ଭୁବନେଶ୍ୱର, (ରିପୋଟର୍ସ ପେନ୍) : ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖଭବନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ କରିଛନ୍ତି । ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସୁଜାତାଙ୍କୁ ସାମିଲ କରାଯାଇଥିଲେ । ତେବେ ସୁଜାତା ଆଗାମୀ ଦିନରେ ବିଜେଡିର ଉତ୍ତରାଧିକାରୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।
ଶଙ୍ଖ ଭବନରେ ସୁଜାତାଙ୍କୁ ଦଳରେ ସାମିଲ କରି ନବୀନ ଦଳୀୟ ନେତା-କର୍ମୀ ଓ ପରେ ନବୀନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟ ଭାବେ ସୁଜାତା ରାଉତଙ୍କୁ ଦଳରେ ସ୍ୱାଗତ କରୁଛି । ଆଗାମୀ ସାଧାରଣ ନିର୍ବାଚନ ତାଙ୍କ ନେତୃତ୍ୱରେ ବିଜେଡି ଲଢିବ ବୋଲି ସେ ସ୍ପଷ୍ଟ କରିବା ସହ ସୁଜାତା ଜଣେ ଦକ୍ଷ ଆଇଏଏସ୍ ଅଫିସର ଭାବେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି । ସମୟ ବିତିବା ସହ ନିଜର ଏହି ରାଜନୀତିକ କ୍ଷେତ୍ରର ନୂଆ ଦାୟିତ୍ୱରେ ସେ ଅଭ୍ୟସ୍ତ ହେବେ ଓ ବିଶେଷକରି ମହିଳାମାନଙ୍କ ବିକାଶ ପାଇଁ କାମ କରିବେ ବୋଲି ନବୀନ ଆଶା ବ୍ୟକ୍ତ କରିଛନ୍ତି ।
ସୁଜାତା ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାବାସୀଙ୍କ ସେବା କରିବା ପାଇଁ ଏକ ବଡ ସୁଯୋଗ ମିଳିଥିଲା । ଆଜି ବିଜେଡିରେ ସାମିଲ ହୋଇ ପୁଣିଥରେ ତାଙ୍କ ନେତୃତ୍ୱରେ ଓଡିଶା ମାଟିର ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ବେଶ୍ ଆନନ୍ଦିତ । ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଲକ୍ଷ ଲକ୍ଷ କର୍ମୀଙ୍କ ଆଶୀର୍ବାଦରେ ସେ ଓଡିଶାବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ନିଷ୍ଠା, ଆନ୍ତରିକତା ଓ ସମର୍ପଣ ସହିତ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
ତେବେ ଆଜିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରୁ ଆଗଧାଡିର କିଛି ବରିଷ୍ଠ ନେତା ଦୂରେଇ ରହିଥିବାରୁ ନବୀନଙ୍କୁ ଗଣମାଧ୍ୟମ ଆଗରେ ସ୍ପଷ୍ଟୀକରଣ ଦେବାକୁ ପଡିଛି । ସେ ହିଁ ୨୦୨୯ ସାଧାରଣ ନିର୍ବାଚନରେ ଦଳର ନେତୃତ୍ୱ ନେବେ ବୋଲି କହି ସୁଜାତାଙ୍କ ଉତ୍ତରାଧିକାରୀ ଚର୍ଚ୍ଚା ଉପରେ ବ୍ରେକ୍ ଦେବାକୁ ପ୍ରୟାସ କରିଛନ୍ତି । ବିଶେଷକରି ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରିନାରାୟଣ ପାତ୍ର, ପ୍ରଣବପ୍ରକାଶ ଦାସ, ଭୂପିନ୍ଦର ସିଂ, ଶଶୀଭୂଷଣ ବେହେରା, ବିକ୍ରମ କେଶରୀ ଆରୁଖ, ଲତିକା ପ୍ରଧାନ, ଏୟୁ ସିଂହଦେଓ ଓ ତାଙ୍କ ପୁଅ କଳିକେଶ ସିଂହଦେଓ ପ୍ରମୁଖ ଅନୁପସ୍ଥିତ ରହିଥିଲେ ।
