କାମକରୁଥିବା ଅଭିଭାବକ ସାବଧାନ! ନାନୀ ଭରସାରେ ପିଲାକୁ ଛାଡ଼ିବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି ୫ଟି କାମ

Reporterspen

ନୂଆଦିଲ୍ଲୀ: ଆଜିକାଲି ସହରାଞ୍ଚଳରେ ଯୌଥ ପରିବାର ବଦଳରେ ଏକକ ପରିବାରର ଚଳଣି ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଉଭୟ ସ୍ୱାମୀ-ସ୍ତ୍ରୀ ଚାକିରି କରୁଥିବା ପରିବାର ପାଇଁ ନିଜ ପିଲାର ଯତ୍ନ ନେବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏହି ସମସ୍ୟାର ସମାଧାନ ପାଇଁ ଅନେକ ଅଭିଭାବକ ନାନୀ ବା ବେବିସିଟରଙ୍କ ସହାୟତା ନେଉଛନ୍ତି। ତେବେ ପିଲାର ସୁରକ୍ଷା ଓ ଉପଯୁକ୍ତ ଯତ୍ନ ପାଇଁ ନାନୀ ନିଯୁକ୍ତ କରିବା ପୂର୍ବରୁ କିଛି ଜରୁରୀ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

୧. ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ

ପିଲାର ଯତ୍ନ ନେବା ପାଇଁ ନାନୀ ଖୋଜିବା ସମୟରେ ତରବରିଆ ଭାବେ କାହାକୁ ନିଯୁକ୍ତ କରନ୍ତୁ ନାହିଁ। ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟବହାର, କାର୍ଯ୍ୟଶୈଳୀ ଏବଂ ଜରୁରୀ ପରିସ୍ଥିତିରେ ସେ କିପରି ପରିସ୍ଥିତିର ମୁକାବିଲା କରୁଛନ୍ତି, ତାହା ଭଲ ଭାବେ ଯାଞ୍ଚ କରନ୍ତୁ। ପିଲାର ସୁରକ୍ଷା ସହ ଜଡ଼ିତ ଏହି ନିଷ୍ପତ୍ତି ନେବା ପୂର୍ବରୁ ଯଥେଷ୍ଟ ସମୟ ନିଅନ୍ତୁ।

୨. ପ୍ରଥମେ କରନ୍ତୁ ପରିଚୟ ଓ ପୃଷ୍ଠଭୂମି ଯାଞ୍ଚ

ନାନୀଙ୍କୁ ଘରେ ନିଯୁକ୍ତ କରିବା ପୂର୍ବରୁ ତାଙ୍କର ପରିଚୟପତ୍ର, ପୂର୍ବ ଠିକଣା ଏବଂ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ଯାଞ୍ଚ କରନ୍ତୁ। ସମ୍ଭବ ହେଲେ ପୁଲିସ ଭେରିଫିକେସନ୍ ମଧ୍ୟ କରାନ୍ତୁ। କାରଣ, ନାନୀ କେବଳ ଘରେ କାମ କରୁଥିବା ବ୍ୟକ୍ତି ନୁହନ୍ତି; ସେ ଆପଣଙ୍କ ପିଲା ସହ ଦୀର୍ଘ ସମୟ ବିତାଇବେ ଏବଂ ତାଙ୍କ ସହ ଏକ ଭାବନାତ୍ମକ ସମ୍ପର୍କ ମଧ୍ୟ ଗଢ଼ିଉଠିପାରେ। ତେଣୁ ତାଙ୍କ ପୃଷ୍ଠଭୂମି ଯାଞ୍ଚକୁ ଗୁରୁତ୍ୱ ଦିଅନ୍ତୁ।

୩. ପୂର୍ବ ନିଯୁକ୍ତିଦାତାଙ୍କଠାରୁ ନିଅନ୍ତୁ ତଥ୍ୟ

ନାନୀଙ୍କ ସହ ସାକ୍ଷାତ୍‌ ଆଲୋଚନା କରିବା ପରେ ତାଙ୍କର ପୂର୍ବ ଦୁଇ ନିଯୁକ୍ତିଦାତାଙ୍କ ସହ ଯୋଗାଯୋଗ କରି ତଥ୍ୟ ସଂଗ୍ରହ କରନ୍ତୁ। ସେ ପୂର୍ବ କାମ କାହିଁକି ଛାଡ଼ିଥିଲେ, କାମରେ କୌଣସି ଅବହେଳା କରୁଥିଲେ କି ନାହିଁ ଏବଂ ନିୟମ ଓ ଶୃଙ୍ଖଳା ପାଳନ କରୁଥିଲେ କି ନାହିଁ, ଏସବୁ ବିଷୟରେ ପଚାରି ବୁଝନ୍ତୁ। ଏହାଦ୍ୱାରା ତାଙ୍କର କାର୍ଯ୍ୟଦକ୍ଷତା ଓ ଦାୟିତ୍ୱବୋଧ ସମ୍ପର୍କରେ ଧାରଣା ମିଳିପାରିବ।

