ସମବାୟ ସଂସ୍ଥା ଅନ୍ନଦାତାଙ୍କ ପାଇଁ ଜୀବନରେଖା : ମୁଖ୍ୟମନ୍ତ୍ରୀ

Reporterspen

ପ୍ୟାକ୍ସ ଓ ଲ୍ୟାମ୍ପର ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ
ରାଜ୍ୟ ପଣ୍ୟାଗାର ନିଗମ ଓ ସମବାୟ ବିଭାଗରେ ୬୬ ଜଣଙ୍କୁ ନିଯୁକ୍ତି ପ୍ରଦାନ
ବଡ଼ମ୍ବା ଓ ଆସିକା ଆଖୁ ଚାଷୀଙ୍କ ପାଇଁ ଏକର ପ୍ରତି ୧୫,୦୦୦ ଟଙ୍କାର ଇନପୁଟ ସବସିଡି

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ମେଗା ସମବାୟ ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ଗ୍ରାମାଞ୍ଚଳର ପ୍ରତି ପରିବାରରୁ ଜଣଙ୍କୁ ସମବାୟ ସଦସ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଦସ୍ୟତା ପଞ୍ଜୀକରଣକୁ ସହଜ କରିବା ପାଇଁ ଏକ ନୂଆ ମୋବାଇଲ୍ ଆପ୍ ମଧ୍ୟ ଶୁଭାରମ୍ଭ ହୋଇଛି।

ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ, ଏହା ହେଉଛି ଆମର ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ଜୀବନରେଖା । ‘ସମ୍ବନ୍ଧ’ କେବଳ ଗୋଟିଏ ଯୋଜନାର ଶୁଭାରମ୍ଭ ନୁହେଁ, ବରଂ ଏହା ସରକାର ଏବଂ ରାଜ୍ୟର ପ୍ରତ୍ୟେକ ଚାଷୀ ପରିବାର ମଧ୍ୟରେ ନିବିଡ଼ ସମ୍ପର୍କ ଓ ବିଶ୍ୱାସର ବନ୍ଧନକୁ ସୁଦୃଢ଼ କରିବାର ଏକ ଅଭିନବ ପ୍ରୟାସ । ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ ଚାଷୀଙ୍କ ଜୀବନରେ ଏହା ଏକ ନୂତନ ଫର୍ଦ୍ଦ ଯୋଡ଼ିବ ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ବିପୁଳ ସଂଖ୍ୟାରେ PACS ଓ LAMPCS ରେ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୮୫ଟି ରୂପାନ୍ତରିତ ମଣ୍ଡି, ୫୦ଟି କଷ୍ଟମ୍ ହାୟାରିଂ ସେଣ୍ଟର, ୨୫୦ଟି ଜନସେବା କେନ୍ଦ୍ର (CSC), ୬୦ଟି ନୂତନ Consumer Store, ୭୦ଟି ପ୍ୟାକ୍ସର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର, ୨୧ଟି ପ୍ୟାକ୍ସରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍ଘାଟନ କରିବା ସହିତ ୪ଟି ଆଦର୍ଶ ମଣ୍ଡି ଏବଂ ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାରେ ୩ଟି ଶସ୍ୟ ଗୋଦାମଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୩୦୦ଟି ପ୍ୟାକ୍ସରେ NLPS ମାଧ୍ୟମରେ ଅନଲାଇନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ପ୍ରଥମ ଥର ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପସର ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ୩୨୨ଟି ପ୍ୟାକ୍ସ ଓ ଲ୍ୟାମ୍ପସର ଚାଷୀମାନଙ୍କୁ ଲାଭାଂଶ ପ୍ରଦାନ କରିଛନ୍ତି । ଏହି ପ୍ରକ୍ରିୟାରେ ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ୫୦୦ରୁ ଅଧିକ ସମିତିର ପ୍ରାୟ ୮ ଲକ୍ଷ ଚାଷୀ ଲାଭାନ୍ୱିତ ହେବେ।ରାଜ୍ୟର ଆଖୁ ଚାଷୀଙ୍କ ଆୟ ବୃଦ୍ଧି ଓ ସମବାୟ ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ “ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ” ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ବଡ଼ମ୍ବା ଓ ଆସିକା ସମବାୟ ଚିନି କଳ ଅଞ୍ଚଳର ଚାଷୀମାନଙ୍କୁ ଏକର ପ୍ରତି ୧୫,୦୦୦ ଟଙ୍କାର ଇନ୍ପୁଟ୍ ସବସିଡି ପ୍ରଦାନ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଖୁ ଚାଷୀମାନଙ୍କୁ ଉଚ୍ଚ ସୁଗାର କଣ୍ଟେଣ୍ଟ ଥିବା ଉନ୍ନତମାନର ଆଖୁ ବିହନ ଯୋଗାଇବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୧୧ ଜଣ ସହକାରୀ ଅଧୀକ୍ଷକ, ୧୯ ଜଣ ପଣ୍ୟାଗାର ସହାୟକ ଏବଂ ୩୬ ଜଣ ସମବାୟ ନିରୀକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।

ଏହି ସମାରୋହରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସମବାୟ ମାଧ୍ୟମରେ ହିଁ ଗ୍ରାମୀଣ ଅର୍ଥନୀତିର ଦ୍ରୁତ ବିକାଶ ସମ୍ଭବ ବୋଲି ପ୍ରକାଶ କରି ପ୍ରତ୍ୟେକ ପରିବାରରୁ ଅନ୍ୟୁନ ପକ୍ଷେ ଜଣେ ସଦସ୍ୟକୁ ସମବାୟ ସହିତ ଯୋଡିବାର ମୂଳ ଲକ୍ଷ୍ୟ ରଖି ଏହି ଅଭିଯାନ ଆରମ୍ଭ କରାଯାଇଛି ବୋଲି କହିଥିଲେ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମବାୟ କ୍ଷେତ୍ରର ସୁଦୃଢ଼ୀକରଣ ଓ ଡିଜିଟାଇଜେସନ୍ ପାଇଁ ଗୁରୁତ୍ୱ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ, କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବ, ହସ୍ତତନ୍ତ ସଚିବ ଗୁହା ପୁନମ୍ ତାପସ କୁମାର ,ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଓ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ମନିଷ ଅଗ୍ରୱାଲ ଉପସ୍ଥିତ ଥିଲେ ।


Reporterspen