ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ୩,୮୫୫.୩୮ କୋଟି ଟଙ୍କାର ୨୨ଟି ଶିଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ଓଡ଼ିଶା ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ପ୍ରସ୍ତାବଗୁଡ଼ିକ ମାଧ୍ୟମରେ ୭,୭୬୫ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୧୫୧ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରୀ କର୍ତ୍ତୃପକ୍ଷ (ଏସଏଲଏସଡବ୍ଲୁସିଏ) ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି ।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପର୍ଯ୍ୟଟନ, ଜୈବ ଇନ୍ଧନ, ଉତ୍ପାଦନ, ମହାକାଶ ଓ ପ୍ରତିରକ୍ଷା, ରସାୟନ ଓ ପେଟ୍ରୋରସାୟନ, ଭିତ୍ତିଭୂମି, ପ୍ଲାଷ୍ଟିକ୍, ଔଷଧ, ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର, ଇସ୍ପାତ ଡାଉନଷ୍ଟ୍ରିମ୍ ଶିଳ୍ପ, କାଗଜ ଓ ପ୍ୟାକେଜିଂ ଆଦି ୧୧ଟି କ୍ଷେତ୍ର ରହିଛି । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ୧୨ଟି ଜିଲ୍ଲା ଅନୁଗୋଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରତିଷ୍ଠା ହେବ।
କାଗଜ, ପ୍ୟାକେଜିଂ ଓ ପ୍ଲାଷ୍ଟିକ୍ କ୍ଷେତ୍ରରେ ଦୁଇଟି ପ୍ରମୁଖ ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ଏହି ଦୁଇଟି ପ୍ରକଳ୍ପରେ ମୋଟ ୧,୦୨୯.୯୧ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧,୯୬୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଲିଶା ଟୋରେଣ୍ଟ କ୍ଲୋଜର୍ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ନୟାଗଡ଼ରେ ୫୨୯.୯୧ କୋଟି ଟଙ୍କା ବିନିଯୋଗ କରି ବୋତଲରେ ଭର୍ତ୍ତି ପାନୀୟ ପାଇଁ ଠିପି ଓ ସିଲ୍ ନିର୍ମାଣ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି ।ଷ୍ଟାର୍କ ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାଠାରେ କାଗଜ ଓ କାଗଜଜାତ ଦ୍ରବ୍ୟ ଉତ୍ପାଦନ ପାଇଁ ଏକ ଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରିବା ନିମନ୍ତେ ୫୦୦ କୋଟି ଟଙ୍କା ବିନିଯୋଗ କରିବ ।
ସଂକୁଚିତ ଜୈବ ଗ୍ୟାସ୍ (ସିବିଜି) ସମ୍ବନ୍ଧୀୟ ତିନୋଟି ପ୍ରସ୍ତାବିତ ପ୍ରକଳ୍ପରେ ମୋଟ ୬୮୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୯୮୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ପ୍ରକଳ୍ପଗୁଡ଼ିକ ଅନୁଗୋଳ, ଯାଜପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ପ୍ରତିଷ୍ଠା କରାଯିବାକୁ ପ୍ରସ୍ତାବ ରହିଛି । ଇସ୍ପାତ ଆନୁଷଙ୍ଗିକ ଶିଳ୍ପ ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ତିନୋଟି ପ୍ରକଳ୍ପ ପାଇଁ ମୋଟ ୩୨୩.୮୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ।
