ଅକଲାଣ୍ଡ: ଦିନିକିଆ କ୍ରିକେଟ୍ରେ ରନ୍ ଚେଜ୍ ମାମଲାରେ ନୂଆ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି ଭାରତୀୟ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି। ‘ଚେଜ୍ ମାଷ୍ଟର’ ଭାବେ ପରିଚିତ କୋହଲି ବୁଧବାର (୦୪ ନଭେମ୍ବର) ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୭୪ ରନ୍ର ଚମତ୍କାର ଇନିଂସ ଖେଳି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଏଥିସହ ସେ ଭାରତୀୟ କ୍ରିକେଟ୍ର କିମ୍ବଦନ୍ତୀ ବ୍ୟାଟର୍ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ୍ରେ କୋହଲି ୫୧ ବଲ୍ରୁ ୧୩ଟି ଚୌକା ଓ ଗୋଟିଏ ଛକା ସହ ୭୪ ରନ୍ କରିଥିଲେ। ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୪୫.୧୦ ରହିଥିଲା। ଏହି ଇନିଂସ ସହ ଦିନିକିଆରେ ଲକ୍ଷ୍ୟ ପିଛା କରିବା ସମୟରେ ସର୍ବାଧିକ ରନ୍ ସଂଗ୍ରହ କରିବାରେ କୋହଲି ବିଶ୍ୱର ଏକ ନମ୍ବର ବ୍ୟାଟର୍ ହୋଇଛନ୍ତି।
ଦିନିକିଆରେ ରନ୍ ଚେଜ୍ କରି କୋହଲି ଏପର୍ଯ୍ୟନ୍ତ ୬୬.୫୪ ହାରରେ ମୋଟ ୮୭୨୧ ରନ୍ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ସଚିନ ତେନ୍ଦୁଲକର ୪୨.୨୩ ହାରରେ ୮୭୨୦ ରନ୍ କରି ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଏହି ତାଲିକାରେ ରୋହିତ ଶର୍ମା ୬୮୦୧ ରନ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି।
ସୂଚନାଯୋଗ୍ୟ, ବିରାଟ କୋହଲି ଏବେ କେବଳ ଭାରତ ପାଇଁ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି। ସେ ୨୦୨୪ରେ ଟି-୨୦ ଅନ୍ତର୍ଜାତୀୟ ଏବଂ ୨୦୨୫ରେ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଥିଲେ। ଏପର୍ଯ୍ୟନ୍ତ ସେ ୩୧୭ଟି ଦିନିକିଆ ମ୍ୟାଚ୍ ଖେଳି ୩୦୫ଟି ଇନିଂସରେ ୫୮.୭୮ ହାରରେ ୧୫,୧୦୯ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୫୫ଟି ଶତକ ଓ ୭୯ଟି ଅର୍ଦ୍ଧଶତକ ରହିଛି। ଦିନିକିଆରେ ତାଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୮୩ ରନ୍।
ସହଜରେ ପ୍ରଥମ ଦିନିକିଆ ଜିତିଲା ଭାରତ
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪୦.୨ ଓଭରରେ ୧୮୫ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଓପନର୍ ଟିମ୍ ସିଫର୍ଟ ୩ଟି ଚୌକା ଓ ୨ଟି ଛକା ସହ ୩୮ ରନ୍ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଗୁରନୂର ବରାର ୩ଟି ଏବଂ ଅଂଶୁଲ କାମ୍ବୋଜ ୨ଟି ୱିକେଟ୍ ଅକ୍ତିଆର କରିଥିଲେ।
ଜବାବରେ ଭାରତୀୟ ଇନିଂସ ସମୟରେ ବର୍ଷା ବାରମ୍ବାର ବାଧା ସୃଷ୍ଟି କରିଥିଲା। ଫଳରେ ଡିଏଲ୍ଏସ୍ ନିୟମ ଅନୁସାରେ ଭାରତକୁ ୩୨ ଓଭରରେ ୧୪୩ ରନ୍ର ସଂଶୋଧିତ ଲକ୍ଷ୍ୟ ମିଳିଥିଲା। ଭାରତ ୨୨.୪ ଓଭରରେ ୫ଟି ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା।
ବିରାଟ କୋହଲି ୭୪ ରନ୍ର ସର୍ବାଧିକ ଇନିଂସ ଖେଳିଥିବା ବେଳେ ଅଧିନାୟକ ଶୁଭମନ ଗିଲ୍ ୩୭ ରନ୍ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ୍ ପାଇଁ ୧୦୪ ବଲ୍ରୁ ୧୧୩ ରନ୍ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି ଗଢ଼ି ଭାରତର ବିଜୟକୁ ସହଜ କରିଥିଲେ।

