ନୂଆଦିଲ୍ଲୀ: ଅନେକ ଘରେ ଛୋଟ ପିଲାଙ୍କୁ ପ୍ରଥମେ ଖୁଆଇ ଶୁଆଇ ଦେବା ପରେ ଅଭିଭାବକ ଓ ବଡ଼ ପିଲାମାନେ ଏକାଠି ବସି ଖାଦ୍ୟ ଖାଇଥାନ୍ତି। ତେବେ ପରିବାରର ସମସ୍ତ ସଦସ୍ୟଙ୍କ ସହ ଛୋଟ ପିଲାଙ୍କୁ ଏକାଠି ବସାଇ ଖାଇବାକୁ ଦେବା ଯଦିଓ କିଛିଟା କଷ୍ଟକର ମନେ ହୋଇପାରେ, ଏହାର ଅନେକ ଉପକାରିତା ରହିଛି। ପରିବାର ସହ ଏକାଠି ଖାଇବା ଦ୍ୱାରା ପିଲାଙ୍କ ଖାଦ୍ୟାଭ୍ୟାସରେ ସୁଧାର ଆସିବା ସହ ସେମାନେ ଜୀବନରେ ଉପଯୋଗୀ ଅନେକ ଶିକ୍ଷା ମଧ୍ୟ ପାଇଥାନ୍ତି।
ପରିବାର ସହ ଖାଇବା ଦ୍ୱାରା ପିଲାଙ୍କୁ ମିଳେ ୩ଟି ମୁଖ୍ୟ ଶିକ୍ଷା
୧. ଖାଦ୍ୟ ଖାଇବାରେ ଅଝଟ କମିଥାଏ
ପରିବାର ସହ ଏକାଠି ବସି ଖାଦ୍ୟ ଖାଉଥିବା ଛୋଟ ପିଲାମାନେ ସାଧାରଣତଃ ଖାଇବାକୁ ନେଇ କମ୍ ଅଝଟ କରନ୍ତି। ଏହା ସହ ସେମାନଙ୍କ ମଧ୍ୟରେ ଫଳ ଓ ପନିପରିବା ଖାଇବାର ଅଭ୍ୟାସ ବଢ଼ିପାରେ। ପିଲାଙ୍କୁ ନିଜେ ଖାଦ୍ୟକୁ ଛୁଇଁବା, ଖାଇବା ଏବଂ ତାହାର ରଙ୍ଗ, ଗନ୍ଧ ଓ ସ୍ୱାଦକୁ ଜାଣିବାର ସୁଯୋଗ ଦେଲେ ସେମାନଙ୍କ ଇନ୍ଦ୍ରିୟଗତ ବିକାଶରେ ମଧ୍ୟ ସହାୟତା ମିଳିଥାଏ।
୨. ନିୟମିତ ଖାଦ୍ୟ ଖାଇବାର ଅଭ୍ୟାସ ଗଢ଼ିଉଠେ
ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ପରିବାର ସହ ଖାଦ୍ୟ ଖାଇଲେ ପିଲାଙ୍କ ମଧ୍ୟରେ ଏକ ନିୟମିତ ଦିନଚର୍ଯ୍ୟା ଗଢ଼ିଉଠେ। ଏହାଦ୍ୱାରା ଅଭିଭାବକମାନେ ପିଲାଙ୍କ ଭୋକ ଓ ଖାଦ୍ୟ ଖାଇବାର ଅଭ୍ୟାସକୁ ମଧ୍ୟ ଭଲ ଭାବେ ବୁଝିପାରନ୍ତି। ମୋବାଇଲ୍ କିମ୍ବା ଟିଭି ଦେଖି ଖାଇବା ପରିବର୍ତ୍ତେ ଖାଇବା ଟେବୁଲ୍ରେ ବସି ଖାଇବା ଦ୍ୱାରା ପିଲାଙ୍କ ଧ୍ୟାନ ଖାଦ୍ୟ ପ୍ରତି ରହିଥାଏ। ଏହା ସହ ଆବଶ୍ୟକତାଠାରୁ ଅଧିକ ଖାଇବାର ପ୍ରବୃତ୍ତି ମଧ୍ୟ କମିପାରେ।
୩. ସାମାଜିକ ଶିଷ୍ଟାଚାର ଶିଖନ୍ତି ପିଲା
ପରିବାରର ସମସ୍ତେ ଏକାଠି ବସି ହସଖୁସିରେ ଖାଇବା ଦ୍ୱାରା ପିଲାଙ୍କ ମନରେ ଖାଦ୍ୟ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ହୁଏ। ସେମାନେ କୌଣସି ଚାପ ବିନା ବିଭିନ୍ନ ପ୍ରକାରର ଖାଦ୍ୟର ସ୍ୱାଦ ଚାଖିବାକୁ ସୁଯୋଗ ପାଆନ୍ତି। ଏହା ସହ ଅନ୍ୟମାନଙ୍କ ସହ କିପରି ବସି ଖାଇବାକୁ ହୁଏ, ଚାମଚ ଓ କଣ୍ଟାଚାମଚର ବ୍ୟବହାର କିପରି କରିବାକୁ ହୁଏ ଏବଂ ଅନ୍ୟମାନଙ୍କୁ ଛୋଟ ଛୋଟ କାମରେ କିପରି ସାହାଯ୍ୟ କରିବାକୁ ହୁଏ, ସେସବୁ ଶିଖିବାର ସୁଯୋଗ ମିଳେ।
ପିଲାଙ୍କ ସହ ଖାଇବା ସମୟକୁ କିପରି କରିବେ ସହଜ?
