କରାଯାଇଛି । ସେହିପରି ପୁରୀରେ ଜଣେ ହୋଟେଲ ମାଲିକଙ୍କୁ ତାଙ୍କ ମ୍ୟାନେଜର ଓ ସହଯୋଗୀମାନେ ହତ୍ୟା କରିଥିଲେ । ପୁରୀରେ ଏଭଳି ଘଟଣା କେବଳ ଜନସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁନାହିଁ, ବରଂ ପର୍ଯ୍ୟଟକ ଓ ସମ୍ଭାବ୍ୟ ନିବେଶକଙ୍କ ନିକଟରେ ଓଡ଼ିଶାର ଭାବମୂର୍ତ୍ତିକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି । ଅନ୍ୟପଟେ କଟକ ଜିଲ୍ଲାରେ ସନ୍ତରାବାଲି ସରପଞ୍ଚ ମୀତା ଜେନାଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ ସର୍ବସମ୍ମୁଖରେ ହୋଇଥିଲା ଗୁଳିମାଡ଼ । କେବଳ ଏତିକି ନୁହେଁ ତାଙ୍କ ପୁଅଙ୍କ ସହ ଏକ ସେଲୁନରେ ଥିବା ବେଳେ ଅଜଣା ଦୁର୍ବୃତ୍ତମାନେ ଗୁଳି ଚଳାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏ ସମସ୍ତ ଘଟଣା ସ୍ପଷ୍ଟ ହେଉଛି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିଲା ବେଳେ ପୋଲିସ ବିଭାଗ କୋମାକୁ ଚାଲିଯାଇଛି । ମାଣିଆବନ୍ଧ ଏକ ଶାନ୍ତିପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ଥିଲା ଏବଂ ପୂର୍ବରୁ ଏପରି ଅପରାଧିକ ଘଟଣା କେବେ ଘଟିନଥିଲା । ଶାଢ଼ୀ ପାଇଁ ସାରା ଦେଶରେ ପ୍ରସିଦ୍ଧ ଏହି ଅଞ୍ଚଳ ଆଜି ଏହି ଘଟଣା ପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ପହଞ୍ଚିଛି ଏବଂ ସ୍ଥାନୀୟ ଲୋକଙ୍କ ମନରେ ଭୟ ଓ ଅସୁରକ୍ଷାର ଭାବନା ସୃଷ୍ଟି ହୋଇଛି ।
ସେହିପରି ଏସ୍କେ. ନିଜାମୁଦ୍ଦିନ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ଯେକୌଣସି ସରକାରଙ୍କର ସର୍ବପ୍ରଥମ ଦାୟିତ୍ୱ । ଓଡ଼ିଶାବାସୀ ସୁରକ୍ଷା, ନିରାପତ୍ତା ଓ ନ୍ୟାୟ ପାଇବାର ଅଧିକାରୀ । ସଂଖ୍ୟାଲଘୁ ବର୍ତ୍ତମାନ ରାଜ୍ୟରେ ସୁରକ୍ଷିତ ନାହାନ୍ତି । ବାଲେଶ୍ୱରରେ ବ୍ୟବସାୟୀ ଏସ୍କେ. ହମିଦ୍ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ରାଜ୍ୟରେ ଘଟୁଥିବା ସଂଗଠିତ ଅପରାଧକୁ ସରକାର ଯଦି ରୋକିନପାରିବେ ଆଗାମୀ ଦିନରେ ଭୟଙ୍କ ବିରୋଧର ସମ୍ମୁଖୀନ ହେବେ ସରକାର ।
ସେହିପରି ଡ଼. ମହାନ୍ତି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି, ଗତ ୨୩ ତାରିଖରେ ରାଜ୍ୟର ଆଇନମନ୍ତ୍ରୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସୂଚାରରୂପେ ପରିଚାଳନା ନିମନ୍ତେ ସମୀକ୍ଷା ବୈଠକ କରି ଗଣମାଧ୍ୟମକୁ କହିଥିଲେ, ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେବା ସହିତ ଭକ୍ତମାନଙ୍କ ସୁରକ୍ଷାରେ କୌଣସି ଅବହେଳା କରାଯିବ ନାହିଁ । ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ପରଦିନ ଅପରାଧୀମାନେ ଆଇନମନ୍ତ୍ରୀଙ୍କ କଥାକୁ ଖାତିର ନକରି ପୁରୀର ଜଣେ ହୋଟେଲ ବ୍ୟବସାୟଙ୍କୁ ନିର୍ମମ ଭାବେ ହତ୍ୟା କରି ଖସିଯିବାରେ ସଫଳ ହେଲେ । ସେହିପରି ବଡମ୍ବାର ମାଣିଆବଦ୍ଧ ସରପଞ୍ଚଙ୍କ ସ୍ୱାମୀଙ୍କୁ ସର୍ବସମ୍ମୁଖରେ ତାଙ୍କ ପୁଅଙ୍କ ଉପସ୍ଥିତିରେ ଗୁଳି ମାରି ହତ୍ୟା କରିବାକୁ ଉଦ୍ୟମ କରିଥିôବା ଆସାମୀମାନଙ୍କୁ ଧରିବାରେ ଏପର୍ଯ୍ୟନ୍ତ ପୋଲିସ ସକ୍ଷମ ହୋଇନାହିଁ । ରାଜ୍ୟରେ ଏଭଳି ଅପରାଧମାନ କେତେ ଦିନ ଚାଲିବ ବୋଲି ବିଜେପି ସରକାରଙ୍କୁ ବିଜେଡି ପ୍ରଶ୍ନ କରିଛି ।

