ବ୍ରହ୍ମପୁର/ ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁରରେ ଚଳିତ ମାସ ୧୫ ତାରିଖରେ ହୋଇଥିବା ପ୍ଲଟ୍ ବ୍ୟବସାୟୀ ସୁଧିର ପାତ୍ରଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ବ୍ରହପୁର ପୋଲିସ । ହତ୍ୟା ଘଟଣାରେ ସୁଧିରଙ୍କ ଝିଆରୀ ଓ ପୁତୁରାଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁଧିରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାର କୁମାର ପାତ୍ର, ନିବେଦିତାଙ୍କ ପୁରୁଷ ବନ୍ଧୁ କାଳୁ ଚରଣ ପ୍ରଧାନ ,ଜିତୁନ ପଲେଇ, ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ସୁଭମ ନାୟକ, ସୁଭମ ଗୌଡ଼ ଓ ସୂର୍ଯ୍ୟ ପ୍ରତାପ ସିଂ। ସୁଧିରଙ୍କୁ କିଭଳି ହତ୍ୟା କରାଯାଇଥିଲା ଓ କାରଣ ସମ୍ପର୍କରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଆଇଜି ନୀତି ଶେଖର ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ।
ଗତ କିଛି ମାସ ପୂର୍ବରୁ ସୁଧିରଙ୍କ ବଡ଼ ଭାଇ ମନୋଜ କୁମାର ପାତ୍ରଙ୍କ ହୃଦରୋଗରେ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ଘର ସମ୍ପତ୍ତି ଭାଗବଣ୍ଟା ହୋଇଥିଲା । କିନ୍ତୁ ସମ୍ପତ୍ତି ଭାଗବଣ୍ଟାରେ ସୁଧିର ଅଧିକ ସମ୍ପତ୍ତି ନେଇଥିବା ନେଇ ସୁଧୀରଙ୍କ ଝିଆରୀ ନିବେଦିତା ଓ ପୁତୁରା ତୁଷାର ସନ୍ଦେହ କରିଥିଲେ। ଏପରିକି ବାପାଙ୍କୁ ଗୁଣି କରି ମରାଯାଇଛି ବୋଲି ସନ୍ଦେହ କରୁଥିଲେ । ଏ ନେଇ ନିବେଦିତା ନିଜର ପୁରୁଷବନ୍ଧୁ କାଳୁ ଚରଣ ପ୍ରଧାନଙ୍କୁ କହିଥିଲେ ।
ସୁଧିରଙ୍କ ଠାରୁ ସମ୍ପତ୍ତି ଆଣିବା ନିମନ୍ତେ ନିବେଦିତା ଓ କାଳୁ ଦୁଇ ମାସ ହେଲା ଯୋଜନା କରିଥିଲେ । ଯୋଜନା ମୁତାବକ ସୁଧିରଙ୍କୁ ଅପହରଣ କରିବା ପାଇଁ କାଳୁ କିଛି ସାର୍ପ ସୁଟର ମାନଙ୍କ ସହ ଯୋଗାଯୋଗ କରିଥିଲେ । ଯୋଜନା ମୁତାବକ ସୁଧିର ବୁଧବାର ଗୋପାଳପୁର ଥାନା ଅନ୍ତର୍ଗତ ବଣଗାଁକୁ ଖେଳିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ଏକ ବୋଲେରୋ ଗାଡ଼ିରେ ତାଙ୍କୁ ଅପହରଣ କରାଯାଇଥିଲା ସୁଧିରଙ୍କୁ ବୁଗୁଡ଼ାର ରାମପାଦ ଜଙ୍ଗଲକୁ ଅପହରଣକାରୀ ମାନେ ନେଇଥିଲେ । ସେଠାରେ ତାଙ୍କୁ ଅପହରଣକାରୀ ମାନେ ତଳେ ପକାଇ ଲାତ ଗୋଇଠା ସହ ବାଡ଼ିରେ ମାଡ଼ ମାରିଥିଲେ । ସୁଧିରଙ୍କୁ ମାଡ଼ ମାରିବାର ଭିଡ଼ିଓ କରି ତାଙ୍କ ପତ୍ନୀଙ୍କୁ ପଠାଇବା ସହ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ । ସୁଧିରଙ୍କୁ ମାଡ଼ ମାରୁ ମାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ମୃତଦେହକୁ କାରରେ ଆଣି ସୋରଡ଼ାର କେଟାମଣି ପର୍ବତ ନିକଟରେ ଥିବା ଜଙ୍ଗଲରେ ଫିଙ୍ଗି ଦେଇ ସେଠାରୁ ଫେରାର ହୋଇଯାଇଥିଲେ । ବୁଧବାର ସକାଳେ ପୋଲିସ ସୁଧିରଙ୍କ ମୃତଦେହ ପାଇଥିଲା। ଏହି ଘଟଣାର ତଦନ୍ତ କରି ୯ ଜଣଙ୍କୁ ଗିରଫ କରିଥିଲା।

