ଜିରୋ ନାଇଟ୍ ପାଇଁ କଡା ସୁରକ୍ଷା ବ୍ୟବସ୍ଥା,
ନୂଆବର୍ଷ ପାଇଁ ରାଜଧାନୀରେ ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ନୂଆବର୍ଷ ପାଳନ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କମିଶନରେଟ୍ ପୁଲିସ କଡାକଡି କରିଛି । ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସହରରେ କଡ଼ା ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି ।
ପୁଲିସ କମିଶନର ଡକ୍ଟର ଏସ୍ ଦେବଦତ୍ତ ସିଂ କହିଛନ୍ତି, ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ରାଜଧାନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଧିକ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ । ବିଶେଷ ଭାବରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ । ସହରର ବିଭିନ୍ନ ଛକରେ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯିବ । ତେଣୁ ନିଶାସକ୍ତ ଅବସ୍ଥାରେ ଗାଡ଼ି ନ ଚଲେଇବାକୁ କମିଶନରେଟ ପୁଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି ।
ସେଲିବ୍ରେସନ ସମୟରେ ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ହାଇ ଏଫିସିଏନ୍ସି ରେସପନ୍ସ (ଏଚଇଆର) ଟିମ୍ ମୁତୟନ ରହିବେ । ଏହାସହ ସାଦା ପୋଷାକରେ ପୁଲିସ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ କଡା ପହରା ମାରିବେ ଯାହାଦ୍ୱାରା ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଯାଇପାରିବ । ସମଗ୍ର ସହର ଉପରେ ସିସିଟିଭି କ୍ୟାମେରା ମାଧ୍ୟମରେ ତୀକ୍ଷଣ ନଜର ରଖାଯିବ । ବିଭିନ୍ନ ହୋଟେଲ ଏବଂ କିଛି ଖୋଲା ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଅନୁମତି ପ୍ରଦାନ କରାଯାଇଛି ।
ତେବେ ଏଥିପାଇଁ ଅଗ୍ନିଶମ ବିଭାଗର ଅନୁମତିକୁ ବାଧ୍ୟତାମୂଳକ କରାଯାଇଛି । ନିର୍ଦ୍ଦିଷ୍ଟ ସମୟ ଭିତରେ ଜିରୋ ନାଇଟ୍ ସେଲିବ୍ରେସନ ସାରିବାକୁ ନିର୍ଦ୍ଦେଶ ରହିଛି ।ବାର୍ ଓ ପବ୍ ଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ପଥରେ ପୋଲିସ ମୁତୟନ ରହିବେ । ବାର୍ ଓ ପବ୍ ଖୋଲିବା ନେଇ ସମୟ ସୀମା ନିର୍ଦ୍ଧାରଣ କରିବା ପାଇଁ ଅବକାରୀ ବିଭାଗ ସହ ଆଲୋଚନା ଚାଲିଛି ଏବଂ ଖୁବଶୀଘ୍ର ଏନେଇ ବିସ୍ତୃତ ନିୟମାବଳୀ ଜାରି କରାଯିବ ବୋଲି ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ସେହିଭଳି ରାଜଧାନୀରେ ପ୍ରତ୍ୟେକ ଦିନ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି ।