ତେବେ ସୁଜାତାଙ୍କର ନାଁ ‘ସୁଜାତା ରାଉତ କାତ୍ତିକେୟନ’ରୁ ‘କାର୍ତ୍ତିକେୟନ’କୁ ବିଜେଡି ବାଦ୍ ଦେଇ କେବଳ ‘ଶ୍ରୀମତୀ ସୁଜାତା ରାଉତ’ ବୋଲି ପ୍ରଚାର କରାଇଛି । ଏପରିକି ନବୀନ ୨୦୨୯ ସାଧାରଣ ନିର୍ବାଚନରେ ଦଳର ନେତୃତ୍ୱ ନେବେ ବୋଲି ଏବେଠୁ ଘୋଷଣା କରିବା ପରୋକ୍ଷରେ ବିଜେଡିର ଭୟକୁ ପଦାରେ ପକାଇ ଦେଇଛି ।
ଉଲ୍ଲେଖଯୋଗ୍ୟ, ୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ସୁଜାତାଙ୍କ ସ୍ୱାମୀ ଭିକେ ପାଣ୍ଡିଆନ ବିଜେଡିରେ ସାମିଲ ହୋଇଥିଲେ । ଆଉ ତା’ପରଠୁ ବିଜେଡି ପକ୍ଷରୁ ତାଙ୍କର ନାଁକୁ ‘କାର୍ତ୍ତିକ ପାଣ୍ଡିଆନ’ ଭାବେ ବେଶ୍ ପ୍ରଚାରପ୍ରସାର କରାଯାଇଥିଲା । ଏପରିକି ୨୦୨୪ ସାଧାରଣ ନିର୍ବାଚନରେ ନବୀନ ବିଜେଡିର ନେତୃତ୍ୱ ନେଉଥିଲେ ମଧ୍ୟ ପାଣ୍ଡିଆନ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ହାଇଜ୍ୟାକ୍ କରିନେଇଥିଲେ । ସାଧାରଣ ନିର୍ବାଚନରେ ନବୀନଙ୍କ ବଦଳରେ ପାଣ୍ଡିଆନ ହିଁ ବିଜେଡି ପାଇଁ ମାରାଥନ୍ ପ୍ରଚାର ଓ ରଣନୀତି ଚୂଡାନ୍ତ କରିଥିଲେ । ଆଉ ଯେଉଁଥିପାଇଁ ବିଜେଡିର ୨୪ ବର୍ଷର ଶାସନର ଅନ୍ତ ଘଟିଥିଲା ।
ପାଣ୍ଡିଆନଙ୍କ ଅଣଓଡିଆ ଚେହେରାକୁ ନେଇ ଓଡିଶାବାସୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଥିଲା । ଯେଉଁଥିପାଇଁ ପାଣ୍ଡିଆନ ଦଳୀୟ ଆକ୍ରୋଶରୁ ବର୍ତ୍ତିବା ପାଇଁ ବାଧ୍ୟ ହୋଇ ନିଜଆଡୁ ‘ସକ୍ରିୟ ରାଜନୀତିରୁ ସନ୍ୟାସ’ ଘୋଷଣା କରିଥିଲେ । ସେବେଠୁ ସେ ପରଦା ପଛରେ ରହି ବିଜେଡିର ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ ଓ ଏବେ ତାଙ୍କ ପତ୍ନୀ ସୁଜାତାଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ କରି ଆନୁଷ୍ଠାନିକ ଭାବେ ଦଳକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଚର୍ଚ୍ଚା ହେଉଛି ।
ଅତୀତରେ ପାଣ୍ଡିଆନଙ୍କ ଅଣଓଡିଆ ଟ୍ୟାଗ୍ ପାଇଁ ଯେଉଁ ଭୁଲ୍ ହୋଇଥିଲା, ପତ୍ନୀ ସୁଜାତାଙ୍କ କ୍ଷେତ୍ରରେ ସେହି ସମାନ ଭୁଲକୁ ନଦୋହରାଇବା ଓ ‘ତାମିଲ ବୋହୂ’ର ଟ୍ୟାଗକୁ ହଟାଇବା ପାଇଁ ସୁଚିନ୍ତିତ ଢଙ୍ଗରେ ସୁଜାତାଙ୍କର ବିଜେଡିରେ ସୁରକ୍ଷିତ ଏଣ୍ଟ୍ରିକୁ ସୁନିଶ୍ଚିତ କରାଯାଇଥିବା ଜଣାପଡିଛି ।

