ଭିଡ ହିଂସାରେ ସୌମ୍ୟ ହତ୍ୟା ମାମଲା, ଓମଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସରିଲା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାର ଖୋଳତାଡ଼ ଜୋରଦାର ହୋଇଛି । କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ ରାଉତଙ୍କର ଶୁକ୍ରବାର ଲାଏ ଡିଟେକ୍ସନ୍ ଟେଷ୍ଟ୍ କରିଛି । ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର (ଏସଏଫଏସଏଲ)ରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଓମଙ୍କ ଏହି ମିଛଧରା (ପଲିଗ୍ରାଫ୍‌) ପରୀକ୍ଷା କରାଯାଇଛି ।

ହତ୍ୟା ଘଟଣାର ପ୍ରାୟ ୨ ମାସ ପରେ ଓମ୍ ପ୍ରକାଶକୁ ନେଇ ଏସଏଫଏସ୍‌ଏଲରେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଥିଲା । ଦୀର୍ଘ ୩ ଘଣ୍ଟା ଧରି ମିଛ ଧରା ପରୀକ୍ଷା ଚାଲିଥିଲା । ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ କ୍ରାଇମବ୍ରାଞ୍ଚର ୭୦ ପ୍ରଶ୍ନର ଉତ୍ତର ରଖିଥିଲେ । କ୍ରାଇମବ୍ରାଞ୍ଚର ସାଇଣ୍ଟଫିକ୍ ଟିମ୍ ଓମର ଲାଏ ଡିଟେକ୍ସନ ଟେଷ୍ଟ କରିଥିଲା । ତଦନ୍ତକାରୀ ଅଧିକାରୀ ଏବଂ ଜଣେ ଡାକ୍ତର ଏହି ସମୟରେ ଉପସ୍ଥିତ ଥିଲେ । କିଛି ଦିନ ପରେ ଏହି ରିପୋର୍ଟ ଆସିବା ପରେ ଓମ୍ ସତ କହୁଛନ୍ତି ନା ମିଛ, ତା ଉପରୁ ପରଦା ଉଠିବ ବୋଲି କ୍ରାଇମବ୍ରାଞ୍ଚ କହିଛି ।

ସୂଚନାଥାଉ କି, ଓମ୍ ପ୍ରକାଶଙ୍କ ଉପରେ ସୌମ୍ୟଙ୍କ ପରିବାର ଲୋକ ସନ୍ଦେହ କରିଆସୁଛନ୍ତି । ଏପରିକି ସୌମ୍ୟଙ୍କୁ ଆକ୍ରମଣ ପଛରେ ଓମ୍ ପ୍ରକାଶଙ୍କ ହାତ ଥିବା ମଧ୍ୟ ସେମାନେ ଅଭିଯୋଗ କରିଥିଲେ । ସେପଟେ କ୍ରାଇମବ୍ରାଞ୍ଚ ପଚରାଉଚରା ବେଳେ ଓମ୍ ପ୍ରକାଶଙ୍କ ବୟାନରେ ତାଳମେଳ ରହିନଥିଲା । ଓମ୍ ପ୍ରକାଶ ଅନ୍ୟ କଥା କହୁଥିବା ବେଳେ ପୀଡ଼ିତା ଓ ତାଙ୍କ ସାଙ୍ଗ ଭିନ୍ନ କଥା କହିଥିଲେ । କେଉଁ କାରଣ ପାଇଁ ମେ’ ୭ରେ ସ୍ପଷ୍ଟ ଦିବାଲୋକରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଥିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରୁ ନାହିଁ । ଫଳରେ ଓମଙ୍କ କ୍ରାଇମବ୍ରାଞ୍ଚ ଟିମ୍ ପଲିଗ୍ରାଫ୍ ଟେଷ୍ଟ୍ କରିଛି । ଏପରିକି ଏହି ଟେଷ୍ଟ୍ ପାଇଁ କୋର୍ଟଙ୍କଠାରୁ ଅନୁମତି ଲୋଡ଼ା ଯାଇଥିବା କଥା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

ଏହି ଘଟଣାରେ ଏଯାଏ ମୋଟ୍ ୨୦ ଜଣ ଅଭିଯୁକ୍ତ ଗିରଫ୍ ହୋଇଛନ୍ତି । ବାଲିଅନ୍ତା ଥାନା ପୋଲିସ ୧୧ ଜଣଙ୍କୁ ଏବଂ ପରେ ତଦନ୍ତ ଭାର ନେଇ କ୍ରାଇମବ୍ରାଞ୍ଚ ୯ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଆହୁରି ୨୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ କ୍ରାଇମବ୍ରାଞ୍ଚ ପ୍ରାୟ ୧୦ରୁ ୧୨ ଜଣଙ୍କୁ ଚିହ୍ନଟ କରିଛି ।


Reporterspen