ନିଜ ଘରେ ତ୍ରିରଙ୍ଗା ଉଡାଇଲେ ମୁଖ୍ୟମନ୍ତ୍ରୀ

Reporterspen

ସମସ୍ତଙ୍କୁ ଘରେ ତ୍ରିରଙ୍ଗା ଉଡାଇବାକୁ କଲେ ନିବେଦନ

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ତ୍ରିରଙ୍ଗା ଆମ ଜାତୀୟ ସ୍ୱାଭିମାନ, ଏକତା ଓ ମହାନ ସଭ୍ୟତାର ଶାଶ୍ୱତ ପ୍ରତୀକ । ଏହା ଆମ ମୁକ୍ତି ସଂଗ୍ରାମର ଅମର ଗାଥା, ବୀର ଶହୀଦଙ୍କ ଅତୁଳନୀୟ ଶୌର୍ଯ୍ୟ ଏବଂ ଆଗାମୀ ପିଢ଼ିର ଅସୁମାରୀ ଆକାଂକ୍ଷାର ଜୀବନ୍ତ ପ୍ରତିଫଳନ ।ଆଜି ମୋ ବାସଭବନରେ ତ୍ରିରଙ୍ଗା ଉଡ଼ାଇ ମାତୃଭୂମିର ସେବାରେ ନିଜକୁ ସମର୍ପିତ କରିଥିବା ବୀରମାନଙ୍କ ସ୍ମୃତିଚାରଣ କରିବାର ଅନନ୍ୟ ସୌଭାଗ୍ୟ ଲାଭକଲି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ସେମାନଙ୍କ ତ୍ୟାଗ ଆମର ଐତିହ୍ୟ, ସେମାନଙ୍କ ଦେଶଭକ୍ତି ଆମର ପ୍ରେରଣା; ଏବଂ ସେମାନଙ୍କ ଅମର ବଳିଦାନ ଆମକୁ ପ୍ରତିମୁହୂର୍ତ୍ତରେ ସ୍ମରଣ କରାଇଦିଏ “ବ୍ୟକ୍ତି ସ୍ୱାର୍ଥଠାରୁ ରାଷ୍ଟ୍ର ସଦା ସର୍ବୋପରି” । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ହର ଘର ତ୍ରିରଙ୍ଗା ଅଭିଯାନ ଆଜି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଏକ ନୂତନ ଜାଗରଣ ସୃଷ୍ଟି କରିଛି । ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସଂକଳ୍ପ ନେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କୋଟି କୋଟି ନାଗରିକଙ୍କୁ ଏକାଠି ବାନ୍ଧିବାରେ ଏହା ସାଜିଛି ଏକ ଶକ୍ତିଶାଳୀ ମାଧ୍ୟମ ।
ସମସ୍ତେ ଅପୂର୍ବ ଗର୍ବ ଓ ଉତ୍ସାହର ସହ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ପ୍ରତିଟି ଗାଁରୁ ସହର, ନୀଳ ଆକାଶ ତଳେ ଆମର ଏହି ପ୍ରତୀକ ଗୌରବର ସହ ଉଡ଼ୁ । ଯାହା ଆମକୁ ମାତୃଭୂମିର ସେବାରେ ସମର୍ପିତ ହେବାପାଇଁ ନିରନ୍ତର ସଙ୍କଳ୍ପବଦ୍ଧ କରିବବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


Reporterspen