୪. ଦାୟିତ୍ୱ ଓ ନିୟମ ସ୍ପଷ୍ଟ ଭାବେ ବୁଝାଇ ଦିଅନ୍ତୁ

ନାନୀ ନିଯୁକ୍ତ ହେବା ପରେ ଅନେକ ସମୟରେ କାମକୁ ନେଇ ଭୁଲ୍‌ ବୁଝାମଣା ଦେଖାଦିଏ। କେଉଁ କାମ ତାଙ୍କ ଦାୟିତ୍ୱ ଏବଂ କେଉଁ କାମ କରିବା ଆବଶ୍ୟକ ନାହିଁ, ତାହାକୁ ନେଇ ବିବାଦ ଉପୁଜିପାରେ। ଏପରି ସମସ୍ୟା ଏଡ଼ାଇବା ପାଇଁ ପିଲାର ଖାଦ୍ୟ, ଶୋଇବା ସମୟ, ସ୍ୱଚ୍ଛତା, ଖେଳକୁଦ ଓ ଦୈନନ୍ଦିନ ଯତ୍ନ ସମ୍ପର୍କରେ ସ୍ପଷ୍ଟ ନିୟମ ପ୍ରସ୍ତୁତ କରନ୍ତୁ। ଆବଶ୍ୟକ ହେଲେ ଦାୟିତ୍ୱଗୁଡ଼ିକୁ ଲେଖି ରଖନ୍ତୁ। ଏହାଦ୍ୱାରା କାର୍ଯ୍ୟକୁ ନେଇ ଅନାବଶ୍ୟକ ବିବାଦ କମିବ।

୫. ପ୍ରଥମ ମାସକୁ ରଖନ୍ତୁ ପରୀକ୍ଷାମୂଳକ ସମୟ

ସମସ୍ତ ଯାଞ୍ଚ ପରେ ନାନୀଙ୍କୁ ନିଯୁକ୍ତ କରିଦେଲେ ଯେ ଦାୟିତ୍ୱ ସରିଗଲା, ତାହା ଭାବିବା ଠିକ୍‌ ନୁହେଁ। ପ୍ରଥମ ଏକ ମାସକୁ ପରୀକ୍ଷାମୂଳକ ସମୟ ଭାବେ ରଖନ୍ତୁ। ଏହି ସମୟରେ ପିଲାଙ୍କ ସହ ତାଙ୍କ ବ୍ୟବହାର, ଯତ୍ନ ନେବାର ଶୈଳୀ, ସମୟାନୁବର୍ତ୍ତିତା ଏବଂ ଦାୟିତ୍ୱ ପାଳନ ଉପରେ ନଜର ରଖନ୍ତୁ। ପିଲା ତାଙ୍କ ସହ ସହଜ ଅନୁଭବ କରୁଛି କି ନାହିଁ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ତେବେ କେବଳ ଏକ ମାସର ପରୀକ୍ଷା ଯଥେଷ୍ଟ ନୁହେଁ; ପିଲାର ସୁରକ୍ଷା ପାଇଁ ନିୟମିତ ତଦାରଖ ଜାରି ରଖିବା ଜରୁରୀ।

ପିଲାର ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ

କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅଭିଭାବକମାନେ ପିଲାର ଯତ୍ନ ପାଇଁ ନାନୀଙ୍କ ଉପରେ ନିର୍ଭର କରିବା ସ୍ୱାଭାବିକ। ତେବେ ନାନୀଙ୍କୁ ନିଯୁକ୍ତ କରିବା ପରେ ମଧ୍ୟ ପିଲାର ଦୈନନ୍ଦିନ ଅନୁଭୂତି ଓ ବ୍ୟବହାରରେ ହେଉଥିବା ପରିବର୍ତ୍ତନ ପ୍ରତି ଅଭିଭାବକମାନେ ସଚେତନ ରହିବା ଆବଶ୍ୟକ। ନିୟମିତ ଭାବେ ପିଲା ସହ ସମୟ ବିତାଇବା ଏବଂ ତାଙ୍କ କଥା ଶୁଣିବା ଦ୍ୱାରା ତାଙ୍କ ସୁରକ୍ଷା ଓ ମାନସିକ ସୁସ୍ଥତାକୁ ଅଧିକ ଭଲ ଭାବେ ନିଶ୍ଚିତ କରାଯାଇପାରିବ।


Reporterspen