ରସାୟନ ଓ ପେଟ୍ରୋ ରସାୟନ କ୍ଷେତ୍ରରେ ୨୨୫ କୋଟି ଟଙ୍କାର ଦୁଇଟି ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୪୦୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆରିଶ୍ କୋଟିଂ ଟେକ୍ନୋଲୋଜି ଏଲ୍ଏଲ୍ପି ଖୋର୍ଦ୍ଧା ଜିଲ୍ଲାରେ ଶିଳ୍ପରେ ବ୍ୟବହୃତ ରଙ୍ଗ ଉତ୍ପାଦନ ପାଇଁ ଏକ କାରଖାନା ସ୍ଥାପନ କରିବ । ସେହିପରି, ପ୍ରୋଏକ୍ ଏନର୍ଜି ଲିମିଟେଡ୍ ଭଦ୍ରକ ଜିଲ୍ଲାରେ ୧୭୫ କୋଟି ଟଙ୍କା ବିନିଯୋଗ କରି ବାର୍ଷିକ ୧୮,୦୦୦ ମେଟ୍ରିକ୍ ଟନ୍ କାଲସିନ୍ଡ୍ ପେଟ୍ରୋଲିୟମ୍ କୋକ୍ ଏବଂ ୯,୦୦୦ ମେଟ୍ରିକ୍ ଟନ୍ ଗ୍ରାଫାଇଟାଇଜ୍ଡ୍ ପେଟ୍ରୋଲିୟମ୍ କୋକ୍ ଉତ୍ପାଦନ କରିବ । ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ପ୍ରସ୍ତାବିତ ପ୍ରକଳ୍ପ ମାଧ୍ୟମରେ ୧୧୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧,୧୭୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଷ୍ଟୋନହକ୍ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍ ଡ୍ରୋନ୍ ଓ ମାନବବିହୀନ ବିମାନ ପ୍ରଣାଳୀ ଉତ୍ପାଦନ ପାଇଁ ଏକ ସମନ୍ୱିତ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ୬୫ କୋଟି ଟଙ୍କା ବିନିଯୋଗ କରିବ । ସେହିପରି, କ୍ଲାସିକ୍ ଟେକ୍ନୋଲୋଜିଷ୍ଟିକ୍ସ ଆଣ୍ଡ ଟ୍ରେଡ୍ ପ୍ରାଇଭେଟ୍ ଲିମିଟେଡ୍ ଏକ ସମନ୍ୱିତ ମହାକାଶ ଉପକରଣ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୫୨ କୋଟି ଟଙ୍କା ନିବେଶ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ୩୭୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଔଷଧ ଶିଳ୍ପରେ ଉତ୍ପାଦନ କ୍ଷମତାର ସୁଦୃଢ଼ୀକରଣ ସ୍ୱରୂପ ଅମୃତାଶ ହେଲଥ୍ କେୟାର ପ୍ରାଇଭେଟ୍ ଲିମିଟେଡ୍ , ୟୁନିଟ୍–୨ ଖୋର୍ଦ୍ଧାଠାରେ ଔଷଧ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୧୫୨.୬୯ କୋଟି ଟଙ୍କା ବିନିଯୋଗ କରିବ । ପରିବହନ ଓ ସାମଗ୍ରୀ ପରିଚାଳନା ଭିତ୍ତିଭୂମି କ୍ଷେତ୍ରରେ ଆର୍ବି ଆବୋଡ୍ସ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମ ଜିଲ୍ଲାରେ ୨୦୯.୩୫ କୋଟି ଟଙ୍କା ବିନିଯୋଗରେ ଏକ ସମନ୍ୱିତ ଲଜିଷ୍ଟିକ୍ସ ପାର୍କ ପ୍ରତିଷ୍ଠା କରିବ ।
ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଆତିଥେୟତା ଓ ପର୍ଯ୍ୟଟନସ୍ଥଳୀ ବିକାଶକୁ ଗୁରୁତ୍ୱ ଦୃଷ୍ଟିରୁ ମୋଟ ୧,୦୩୫.୬୨ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୬ଟି ପ୍ରକଳ୍ପ ପ୍ରସ୍ତାବ ରହିଛି । ଏଥିରେ ଖୋର୍ଦ୍ଧା, ଝାରସୁଗୁଡ଼ା, ପୁରୀ ଓ କଟକ ଜିଲ୍ଲାରେ ହୋଟେଲ୍, ବିଳାସପୂର୍ଣ୍ଣ ରିସୋର୍ଟ ଏବଂ ଏକ ସମ୍ମିଳନୀ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ରହିଛି । ଲିଣ୍ଡେ ସାଉଥ୍ ଏସିଆ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା ଜିଲ୍ଲାରେ ପରିବହନ କାର୍ଯ୍ୟ ପରିଚାଳନା ଓ ଦୂରସ୍ଥ କାର୍ଯ୍ୟ ପରିଚାଳନା ନିମନ୍ତେ ଏକ ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବ । ଏଥିପାଇଁ ୮୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଥିବାବେଳେ ୨୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।

