ରତ୍ନବେଦିକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି, ଆଜି ବଡଦେଉଳରେ ମିଳିବ ନୀଳାଚଳ ଅବଢା

Reporterspen

ଭୁବନେଶ୍ୱର (ରିପୋର୍ଟର୍ସପେନ୍‌): ଦୀର୍ଘ ୨୭ ଦିନ ଶୂନ୍ୟ ପଡିଥିବା ଶ୍ରୀମନ୍ଦିର ରତ୍ନବେଦିକୁ ଚତୁର୍ଦ୍ଧାମୂର୍ତ୍ତି ଫେରିଛନ୍ତି । ସ୍ନାନପୂର୍ଣ୍ଣମୀ ପରଠାରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅନ୍ନପ୍ରସାଦ ଭୋଗ ଲାଗି ନଥିଲା । ନୀଳାଦ୍ରି ବିଜେ ପରଦିନ ଠାରୁ ଅର୍ଥାତ ଆସନ୍ତାକାଲି ଠାରୁ ବଡଦେଉଳରେ ଶ୍ରୀବିଗ୍ରହଙ୍କୁ ଅନ୍ନପ୍ରସାଦ ଭୋଗ କରାଯିବ । ପ୍ରଥମ ଦିନର ଅନ୍ନମହାପ୍ରସାଦ ନୀଳାଚଳ ଅବଢା ନାମରେ ଖ୍ୟାତି ଲାଭ କରିଛି ।

ଶ୍ରୀଗୁଣ୍ଡିଚା ଯାତ୍ରା ସାରି ରତ୍ନବେଦୀକୁ ଫେରିଲେ ଲୀଳାମୟ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନସିଂହାସନକୁ ଫେରିଲେ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ନୀଳକନ୍ଦଳକୁ ବିଜେ କରିଛନ୍ତି । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରିଥିଲେ । ଏହାପରେ ସୁଦର୍ଶନ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ନୀଳକନ୍ଦକୁ ବିଜେ କରାଗଲା । ଶେଷରେ ଭକ୍ତଙ୍କ ମେଳିରେ ଟାହିଆ ହଲାଇ ଝୁଲିଝୁଲି ଗୋଟି ପହଣ୍ଡିରେ ନୀଳକନ୍ଦଳକୁ ବିଜେ ହେଲେ କାଳିଆ ସାଆନ୍ତେ । ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ପାଇଁ ସାଙ୍ଗରେ ରସଗୋଲା ଓ ପାଟ ଶାଢୀ ଆଣିଥିଲେ । ରସଗୋଲା ଖୁଆଇ ମା’ ଲକ୍ଷ୍ମୀଙ୍କୁ ମନାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ପ୍ରଭୁ ଜଗନ୍ନାଥ । କାହାଳୀ, ଘଣ୍ଟଘଣ୍ଟା ନାଦରେ ସିଂହଦ୍ୱାର କମ୍ପି ଉଠିଥିଲା । ଜୟ ଜଗନ୍ନାଥ ଧ୍ୱନୀରେ ଉଛୁଳି ଉଠିଛି ବଡ଼ଦାଣ୍ଡ । ମହାପ୍ରଭୁଙ୍କ ବିଦାୟ ଦେଇ ଭକ୍ତ ଭାବ ବିହ୍ୱଳ ହୋଇଛନ୍ତି ।

ସୋମବାର ରାତିରେ ଠାକୁରେ ରତ୍ନବେଦିରେ ବିଜେ ପରେ ମଙ୍ଗଳବାର ଠାରୁ ଭକ୍ତଙ୍କୁ ନୀଳାଚଳ ଅବଢା ମିଳିବ । ଯାହାକି ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ କାମ୍ୟ । ଭକ୍ତପାଇଁ ସେହି ଦିନଟି ହେଉଛି ପରମଆନନ୍ଦମୟ । ଏହି ନୀଳାଚଳ ଅବଢାରୁ କଣିକାଏ ପାଇବାକୁ ଭକ୍ତ ପ୍ରବଳ ଉତ୍କଣ୍ଠାର ସହ ଚାହିଁ ବସିଥାଏ । ଏଥିପାଇଁ ଆସନ୍ତକାଲି ମଧ୍ୟ ଶ୍ରୀମନ୍ଦିରରେ ପ୍ରବଳ ଭିଡ ହେବା ସମ୍ଭାବନା ରହିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏହି ଅବସରରେ ସାରା ଓଡ଼ିଶାରେ ଉତ୍ସାହର ସହ ପାଳିତ ହୋଇଛି ‘ରସଗୋଲା ଦିବସ’ । ପୁରୀ, ପାହାଳ ଏବଂ ସାଲେପୁରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମିଠା ଦୋକାନଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ‘ରସଗୋଲା’ ଶୁଣିଲା ମାତ୍ରେ ପ୍ରତିଟି ଓଡ଼ିଆଙ୍କ ମନ ମିଠାମିଠା ହୋଇଯାଏ । ଏହା କେବଳ ଏକ ମିଠା ନୁହେଁ, ବରଂ ଓଡ଼ିଆ ଜାତିର ସ୍ୱାଭିମାନ ଏବଂ ମାନଭଞ୍ଜନର ଏକ ଦିବ୍ୟ ମାଧ୍ୟମ । ପବିତ୍ର ନୀଳାଦ୍ରିବିଜେ ଅବସରରେ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଭୋଗ ଖୁଆଇ ମା’ ମହାଲକ୍ଷ୍ମୀଙ୍କର ସମସ୍ତ ଅଭିମାନ ଓ ମାନଭଞ୍ଜନ କରିଛନ୍ତି ।

ହେରାପଞ୍ଚମୀରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରେ ମା’ ଲକ୍ଷ୍ମୀଙ୍କର ଯେଉଁ ରାଗ ସୃଷ୍ଟି ହୋଇଥିଲା, ତାହା ବାହୁଡ଼ା ଯାତ୍ରା ଦିନ ଗଜପତି ମହାରାଜଙ୍କ ମଧ୍ୟସ୍ଥତା ପରେ ମଧ୍ୟ ଶାନ୍ତ ପଡ଼ି ନଥିଲା । ଶେଷରେ କାଳିଆ ଠାକୁର ରସଗୋଲା ଖୁଆଇ ମା’ଙ୍କର ସେହି ଅଭିମାନକୁ ପାଣି ପରି ତରଳାଇ ଦେଇଛନ୍ତି । ଏହି ପରମ୍ପରାକୁ ମନେରଖି କେତେକ ଶ୍ରଦ୍ଧାଳୁ ଦୂରଦୂରାନ୍ତରୁ ଆସି ମାଟି କୁଡ଼ୁଆରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ମିଷ୍ଟ ନୈବେଦ୍ୟ ସମର୍ପଣ କରିଛନ୍ତି ।


Reporterspen