ଚୋରକୁ ଗଛରେ ବାନ୍ଧି ପିଟିଲେ, ଭିଡିଓ ଭାଇରାଲ

Reporterspen

ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରେ ପଶି ଚୋରି କରିବା ଅଭିଯୋଗରେ ଲୋକେ ଜଣକୁ ଧରି ଗଛରେ ବାନ୍ଧି ନିର୍ଘାତ ମାଡ ମାରିଛନ୍ତି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଭାଇରାଲ ପରେ କେତେକ ଏହାକୁ ସମର୍ଥନ କରିଥିବା ବେଳେ ମାନବାଧିକାର କର୍ମୀମାନେ ଏହାକୁ ‘କଙ୍ଗାରୁ କୋର୍ଟ’ କହିବା ସହ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବାକ୍‌ୁ ଚିନ୍ତା କରୁଛନ୍ତି ।

ସୂଚନା ଅନୁସାରେ, ବାଲିପାଟଣା ଥାନା ବୋଦଖଣ୍ଡି ଗାଁରୁ ଜଣଙ୍କ ଘରୁ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିଲା । ଲୋକେ ଜଣକୁ ସନ୍ଦେହ କରୁଥିବା ବେଳେ ପରଦିନ ସେ ଘର ମାଲିକଙ୍କ ହାବୁଡରେ ପଡିଥିଲା । ସେ ତାକୁ ଡାକି ପଚରାଉଚରା କରୁଥିବା ବେଳେ ଆଖପାଖ ଲୋକ ଜମା ହୋଇଯାଇଥିଲେ । ଏହା ପରେ ଲୋକେ ତାକୁ ଏକ ଗଛରେ ବାନ୍ଧି ନିର୍ଧୁମ ମାଡ ମାରିଥିଲେ । ପରେ ସେ ନିଜ ଦୋଷ ସ୍ୱିକାର କରିଥିଲା । ଦରକାର ଥିବାରୁ ସେ ଚୋରି କରିଥିଲା ଓ ସମସ୍ତ ଜିନିଷ ଫେରାଇବାକୁ କହିଥିଲା । ଖବରପାଇ ପୋଲିସ ପହଞ୍ଚି ତାକୁ ହେପାଜତକୁ ନେଇ ତଦନ୍ତ କରୁଛି ।

ତେବେ ଚୋରକୁ ଗଛରେ ବାନ୍ଧି ନିର୍ଯାତନା ଦିଆଯାଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । କେତେକ ଚୋରକୁ ଏହା ଉପଯୁକ୍ତ ଶାସ୍ତି ବୋଲ କହୁଥିବା ବେଳେ ବୁଦ୍ଧିଜୀବୀମାନେ ଏହାର ପ୍ରତିବାଦ କରିଛନ୍ତି । ଚୋର ହେଲେ ବି ତାର ମାନବିକ ଅଧିକାର ରହିଛି । ତାକୁ ଧରି ପୋଲିସ ଜିମା ଦେବାର ଆବଶ୍ୟକତା ରହିଛି । ମାତ୍ର ଗାଁ ଦାଣ୍ଡରେ ଗଛରେ ବାନ୍ଧି ମାଡ ମାରି ନିର୍ଯାତନା ଦେବା ଆଇନ ଅନୁସାରେ ଅନ୍ୟାୟ ଅଟେ । ତା’ ଦୋଷର ଦଣ୍ଡ ବିଧାନ କରିବାକୁ ଆଇନ ରହିଛି । ଏଣୁ ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି । ଏନେଇ ରାଜ୍ୟ ମାନବଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣେ ମାନବାଧିକାର କର୍ମୀ କହିଛନ୍ତି ।


Reporterspen
!-- afp header code starts here -->