ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ମହାତ୍ମା ଗାନ୍ଧୀ ମାର୍ଗରେ ଆସନ୍ତା ଶନିବାର ରାଜ୍ୟସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଆଜି (ଗୁରୁବାର) ସକାଳ ୮ଟା ୩୦ରୁ ୧୧ଟା ୩୦ ଯାଏ ଫୁଲ୍ ଡ୍ରେସ୍ ଅଭ୍ୟାସ ପରେଡ୍ ହୋଇଥିଲା । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ତଦାରଖ କରିଥିଲେ । ପୋଲିସ କମିଶନର ସୁରେଶ ଦେବଦର ସିଂଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପରେଡ କମାଣ୍ଡର ଭାବେ ବାଲିଗୁଡା ଏସଡିପିଓ ଭାବେ କାର୍ଯ୍ୟ କରୁଥିବା ୨୦୨୨ ବ୍ୟାଚର ଆଇପିଏସ୍ ଅଫିସର ଭୋସଲେ ଶୁଭମ ସଞ୍ଜୟଙ୍କ ନେତୃତ୍ୱରେ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡରେ ପ୍ରାୟ ୫୧ଟି କଣ୍ଟିଜେଣ୍ଟ୍ ଅଂଶଗ୍ରହଣ କରିବେ ।
ଚଳିତବର୍ଷ ପରେଡରେ ଛତିଶଗଡ଼ର ସଶସ୍ତ୍ର ପୋଲିସ ବଳ ଭାଗ ନେଉଛି । ସେହିପରି କଣ୍ଟିଜେଣ୍ଟ ମଧ୍ୟରେ ୧୨୦ ଇନ୍ଫ୍ୟାନଟ୍ରି ବାଟାଲିୟନ, ଆଇଟିବିପି, ସିଆର୍ପିଏଫ୍, ବିଏସ୍ଏଫ, ରେଳ ସୁରକ୍ଷା ବଳ ସହ ଓଡ଼ିଶା ପୋଲିସ ଅଧୀନ ବିଭିନ୍ନ ବିଭାଗ, ଅଗ୍ନିଶମ, ଏନ୍ସିସି ଏବଂ ସ୍କାଉଟଗାଇଡ୍ ଆଦି ରହିଛନ୍ତି । ଏଥିସହ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ର ମଧ୍ୟ ଅଂଶଗ୍ରହଣ କରି କଳାକୌଶଳ ପ୍ରଦର୍ଶନ କରିବେ । ସେହିପରି ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବାର ଯୋଜନା ପାଜନା ରହିଛି । ପୂର୍ଣ୍ଣ ଅଭ୍ୟାସ ପରେଡରେ ଉତ୍ସାହର ସହ ବିଭିନ୍ନ କଣ୍ଟିଜେଣ୍ଟ ପ୍ରଦର୍ଶନ କରିବା ସହ କମାଣ୍ଡର ଭୋସଲେ ଶୁଭମ ସଞ୍ଜୟ ମଧ୍ୟ ଦୃଢ ନେତୃତ୍ୱ ନେଇଥିଲେ ।
ଅନ୍ୟପକ୍ଷରେ ସ୍ୱାଧୀନତା ଦିବସ ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ଗାନ୍ଧୀମାର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଢ଼ାଇ ଦିଆଯାଇଛି । ଏଥିପାଇଁ ୩୦ରୁ ଊର୍ଦ୍ଧ୍ୱ ପ୍ଲାଟୁନ୍ ପୋଲିସ ଫୋର୍ସ ବ୍ୟବସ୍ଥା କରାଯାଇଛି । ଗାନ୍ଧୀମାର୍ଗର ଚତୁଃପାର୍ଶ୍ୱରେ ଥିବା ଛକଗୁଡ଼ିକରେ ମଧ୍ୟ ପୋଲିସ ଫୋର୍ସ ମୁତୟନ ହେବେ । ସାଦା ପୋଷାକରେ ମଧ୍ୟ ପୋଲିସ କର୍ମଚାରୀ ସ୍ଥିତି ଉପରେ ନଜର ରଖିବେ ।
ଏନେଇ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ କହିଛନ୍ତି, ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । ଆର୍ମି, କେନ୍ଦ୍ରୀୟ ସଶସ୍ତ୍ର ବଳ, ଓଡ଼ିଶା ପୋଲିସ, କମିଶନରେଟ୍ ପୋଲିସ, ଏସଓଜି, ଛତିଶଗଡ କଣ୍ଟିଜେଣ୍ଟ ଏବଂ ବିଭିନ୍ନ ବିଦ୍ୟାଳୟର ପିଲାମାନେ ଉତ୍ସାହର ସହ ପୂର୍ଣ୍ଣ ଅଭ୍ୟାସ ପରେଡରେ ଭାଗ ନେଇଥିଲେ । ଆଜି ପାଗ ଠିକ ଥିଲା । ତେବେ କଣ୍ଟିଜେଣ୍ଟଗୁଡ଼ିକ ବର୍ଷା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରିବାକୁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି । ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେଭଳି ପ୍ରତିବର୍ଷ ବ୍ୟବସ୍ଥା କରାଯାଏ, ତାହା ଠାରୁ ଅଧିକ ଭଲ ଆୟୋଜନ କରଯାଇଛି ବୋଲି ସିପି କହିଛନ୍ତି ।
ଛତିଶଗଡ ସଶସ୍ତ୍ର ବଳର ନେତୃତ୍ୱ ନେଉଥିବା ମନୋଜ କୁମାର ଗୁପ୍ତ କହିଛନ୍ତି, ଏଥିପାଇଁ ବହୁତ ଖୁସି ଲାଗୁଛି । ୨୦୨୩ ରେ ମଧ୍ୟ ଛତିଶଗଡ ପୋଲିସ ଓଡିଶା ଆସିଥିଲା । ଏଠାରେ ସୁନ୍ଦର ଆତିଥ୍ୟତା ମିଳୁଛି । ପରେଡରେ ସାମିଲ ହୋଇ ବହୁତ ଭଲ ଅନୁଭବ ହେଉଛି ବୋଲି ସେ କହିଛନ୍ତି ।

