ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ରାଜ୍ୟ ଅରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ହୋଇଥିବା ଓଏସଏପି ୪ର୍ଥ ବାଟାଲିୟନ ରାଉରକେଲା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହା ସହ ରନର୍ସ ଅପ୍ ହୋଇଥିବା ରାଉରକେଲା ପୋଲିସ ଜିଲ୍ଲା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଓଏସଏପି ଷଷ୍ଠ ବାଟାଲିୟନ କଟକ ଦଳକୁ ଶ୍ରୀ ମିଶ୍ର ଟ୍ରଫି ପ୍ରଦାନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ବିଜେତା ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ରନର୍ସ-ଅପ୍ ଏବଂ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ଦଳର ସଦସ୍ୟମାନଙ୍କ ସମର୍ପଣ ଏବଂ ମନୋବଳକୁ ଉଚ୍ଚ ପ୍ରଶଂସା କରିଥିଲେ । ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ଆୟୋଜକଗଣ ଏହି ପୋଲିସ ହକି ଚାମ୍ପିୟନସିପକୁ ସ୍ମରଣୀୟ କରିବାରେ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ ।
ଓଡ଼ିଶାକୁ ଭାରତୀୟ ହକିର ଏନ୍ତୁଡିଶାଳ ବୋଲି ଅଭିହିତ କରି ଶ୍ରୀ ମିଶ୍ର କହିଥିଲେ ଯେ, ଭାରତୀୟ ହକିର ବିକାଶ ଓ ଲୋକପ୍ରିୟତାରେ ରାଜ୍ୟର ଅବଦାନ ଅତୁଳନୀୟ ଏବଂ ଭାରତୀୟ ଜାତୀୟ ହକି ଦଳର ଜର୍ସିରେ ‘ଓଡ଼ିଶା’ ଲେଖା ରହିବା ରାଜ୍ୟବାସୀଙ୍କ ପାଇଁ ଗୌରବର ବିଷୟ। ଜାତୀୟ ହକି ଦଳର ପ୍ରତିନିଧି ବିରେନ୍ଦ୍ର ଲାକ୍ରା ଓଡ଼ିଶା ପୋଲିସରେ ସାମିଲ ହୋଇଥିବା କରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ।
ନିକଟରେ ଓଡ଼ିଶା ପୋଲିସର ମହିଳା ହକି ଦଳ ସର୍ବଭାରତୀୟ ପୋଲିସ ହକି ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିବା ଏକ ଉଲ୍ଲେଖନୀୟ ସଫଳତା। ଆଗାମୀ ଦିନରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଆହୁରି ସଫଳତା ହାସଲ କରିବେ ବୋଲି ଡିଜିପି ଆଶା ପ୍ରକାଶ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍-୨୦୨୬ ଗତ ୨୧ ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଚମ୍ପିୟନସିପ୍ରେ ବିଭିନ୍ନ ଜିଲ୍ଲା, ବାଟାଲିୟନ ଓ ପୋଲିସ ଏଷ୍ଟାବ୍ଲିସମେଣ୍ଟରୁ ୧୮ଟି ପୋଲିସ ଦଳ ଏବଂ ପ୍ରାୟ ୩୬୦ ଜଣ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ।
ଆଜି ସନ୍ଧ୍ୟା ସମୟରେ ଓଏସଏପି ୪ର୍ଥ ବାଟାଲିୟନ, ରାଉରକେଲା ଓ ରାଉରକେଲା ପୋଲିସ ଜିଲ୍ଲା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଏସଏପି ୪ର୍ଥ ବାଟାଲିୟନ, ରାଉରକେଲା ଟିମ ପେନାଲ୍ଟି ସୁଟ୍ଆଉଟ୍ରେ ୩-୨ ଗୋଲ ବ୍ୟବଧାନରେ ରାଉରକେଲା ପୋଲିସ ଜିଲ୍ଲା ଟିମକୁ ପରାସ୍ତ କରି ବିଜେତା ହୋଇଛି ।
ଏହି ଚାମ୍ପିୟନସିପରେ ଶ୍ରେଷ୍ଠ ଗୋଲକିପର ଭାବେ ଓଏସଏପି ୪ର୍ଥ ବାଟାଲିୟନ ରାଉରକେଲାର ସୁଶାନ୍ତ କୁମାର ସିଂ, ଶ୍ରେଷ୍ଠ ଡିଫେଣ୍ଡର ଭାବେ ସୁନ୍ଦରଗଡ଼ ପୋଲିସ ଜିଲ୍ଲାର ଉପେନ୍ଦ୍ର ମାଝୀ, ଶ୍ରେଷ୍ଠ ମିଡ୍ଫିଲ୍ଡର ଭାବେ ଓଏସଏପି ଷଷ୍ଠ ବାଟାଲିୟନ, କଟକର ସୁଧୀର ବାର୍ଲା, ଶ୍ରେଷ୍ଠ ସ୍କୋରର ଭାବେ ରାଉରକେଲା ପୋଲିସ ଜିଲ୍ଲାର ସତ୍ୟାନନ୍ଦ ସାହୁ, ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ରାଉରକେଲା ପୋଲିସ ଜିଲ୍ଲାର ଅରୁଣ ମହନ୍ତ ଏବଂ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ରାଉରକେଲା ପୋଲିସ ଜିଲ୍ଲାର ବିଜୟ ଲାକ୍ରାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଉଦଯାପନୀ ଉତ୍ସବରେ ପୋଲିସ କମିଶନର, ଭୁବନେଶ୍ୱର–କଟକ ଡଃ ଏସ୍. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ୍ଏପି) ଶ୍ରୀ ରାଜେଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଆଇଜିପି (କାର୍ମିକ) ଶ୍ରୀ ପ୍ରବୀଣ କୁମାର, ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ୱର–କଟକ ଶ୍ରୀ ନରସିଂହ ଭୋଳ, ଆଇଜିପି (କ୍ରାଇମବ୍ରାଞ୍ଚ) ଡ଼ା. ସାର୍ଥକ ଷଡ଼ଙ୍ଗୀ, ଆଇଜିପି (ପ୍ରୋଭିଜନିଂ) ଶ୍ରୀ ନୀତି ଶେଖର, ଆଇଜିପି (କେନ୍ଦ୍ରାଞ୍ଚଳ) ଡ଼ା. ସତ୍ୟଜିତ ନାଏକ, ସପ୍ତମ ବାଟାଲିୟନ୍ କମାଣ୍ଡାଣ୍ଟ ଶ୍ରୀ ପ୍ରଫୁଲ୍ଲ ସିଂ, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ଶ୍ରୀ ନୀଳମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

