ସିଏମଓରୁ ଫାଇଲ୍ ଚୋରି ଘଟଣା : ଅବସରପ୍ରାପ୍ତ ଆଇଏଏସ ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବଙ୍କୁ ନୋଟିସ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ଫାଇଲ ଚୋରି ଘଟଣାରେ କମିଶନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୂର୍ବତନ ଆଇଟି ସଚିବ ମନୋଜ କୁମାର ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ୍ ଜାରି କରିଛି । ସର୍ବଭାରତୀୟସ୍ତରର ଏହି ଦୁଇ ଅବସରପ୍ରାପ୍ତ ଅଫିସରଙ୍କୁ ୩ଦିନ ମଧ୍ୟରେ ତଦନ୍ତକାରୀ ଅଫିସର ପାଖରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି ।

ସୂଚନା ଅନୁସାରେ, କମିଶନରେଟ ପୁଲିସ ନିଜର ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ଏହି ମାମଲାର ଖୋଳତାଡ କରିବା ପରେ ଏହି ଦୁଇ ବରିଷ୍ଠ ଅଫିସରଙ୍କୁ ନୋଟିସ୍ ଜାରି କରିଛି । ଶ୍ରୀ ମିଶ୍ର ଆଇଟି ସଚିବ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିଲେ ଓ ବିଜେଡି ସରକାର କ୍ଷମତାରୁ ଯିବା ପରେ ଚାକିରିରୁ ଇସ୍ତଫା ଦେଇଥିଲେ ।

ଅବସରପ୍ରାପ୍ତ ଆଇଆରଟିଏସ୍ ଅଫିସର ଶ୍ରୀ ମିଶ୍ର ହେଉଛନ୍ତି ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତାଙ୍କ ଘନିଷ୍ଠ ବନ୍ଧୁ । ସେହିପରି ୧୯୮୭ ବ୍ୟାଚର ଆଇଏଏସ୍ ଅଧିକାରୀ ରାଜେଶ ବର୍ମା ୨୦୧୭ ଜାନୁୟାରୀରୁ ୨୦୨୨ ଅଗଷ୍ଟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ ଓ ଏବେ ସେ କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ,୨୦୦୮ ମସିହାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ଜଷ୍ଟିସ ନାଇଡୁ କମିଶନ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାଏବ ହୋଇଥିବା ନେଇ ଗୃହ ବିଭାଗ ପକ୍ଷରୁ ଗତ ଜୁନ୍ ମାସରେ ପୁଲିସରେ ଏଫଆଇଆର ଦିଆଯାଇଥିଲା । ୨୦୨୪ ଜୁନ୍ ୪ ତାରିଖରେ ନିର୍ବାଚନ ପରିଣାମ ବିଜେପି ସପକ୍ଷରେ ଯିବା ପରେ ସିଏମଓରୁ ଗୃହ ବିଭାଗକୁ ସମସ୍ତ ଫାଇଲ ପଠାଯାଇଥିଲେ ମଧ୍ୟ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ଫେରିନଥିଲା ବୋଲି ଏଫଆଇଆରରେ ଉଲ୍ଲେଖ ଥିଲା ।

ନୂଆ ସରକାର ଗଠନ ପରେ ଏହି ରିପୋର୍ଟଗୁଡିକୁ ସାର୍ବଜନୀନ କରିବା ପାଇଁ ଖୋଜାଖୋଜି କରାଯାଇଥିଲେ ବି ଏହାର କୌଣସି ପତ୍ତା ମିଳିନଥିଲା । ଗୃହ ବିଭାଗ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ କେବଳ ‘ଫାଇଲ ଖୋଜା ଚାଲିଛି’ ବୋଲି ଉତ୍ତର ମିଳିଥିଲା ।

ଏହି ସମଗ୍ର ବିବାଦ ଉପରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ନାଇଡୁ କମିଶନ ରିପୋର୍ଟ ୨୦୧୬ ମସିହାରେ ଓ ସମ୍ ହସ୍ପିଟାଲ ରିପୋର୍ଟ ୨୦୧୮ ମସିହାରେ ମୁଖ୍ୟ ସଚିବଙ୍କ ଜରିଆରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲା, ହେଲେ ତାହା ଆଉ ଫେରିନାହିଁ କିମ୍ବା ପୂର୍ବ ସରକାର ଏହାକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିନାହାନ୍ତି । ଦୀର୍ଘ ଦୁଇ ବର୍ଷ ଧରି ଅପେକ୍ଷା କରିବା ଓ ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ କୌଣସି ସନ୍ତୋଷଜନକ ସୂଚନା ନମିଳିବାରୁ ଶେଷରେ ରାଜ୍ୟ ସରକାର ବାଧ୍ୟ ହୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ଏବେ ପୁଲିସ ତା’ର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରି ଉଭୟ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍ ପଠାଇଛି ।


Reporterspen