ଭୁବନେଶ୍ୱର: ଦୀପ ଓ ଆଲୋକ ବିନା ଦୀପାବଳିର ପର୍ବ ଅଧୁରା। ଏହି ଅବସରରେ ଲୋକେ ଘରର ମୁଖ୍ୟ ଦ୍ୱାରଠାରୁ ଆରମ୍ଭ କରି ବାଲକୋନି, ପୂଜାଘର ଓ ଛାତ ପର୍ଯ୍ୟନ୍ତ ଦୀପ ଜାଳି ସଜାଇଥାନ୍ତି। ଘରକୁ ସୁନ୍ଦର କରିବା ପାଇଁ ଅନେକେ ଝରକା, ଆସବାବପତ୍ର ଓ ପାହାଚ ନିକଟରେ ମଧ୍ୟ ଦୀପ ରଖିଥାନ୍ତି। କିନ୍ତୁ ସାମାନ୍ୟ ଅସାବଧାନତା ଯୋଗୁଁ ଏହି ସାଜସଜ୍ଜା ବଡ଼ ଅଘଟଣର କାରଣ ହୋଇପାରେ। ତେଣୁ ଦୀପ ଜାଳିବା ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଜରୁରୀ।
ପରଦା, ସୋଫା ଓ ବିଦ୍ୟୁତ୍ ସୁଇଚ୍ ବୋର୍ଡ ନିକଟରେ ରଖନ୍ତୁ ନାହିଁ ଦୀପ
ଘରେ ଥିବା ପରଦା, ସୋଫା, ବିଛଣା ଚାଦର ଓ କୁସନ୍ ଭଳି ସାମଗ୍ରୀ ସହଜରେ ନିଆଁ ଧରିଥାଏ। ବେଳେବେଳେ ପବନରେ ପରଦା ହଲି ଜଳୁଥିବା ଦୀପ ସଂସ୍ପର୍ଶରେ ଆସି ନିଆଁ ଲାଗିବାର ଆଶଙ୍କା ରହିଥାଏ। ତେଣୁ ଏସବୁ ଜିନିଷଠାରୁ ଯଥେଷ୍ଟ ଦୂରରେ ଦୀପ ରଖନ୍ତୁ।
ସେହିପରି ବିଦ୍ୟୁତ୍ ସୁଇଚ୍ ବୋର୍ଡ, ଖୋଲା ତାର, ଏକ୍ସଟେନ୍ସନ୍ ବୋର୍ଡ ଓ ବୈଦ୍ୟୁତିକ ଉପକରଣ ନିକଟରେ ଦୀପ ଜାଳିବାରୁ ଦୂରେଇ ରୁହନ୍ତୁ। ଦୀପର ନିଆଁ ଯୋଗୁଁ ନିକଟରେ ଥିବା ଦହନଶୀଳ ସାମଗ୍ରୀରେ ନିଆଁ ଲାଗିପାରେ। ଘର ସଜାଇବା ପାଇଁ ଲଗାଯାଇଥିବା ଝିଲିମିଲି ଲାଇଟ୍ ନିକଟରେ ମଧ୍ୟ ଦୀପ ରଖନ୍ତୁ ନାହିଁ। ଦୀପକୁ ସର୍ବଦା ମଜବୁତ୍ ଓ ସମତଳ ସ୍ଥାନରେ ରଖନ୍ତୁ, ଯେପରି ତାହା ଓଲଟି ପଡ଼ିବାର ଆଶଙ୍କା ନ ଥାଏ।
ରୋଷେଇ ଘର, ଗ୍ୟାସ୍ ସିଲିଣ୍ଡର ଓ ଯାତାୟାତ ପଥରେ ରୁହନ୍ତୁ ସତର୍କ
