ଇସଲାମାବାଦ: ଇସଲାମାବାଦ ବିସ୍ଫୋରଣ ପରେ, ଶ୍ରୀଲଙ୍କା କ୍ରିକେଟ ଦଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଇସଲାମାବାଦ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।
ଫଳସ୍ୱରୂପ, ଅନେକ ଶ୍ରୀଲଙ୍କା କ୍ରିକେଟର ସିରିଜର ବାକି ଦିନିକିଆ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲେ । ଯଦିଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତାର ଖେଳାଳିମାନଙ୍କୁ ସେମାନଙ୍କର ସୁରକ୍ଷାର ଆଶ୍ୱାସନା ଦେଇଥିଲା, କିନ୍ତୁ ସିରିଜ୍ ମଝିରେ ଛାଡିବା ପାଇଁ ଦଣ୍ଡବିଧାନର ଚେତାବନୀ ମଧ୍ୟ ଦେଇଥିଲା । ଏହା ପ୍ରଥମ ଥର ନୁହେଁ ଯେତେବେଳେ ଶ୍ରୀଲଙ୍କା କ୍ରିକେଟରମାନେ ପାକିସ୍ତାନରେ ଭୟ ଅନୁଭବ କରିଛନ୍ତି । ପ୍ରାୟ ୧୬ ବର୍ଷ ପୂର୍ବେ ଏକ ଆତଙ୍କବାଦୀ ଆକ୍ରମଣ କ୍ରିକେଟ୍ ଜଗତକୁ ଥରାଇ ଦେଇଥିଲା ।
ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ
ଏହି ଘଟଣା ୨୦୦୯ ମସିହାରେ ଘଟିଥିଲା, ଯେତେବେଳେ ଶ୍ରୀଲଙ୍କା ଦଳ ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ପାକିସ୍ତାନ ଗସ୍ତ କରିଥିଲା । ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଲାହୋରରେ ଖେଳାଯାଉଥିଲା, ଯାହା ୧-୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାକୁ ଥିଲା । ଏହି ସମୟରେ, ୩ ମାର୍ଚ୍ଚ ସକାଳେ, ଶ୍ରୀଲଙ୍କା କ୍ରିକେଟ୍ ଦଳ ବସ୍ ଯୋଗେ ଗଦ୍ଦାଫି ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଥିଲା । ଏହି ସମୟରେ ୧୨ ଜଣ ସଶସ୍ତ୍ର ଆତଙ୍କବାଦୀ ଲିବର୍ଟି ସ୍କୋୟାର ନିକଟରେ ଦଳର ବସ୍ ପାଇଁ ଅପେକ୍ଷା କରିଥିଲେ ।
୭ ଜଣ ଶ୍ରୀଲଙ୍କା ଖେଳାଳି ଆହତ
ଏହି ଆକ୍ରମଣରେ ତତ୍କାଳୀନ ଶ୍ରୀଲଙ୍କା ଅଧିନାୟକ ମାହେଲା ଜୟବର୍ଦ୍ଧନେ ଏବଂ ଉପ-ଅଧିନାୟକ କୁମାର ସାଙ୍ଗାକାରା ସମେତ ସାତ ଜଣ ଖେଳାଳି ଆହତ ହୋଇଥିଲେ । ଏହି ସାତ ଜଣ ଖେଳାଳି ହେଲେ ମାହେଲା ଜୟବର୍ଦ୍ଧନେ, କୁମାର ସାଙ୍ଗାକାରା, ଅଜନ୍ତା ମେଣ୍ଡିସ୍, ଥିଲାନ୍ ସମରବୀରା, ଥରଙ୍ଗା ପାରାନାବିତାନା, ଚାମିଣ୍ଡା ଭାସ୍ ଏବଂ ସୁରଙ୍ଗା ଲାକମଲ୍ । ସମରବୀରା ଏବଂ ପାରାନାବିତାନା ଗୁରୁତର ଆହତ ହୋଇଥିଲେ ଏବଂ କିଛି ସମୟ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନ୍ୟ କ୍ରିକେଟରମାନେ ସାମାନ୍ୟ ଆହତ ହୋଇଥିଲେ ।
୬ ଜଣ ପୋଲିସ କର୍ମଚାରୀ ସହିଦ
ଆତଙ୍କବାଦୀମାନେ ଶ୍ରୀଲଙ୍କା କ୍ରିକେଟ୍ ଦଳର ବସ୍ ଉପରେ ଅତଙ୍କବାଦୀ ଗୁଳି ଚଳାଇଥିଲେ । ପୋଲିସ ପାଲଟା ଗୁଳି ଚଳାଇ ଦଳର ସୁରକ୍ଷା ସୁନିଶ୍ଚିତ କରିଥିଲା, କିନ୍ତୁ ଏହି ଅଭିଯାନରେ ଛଅ ଜଣ ପୋଲିସ କର୍ମଚାରୀ ଏବଂ ଦୁଇ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ୨୦ ମିନିଟ୍ ସଂଘର୍ଷ ପରେ, ଆତଙ୍କବାଦୀମାନେ ସେଠାରୁ ପଳାଇ ଯାଇଥିଲେ, କିନ୍ତୁ ରକେଟ୍ ଲଞ୍ଚର୍ ଏବଂ ଗୁଳି ସେଠାରେ ଛାଡି ଦେଇଥିଲେ ।

