ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଓ ଅତ୍ୟାଚାର, ଅତିରିକ୍ତ ସଚିବ ଗିରଫ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ମହିଳା ସହକର୍ମୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳଙ୍କୁ ଆଜି (ଶୁକ୍ରବାର) ଖାରବେଳନଗର ପୋଲିସ ଗିରଫ କରିଛି । ପୀଡିତା ସହକର୍ମୀ ଯୁବତୀଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ଥାନା ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତ ଅରୁଣଙ୍କୁ ପୋଲିସ କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

ପୋଲିସ ସୂଚନା ଅନୁଯାୟୀ, ପୀଡିତା ଯୁବତୀ ଜଣକ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ଭଡାରେ ରହୁଛନ୍ତି । ସେ ପରିବହନ ବିଭାଗରେ ଚୁକ୍ତି ଭିତ୍ତିରେ ଚାକିରି କରୁଛନ୍ତି । ତେବେ ଅତିରିକ୍ତ ସଚିବ ଅରୁଣ ତାଙ୍କୁ ପ୍ରେମ ନିବେଦନ କରିବା ସହ ବିଭିନ୍ନ ସମୟରେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଗତକାଲି(ଗୁରୁବାର) ରାତିରେ ଅରୁଣ ତାଙ୍କ ଘରକୁ ଯାଇ ହଙ୍ଗାମା କରିଥିଲେ । ଏହି ସମୟରେ ଯୁବତୀ ଜଣକ ପୋଲିସକୁ ଫୋନ କରିଥିଲେ । ପୋଲିସ ଟିମ୍ ପହଞ୍ଚି ସ୍ଥିତି ବୁଝିବା ସହ ଅରୁଣଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରିଥିଲା ।

ଜେରା ବେଳେ ସେ ନିଜର ଦୋଷ ସ୍ୱିକାର କରିବା ସହ ତାଙ୍କ ମୋବାଇଲରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ପରେ ପୁଲିସ ତାଙ୍କ ବିରୋଧରେ ବିଏନଏସ ଧାରା ୬୪(୨)(ବି) – କ୍ଷମତା କିମ୍ବା ପଦବୀର ଦୁରୁପଯୋଗ କରି ସହକର୍ମୀଙ୍କୁ ଦୁଷ୍କର୍ମ, ଧାରା ୧୦୯(୧) – ହତ୍ୟା ଉଦ୍ୟମ, ଧାରା ୧୧୫(୨) – ସ୍ୱେଚ୍ଛାକୃତ ଭାବେ ଆଘାତ ପହଞ୍ଚାଇବା, ଧାରା ୨୯୬ – ଅଶ୍ଳୀଳ କାର୍ଯ୍ୟ, ଧାରା ୩୫୧(୨) -ଧମକ ଦେବା ଅଭିଯୋଗରେ ମାମଲା ରୁଜୁ କରିବା ସହ ଗିରଫ କରିଥିଲା ।

ଏନେଇ ଖାରବେଳନଗର ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ କହିଛନ୍ତି, ‘ପୀଡିତା ଯୁବତୀ ଜଣକ ଅବିବାହିତ । ସେ ପରିବହନ ବିଭାଗରେ କାର୍ଯ୍ୟରତ ଅଛନ୍ତି । ତାଙ୍କୁ ଅରୁଣ ଭୟଭୀତ କରାଇ ଧମକ ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଏପରିକି ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ସେ ଯୁବତୀଙ୍କ ଘରେ ପଶିଥିଲେ । ସେଠାରେ ପୀଡିତାଙ୍କ ସହ ଅରୁଣ ଅସଦାଚରଣ କରିଥିବା ଅଭିଯୋଗ ରହିଛି । ଏନେଇ ଯୁବତୀ ଜଣକ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର କରି ପୋଲିସ ମାମଲା (ନଂ.୬୫୭/୨୦୨୬) ରୁଜୁ କରି ତଦନ୍ତ ଜାରି ରଖିଛି ।’ ଘଟଣାସ୍ଥଳରେ ସିସିଟିଭି ଫୁଟେଜ, ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ, ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଉଛି ବୋଲି ସେ କହିଛନ୍ତି ।


Reporterspen