ରୋଷେଇ ଘରେ ଗ୍ୟାସ୍ ଚୁଲା, ସିଲିଣ୍ଡର, ରନ୍ଧନ ତେଲ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ରହିଥାଏ। ତେଣୁ ଗ୍ୟାସ୍ ଚୁଲା କିମ୍ବା ସିଲିଣ୍ଡର ନିକଟରେ ଦୀପ ଜାଳିବା ବିପଜ୍ଜନକ ହୋଇପାରେ। ରୋଷେଇ ଘରେ ପୂଜା କରିବାକୁ ହେଲେ ଗ୍ୟାସ୍ ଓ ତେଲଠାରୁ ଦୂରରେ ଏକ ସୁରକ୍ଷିତ ସ୍ଥାନରେ ଦୀପ ରଖନ୍ତୁ।
ଏହାବ୍ୟତୀତ ଘରର ମୁଖ୍ୟ ଦ୍ୱାର, ପାହାଚ ଓ କରିଡର୍ରେ ଏପରି ଭାବେ ଦୀପ ରଖନ୍ତୁ ନାହିଁ, ଯାହା ଯାତାୟାତ ସମୟରେ କାହାର ପାଦରେ ବାଜି ଓଲଟି ପଡ଼ିବ। ଛୋଟ ପିଲା ଓ ଗୃହପାଳିତ ପଶୁମାନେ ଖେଳିବା ସମୟରେ ମଧ୍ୟ ଦୀପକୁ ଫିଙ୍ଗି ଦେଇପାରନ୍ତି। ତେଣୁ ଦୀପକୁ ଯାତାୟାତ ପଥଠାରୁ ଦୂରରେ ରଖିବା ସହ ପିଲାମାନଙ୍କୁ ଜଳୁଥିବା ଦୀପ ନିକଟରେ ଏକୁଟିଆ ଛାଡ଼ନ୍ତୁ ନାହିଁ।
ଦୀପ ଜାଳିବା ସମୟରେ ଏହି ସତର୍କତା ଅବଲମ୍ବନ କରନ୍ତୁ
– ସବୁବେଳେ ମଜବୁତ୍ ଓ ସମତଳ ସ୍ଥାନରେ ଦୀପ ରଖନ୍ତୁ।
– ଦୀପ ନିକଟରେ କାଗଜ, କପଡ଼ା, ପ୍ଲାଷ୍ଟିକ୍ ଓ ଅନ୍ୟ ଦହନଶୀଳ ସାମଗ୍ରୀ ରଖନ୍ତୁ ନାହିଁ।
– ଦୀପକୁ ଏପରି ସ୍ଥାନରେ ଜାଳନ୍ତୁ, ଯେଉଁଠାରେ ତାହା କାହା ଦେହରେ ବାଜିବା କିମ୍ବା ଓଲଟି ପଡ଼ିବାର ଆଶଙ୍କା ନଥିବ।
– ଘରୁ ବାହାରକୁ ଯିବା ପୂର୍ବରୁ ଓ ଶୋଇବା ପୂର୍ବରୁ ସମସ୍ତ ଦୀପ ଲିଭାଇ ଦିଅନ୍ତୁ।
– ଜଳୁଥିବା ଦୀପକୁ ଦୀର୍ଘ ସମୟ ଧରି ବିନା ନଜରରେ ଛାଡ଼ନ୍ତୁ ନାହିଁ।
– ପିଲାମାନଙ୍କୁ ଦୀପ ଓ ମହମବତୀ ଜାଳିବାକୁ ଦିଅନ୍ତୁ ନାହିଁ। ନିଆଁଠାରୁ ସେମାନଙ୍କୁ ଦୂରରେ ରଖନ୍ତୁ।
– ଘରେ ଅଗ୍ନିନିର୍ବାପକ ଯନ୍ତ୍ର କିମ୍ବା ଅନ୍ୟ ଆବଶ୍ୟକ ଅଗ୍ନି ନିରାପତ୍ତା ସାମଗ୍ରୀ ରଖନ୍ତୁ।
ସାମାନ୍ୟ ସତର୍କତା ଅବଲମ୍ବନ କଲେ ଦୀପାବଳିରେ ଘରକୁ ସୁନ୍ଦର ଭାବେ ଆଲୋକିତ କରିବା ସହ ପରିବାର ଓ ଘରକୁ ଅଗ୍ନିକାଣ୍ଡ ଭଳି ଅଘଟଣରୁ ସୁରକ୍ଷିତ ରଖିପାରିବେ।

