Rohit Sharma: ଦିନିଆରେ ସର୍ବାଧିକ ଛକା ମାରି ରୋହିତ ଶର୍ମା ପାଲଟିଲେ ‘ସିକ୍ସର କିଙ୍ଗ’

Reporterspen

Rohit Sharma: ନୂଆଦିଲ୍ଲୀ,୩୦ ।୧୧: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ଏବଂ ଷ୍ଟାର କ୍ରିକେଟର ରୋହିତ ଶର୍ମା ଆଉ ଏକ ଇତିହାସ ରଚିଛନ୍ତି । ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆରେ ଶହିଦ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗି ଏକଦିବସୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି । ରୋହିତ ଏବେ ଏକଦିବସୀୟ କ୍ରିକେଟରେ ‘ସିକ୍ସର କିଙ୍ଗ’ ଆଖ୍ୟା ପାଇଛନ୍ତି । ତାଙ୍କର ଏହି ସଫଳତା ଭାରତର ଇନିଂସକୁ ଆହୁରି ମଜବୁତ କରିଛି ଏବଂ ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକ ପୁଣି ଥରେ ତାଙ୍କର ଶକ୍ତିଶାଳୀ ଫର୍ମର ଝଲକ ଦେଖିବାକୁ ପାଇଛନ୍ତି ।

ଆଫ୍ରିଦିଙ୍କ ଦୀର୍ଘ ବର୍ଷର ରେକର୍ଡକୁ ହିଟମ୍ୟାନ୍ ଭାଙ୍ଗିଦେଇଛନ୍ତି । ରୋହିତ ଏବେ ଦିନିକିଆରେ ମୋଟ ୩୫୨ଟି ଛକା ମାରିଛନ୍ତି । ସେ ୨୭୭ ଟି ମ୍ୟାଚ୍ ଏବଂ ୨୬୯ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ, ଆଫ୍ରିଦି ୩୯୮ ଟି ମ୍ୟାଚ୍ ରେ ୩୫୧ ଟି ଛକା ମାରି ଦୀର୍ଘ ସମୟ ଧରି ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ରୋହିତ ପ୍ରାୟ ଦଶ ବର୍ଷ ଧରି ରହିଥିବା ଏହି ରେକର୍ଡକୁ ପଛରେ ପକାଇ ଦିନିକିଆରେ ସର୍ବାଧିକ ଛକା ମାରିବା ବ୍ୟାଟର ହୋଇଛନ୍ତି ।

ଦିନିିକିଆ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ
୩୫୨- ରୋହିତ ଶର୍ମା, ଭାରତ
୩୫୧-ଶାହଦି ଆଫ୍ରିଦି, ପାକିସ୍ତାନ
୩୩୧- କ୍ରିସ୍ ଗେଲ୍‌, ୱେଷ୍ଟଇଣ୍ଡିଜ୍‌
୨୭୦-ସନଥ୍ ଜୟସୂର୍ଯ୍ୟା,ଶ୍ରୀଲଙ୍କା
୨୨୯-ଏମ୍‌ଏସ୍ ଧୋନୀ, ଭାରତ

ରୋହିତ ଏହି ମ୍ୟାଚ୍‌ରେ ୫ଟି ଚୌକା ଏବଂ ୩ଟି ଛକା ମାରି ୫୧ ବଲ୍‌ରେ ୫୭ ରନ୍ କରିଛନ୍ତି । ରୋହିତ ଏବଂ ବିରାଟ କୋହଲିଙ୍କ ଭିତରେ ଦ୍ୱିତୀୟ ୱିକେଟ୍ ପାଇଁ ୧୩୬ ରନ୍‌ର ଦମଦାର ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ରୋହିତଙ୍କୁ ମାର୍କୋ ଜନସନ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ । ରୋହିତ ଲଗାତାର ତୃତୀୟ ୱାନଡେ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ରେ ୫୦ରୁ ଅଧିକ ରନ୍ କରିଛନ୍ତି । ୩୮ ବର୍ଷୀୟ ରୋହିତ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଆଉ ଏକ ଐତିହାସିକ ଉପଲବ୍ଧିର ଖୁବ୍ ନିକଟତର ହୋଇଛନ୍ତି । ‘ହିଟମ୍ୟାନ୍ ଦୁନିଆର ପ୍ରଥମ ଏଭଳି ବ୍ୟାଟର ହୋଇପାରନ୍ତି, ଯିଏକି ୬୫୦ ଇଣ୍ଟରନ୍ୟାସନାଲ ଛକା ପୂରଣ କରିପାରନ୍ତି । ବର୍ତ୍ତମାନ ତାଙ୍କ ନାଁରେ ୬୪୫ ଛକା ରହିଛି । ଏହି ରେକର୍ଡ ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ ତାଙ୍କୁ ମାତ୍ର ୫ଟି ଛକା ଆବଶ୍ୟକତା ରହିଛି । ସବୁଠାରୁ ଖାସ୍ କଥା ଏହା ଯେ, ଦୁନିଆର କେ?ଣସି ବି ବ୍ୟାଟର ଏପର୍ଯ୍ୟନ୍ତ ୬୦୦ ଛକା ମାରିବାରେ ସଫଳ ହୋଇପାରି ନାହାଁନ୍ତି । କ୍ରିସ୍ ଗେଲ୍ ଏପର୍ଯ୍ୟନ୍ତ ୫୫୩ ଛକା ମାରିବାରେ ସଫଳ ହୋଇଛନ୍ତି, ଯାହାକି ରୋହିତଙ୍କଠାରୁ ଖୁବ୍ କମ୍ ।


Reporterspen