ଦେବସ୍ନାନ ପୂର୍ଣ୍ଣିମା ଲାଗି ପୁରୀରେ ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହେବ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଆସନ୍ତା ଜୁନ ୨୯ ତାରିଖରେ ପାଳିତ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମାଞ୍ଚ ଅବସରରେ ଶାନ୍ତିଶୃଙ୍ଖଳା, ସୁରକ୍ଷା ଓ ସୁଚାରୁ ଟ୍ରାଫିକ ପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ଡଃ ସତ୍ୟଜିତ ନାୟକ, ଆଇପିଏସ୍‌, ପୋଲିସ ମହାନିରୀକ୍ଷକ (ଆଇଜିପି), ସେଣ୍ଟ୍ରାଲ ରେଞ୍ଜ, ଓଡ଼ିଶା ଏବଂ  ପ୍ରତୀକ ସିଂହ, ଆଇପିଏସ୍‌, ପୁରୀ ଜିଲ୍ଲା ପୋଲିସ ଅଧୀକ୍ଷକ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ବିସ୍ତୃତ ସମୀକ୍ଷା କରିଥିଲେ ।

ଏହି ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ପରିଚାଳନା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ସହାୟତା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । କ୍ଷେତ୍ରସ୍ତରରେ ନିୟୋଜିତ ପୋଲିସ ବାହିନୀର ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରାଯାଇ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସର୍ବୋଚ୍ଚ ସତର୍କତା ଏବଂ ତତ୍ପରତାର ସହିତ କାର୍ଯ୍ୟ ନିର୍ବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ୩ରୁ ୪ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀ ଆସି ଚତୁର୍ଦ୍ଧା ମୂର୍ତ୍ତି-ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପବିତ୍ର ସ୍ନାନଯାତ୍ରାଞ୍ଚ ଦର୍ଶନ କରିବେ ବୋଲି ଆକଳନ କରାଯାଇଛି ।
ଶ୍ରଦ୍ଧାଳୁମାନଙ୍କ ପାଇଁ ନିରାପଦ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ୨୮ ଜୁନ ରାତ୍ରିଠାରୁ ପୋଲିସ ପକ୍ଷରୁ ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୪ ଜଣ କମାଣ୍ଡାଣ୍ଟ/ଏସ୍‌ପି ପାହ୍ୟାର ଅଧିକାରୀ, ୧୪ ଜଣ ଅତିରିକ୍ତ ଏସ୍‌ପି/ଡେପୁଟି କମାଣ୍ଡାଣ୍ଟ, ୩୧ ଜଣ ଡିଏସ୍‌ପି/ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୮୩ ଜଣ ଇନ୍ସପେକ୍ଟର/ସବ୍‌-ଇନ୍ସପେକ୍ଟର, ୩୪୦ ଜଣ ଏସ୍‌ଆଇ/ଏଏସ୍‌ଆଇ ଏବଂ ୭୯ ପ୍ଲାଟୁନ ପୋଲିସ ବାହିନୀ ସହ ବିଭିନ୍ନ ସ୍ୱତନ୍ତ୍ର ସୁରକ୍ଷା ୟୁନିଟ୍ ନିୟୋଜିତ ହେବେ ।

ସେକ୍ଟରଭିତ୍ତିକ ପୋଲିସ ମୁତୟନ, ଏକମୁଖୀ ଯାତାୟାତ ବ୍ୟବସ୍ଥା, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବ୍ୟାରିକେଡିଂ, ଷ୍ଟ୍ରାଇକିଂ ଫୋର୍ସ ନିୟୋଜନ ଏବଂ ଭିଡ଼ର ନିରନ୍ତର ତଦାରଖ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଯାତାୟାତ ସୁଚାରୁ କରିବା ପାଇଁ ଟ୍ରାଫିକ ଡାଇଭର୍ସନ, ନିର୍ଦ୍ଧାରିତ ପାର୍କିଂ ସ୍ଥାନ ଏବଂ ପୃଥକ ପ୍ରବେଶ ଓ ପ୍ରସ୍ଥାନ ପଥର ବ୍ୟବସ୍ଥା କରାଯାଇଛି ।

ଏହାବ୍ୟତୀତ ଞ୍ଚକ୍ୱିକ୍ ଆକ୍ସନ ଟିମ୍‌, ସ୍ନିଫର ଡଗ୍ ସ୍କ୍ୱାଡ୍‌, ରୁଫ୍‌ଟପ୍ ନଜରଦାରି, ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍‌ଟ୍ରୋଲ ସେଣ୍ଟର  ମାଧ୍ୟମରେ ନିରୀକ୍ଷଣ, ଆଣ୍ଟି-ସାବୋଟାଜ୍ ଯାଞ୍ଚ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାଞ୍ଚ କାର୍ଯ୍ୟକାରୀ କରାଯାଇଛି । ସେହିପରି ହେଲ୍ପ ଡେସ୍କ, ପୋଲିସ କଣ୍‌ଟ୍ରୋଲ ରୁମ୍‌, ଚିକିତ୍ସା ସହାୟତା କେନ୍ଦ୍ର ଏବଂ ବରିଷ୍ଠ ନାଗରିକ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା ଉପଲବ୍ଧ ରହିବ ।

ସମୀକ୍ଷା ସମୟରେ ଡଃ ସତ୍ୟଜିତ ନାୟକ, ଆଇପିଏସ୍ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଶୃଙ୍ଖଳା, ବୃତ୍ତିଗତ ଦକ୍ଷତା ଓ ଜନସେବାର ମନୋଭାବ ସହ କର୍ତ୍ତବ୍ୟ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ, ପ୍ରତ୍ୟେକ ଭକ୍ତ ନିରାପଦ, ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ମହାପ୍ରଭୁଙ୍କ ଦର୍ଶନ କରିପାରିବା ହିଁ ଓଡ଼ିଶା ପୋଲିସର ପ୍ରମୁଖ ଲକ୍ଷ୍ୟ । ସେ ସମସ୍ତ ଶ୍ରଦ୍ଧାଳୁଙ୍କୁ ପୋଲିସ ପ୍ରଶାସନ ସହ ସହଯୋଗ କରିବା, ଟ୍ରାଫିକ ଓ ସୁରକ୍ଷା ପରାମର୍ଶ ପାଳନ କରିବା, ନିର୍ଦ୍ଧାରିତ ମାର୍ଗ ଓ ପାର୍କିଂ ସ୍ଥାନ ବ୍ୟବହାର କରିବା, ନିଷିଦ୍ଧ ସାମଗ୍ରୀ ସାଙ୍ଗରେ ନ ଆଣିବା ଏବଂ କୌଣସି ସନ୍ଦେହଜନକ ଘଟଣା ଦେଖିଲେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀ କିମ୍ବା ହେଲ୍ପ ଡେସ୍କକୁ ଅବଗତ କରିବାକୁ ନିବେଦନ କରିଥିଲେ ।

ପୁରୀ ପୋଲିସ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହ, ଆଇପିଏସ୍ କହିଥିଲେ ଯେ, ଦେବସ୍ନାନ ପୂର୍ଣ୍ଣିମାର ସୁରକ୍ଷା, ସୁଚାରୁ ଟ୍ରାଫିକ ପରିଚାଳନା ଓ ଯେକୌଣସି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ବ୍ୟାପକ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି । ଓଡ଼ିଶା ପୋଲିସ ଦେବସ୍ନାନ ପୂର୍ଣ୍ଣିମା–୨୦୨୬କୁ ସମସ୍ତ ଭକ୍ତଙ୍କ ପାଇଁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ।


Reporterspen