ଭୁବନେଶ୍ୱର,(ରିପୋର୍ଟର୍ସ ପେନ୍): ୟୁନିଟ୍-୧ ହାଟ ଖାଲି ଭୁବନେଶ୍ୱର ନୁହେଁ ବରଂ ଓଡିଶାର ଏକ ବୃହତ ହାଟ କହିଲେ ଅତ୍ୟନ୍ତ ହେବ ନାହିଁ । ଏଠାକୁ ଦୈନନ୍ଦିନ ହଜାର ହଜାର ଜନସାଧାରଣ ଓ ଗ୍ରାହକମାନଙ୍କ ସମାଗମ ହୋଇଥାଏ ଓ ସମସ୍ତଙ୍କର ମନପସନ୍ଦର ସାମଗ୍ରୀ ଏଠାରେ ସୁଲଭ ମୂଲ୍ୟରେ ମିଳିଥାଏ । ତେବେ ଏବେ ଗାଡି ପାର୍କିଂ ସମସ୍ୟା ଲୋକଙ୍କ ଚିନ୍ତା ବଢାଇଥିବା ବେଳେ ବ୍ୟବସାୟୀମାନେ ହତାଶାଭାବ ଅନୁଭବ କରୁଛନ୍ତି । ଏଣୁ ହାଟ ବ୍ୟବସାୟୀ ସଂଘ ୟୁନିଟ୍-୧ରୁ ୟୁନିଟ୍-୨କୁ ପାଦଚଲା ଫ୍ଲାଏ ଓଭର ଓ ଏସ୍କାଲେଟର ବ୍ୟବସ୍ଥା କରିବାକୁ ଦାବି କରିଛି ।
ପୂର୍ବରୁ ଅର୍ଥାତ ୧୯୮୪ ମସିହାରେ ସାଧାରଣ ପ୍ରସାଶନ ବିଭାଗ ମହାନଗର ନିଗମକୁ ଦାୟିତ୍ୱ ଦେଲା ପରେ ଗେଟ୍ ନଂ-୫,୬,୭ ଓ ୧ନଂ ଗେଟ୍ ସାମ୍ନା ପାର୍କିଂ ପାଇଁ ବ୍ୟବହାର ହେଉଥିଲା । ୨୦୦୮ ମସିହାରେ ଉକ୍ତ ସ୍ଥାନ ଗୁଡିକ ଜବରଦଖଲ ହୋଇ ବ୍ୟବସାୟ କରିବା ଦ୍ୱାରା ପାର୍କିଂ ସମସ୍ୟା ଦେଖାଦେଲା । ଏନେଇ ବିଏମସିର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ମହାନଗର ନିଗମ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ସେହିପରି ରାଜମହଲ ଛକ ଠାରୁ ମହିଳା ଥାନା ପର୍ଯ୍ୟନ୍ତ ରାସ୍ତା କଡରେ ପାର୍କିଂ ବ୍ୟବସ୍ଥା ମଧ୍ୟ ଥିଲା, ବର୍ତ୍ତମାନ ସମସ୍ତ ପାର୍କିଂ ସ୍ଥାନ ଗୁଡିକ ଜବରଦଖଲ ହୋଇରହିଛି । ଫଳରେ ହାଟକୁ ଆସୁଥିବା ଗ୍ରାହକମାନେ ରାସ୍ତା ଉପରେ ପାର୍କିଂ କରୁଥିଲେ । କିଛିଦିନ ବିଏମସି ଏହାକୁ ଅନୁମତି ଦେଇଥିଲା । ମାତ୍ର ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରୁ ତାହାକୁ ଏବେ ବନ୍ଦ କରାଯାଇଛି । ଏହା ଯୋଗୁଁ ଗ୍ରାହକମାନେ ଆଉ ହାଟକୁ ଆସିବାକୁ ଇଚ୍ଛା କରୁନାହାନ୍ତି ।
ଯଦିଓ ସରକାରଙ୍କ ପକ୍ଷରୁ ୟୁନିଟ-୨ରେ ଏକ ବହୁତଳ ପାର୍କିଂ ବ୍ୟବସ୍ଥା କରାଯାଇଛି, ହେଲେ ଲୋକେ ସେଠାରେ ଗାଡି ରଖି ୟୁନିଟ-୧କୁ ଆସିବାକୁ ଅମଙ୍ଗ ହେଉଛନ୍ତି । କାରଣ ଉପଯୁକ୍ତ ରାସ୍ତା ନାହିଁ । ଗୋଟିଏ ଅଣ୍ଡରପାସ୍ ରହିଥିବା ବେଳେ ତାହା ମଧ୍ୟ ଯିବା ଆସିବାକୁ ସହଜ ହେଉନାହିଁ । ଏଥିସହିତ ପାର୍କିଂ ଫି’ ମଧ୍ୟ ଅଧିକ ଥିବାରୁ ଲୋକେ ସେଠାରେ ଗାଡି ରଖିବାକୁ ଇଚ୍ଛା ପଅକାଶ କରୁନାହାନ୍ତି । ତେଣୁ ୟୁନିଟ-୧ରୁ ୟୁନିଟ-୨କୁ ଏକ ପାଦଚଲା ଫ୍ଲାଏ ଓଭର ନିର୍ମାଣ କରିବାକୁ ବ୍ୟବସାୟୀ ସଂଘ ଦାବି କରିଛନ୍ତି । ଏଥିସହିିତ ବହୁତଳ ପାର୍କିଂରେ ଫି’କୁ ଅଧା କମାଇବାକୁ ମଧ୍ୟ ସଂଘ ବିଏମସିକୁ ଅନୁରୋଧ କରିଛି ।
ଯଦି ବିଏମସି ବ୍ୟବସାୟୀଙ୍କ ଦାବିର ଆଶୁ ସମାଧାନ ନକରେ, ତେବେ ଆଗାମୀ ଦିନରେ ୩୦୦୦ ବ୍ୟବସାୟୀ, ୧୫୦୦ ପରିବା ବ୍ୟବସାୟୀ ଓ ୫୦ପରିବା ହୋଲସେଲର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ବାଧ୍ୟ ହେବେ ବୋଲି ରାଜଧାନୀ ଦୈନିକ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ନରେନ୍ଦ୍ର ଚେତବାନୀ ଦେଇଛନ୍ତି ।