ଡିନର୍ରେ ହିଁ ସାମିଲ କରିବା ଜରୁରୀ ନୁହେଁ: ପିଲାଙ୍କୁ କେବଳ ରାତ୍ରିଭୋଜନ ସମୟରେ ନୁହେଁ, ମଧ୍ୟାହ୍ନଭୋଜନ କିମ୍ବା ରବିବାର ସକାଳ ଜଳଖିଆ ସମୟରେ ମଧ୍ୟ ପରିବାର ସହ ବସାଇ ଖାଇବାକୁ ଦିଅନ୍ତୁ।
ପିଲାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ: ପିଲାଙ୍କ ପାଇଁ ଉପଯୁକ୍ତ ଚେୟାର ବ୍ୟବସ୍ଥା କରନ୍ତୁ। ଚେୟାରରୁ ଖସିପଡ଼ିବା କିମ୍ବା ଆଘାତ ପାଇବାର ଆଶଙ୍କା ଯେପରି ନ ରହେ, ସେଥିପ୍ରତି ସତର୍କ ରୁହନ୍ତୁ।
ପରିବାରର ଖାଦ୍ୟ ହିଁ ପରଷନ୍ତୁ: ପିଲାଙ୍କ ପାଇଁ ଅଲଗା ଖାଦ୍ୟ ପ୍ରସ୍ତୁତ କରିବା ପରିବର୍ତ୍ତେ ପରିବାର ପାଇଁ ରନ୍ଧା ହୋଇଥିବା ଖାଦ୍ୟକୁ ତାଙ୍କ ବୟସ ଅନୁଯାୟୀ ପରଷନ୍ତୁ। ଆବଶ୍ୟକ ହେଲେ ଖାଦ୍ୟର ଆକାର ଓ ଗଠନରେ ପରିବର୍ତ୍ତନ କରନ୍ତୁ। ଉଦାହରଣ ସ୍ୱରୂପ, ଛୋଟ ପିଲାଙ୍କୁ ଗାଜର କିମ୍ବା ଆପଲ୍ ପୂରା ନ ଦେଇ ଉପଯୁକ୍ତ ଭାବେ ଛୋଟ କରି କାଟି କିମ୍ବା ପ୍ୟୁରି କରି ଦିଆଯାଇପାରେ। ବୟସ ଅନୁଯାୟୀ ଖାଦ୍ୟ ଚୟନ କରିବା ସହ ଗଳାରେ ଖାଦ୍ୟ ଅଟକିବାର ଆଶଙ୍କା ଥିବା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।
ଜୋରଜବରଦସ୍ତି ଖୁଆନ୍ତୁ ନାହିଁ: ପିଲାଙ୍କୁ ଥାଳିରେ ଥିବା ସମସ୍ତ ଖାଦ୍ୟ ଶେଷ କରିବାକୁ ଚାପ ପକାନ୍ତୁ ନାହିଁ। ଏହାଦ୍ୱାରା ସେମାନଙ୍କ ମନରେ ଖାଇବା ପ୍ରତି ଚାପ ଓ ନକାରାତ୍ମକ ମନୋଭାବ ସୃଷ୍ଟି ହୋଇପାରେ। ପିଲାଙ୍କ ଭୋକ ଓ ପେଟ ପୂରିବାର ସଙ୍କେତକୁ ବୁଝିବାକୁ ଚେଷ୍ଟା କରନ୍ତୁ।
ଖାଦ୍ୟ ଖାଇବା ସମୟରେ ଅପରିଷ୍କାରକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ: ଖାଇବା ସମୟରେ ପିଲାଙ୍କ ପୋଷାକ କିମ୍ବା ଟେବୁଲ୍ ଅପରିଷ୍କାର ହୋଇଗଲେ ଅତ୍ୟଧିକ ବିରକ୍ତ ହୁଅନ୍ତୁ ନାହିଁ। ଖାଦ୍ୟକୁ ଛୁଇଁବା ଓ ନିଜେ ଖାଇବାର ଅଭ୍ୟାସ ପିଲାଙ୍କ ଶିଖିବା ପ୍ରକ୍ରିୟାର ଏକ ଅଂଶ। ତେଣୁ ସେମାନଙ୍କୁ ସହଜ ପରିବେଶ ଦିଅନ୍ତୁ।
ପରିବାର ସହ ଏକାଠି ଖାଇବା କେବଳ ଭୋଜନ ନୁହେଁ, ଏହା ପିଲାଙ୍କୁ ଶୃଙ୍ଖଳା, ସହଯୋଗ ଓ ସାମାଜିକ ବ୍ୟବହାର ଶିଖାଇବାର ଏକ ସୁନ୍ଦର ମାଧ୍ୟମ। ତେଣୁ ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ପ୍ରତିଦିନ କିଛି ସମୟ ପରିବାର ସହ ଏକାଠି ଖାଇବା ପାଇଁ ରଖିବା ଉଚିତ।

