Murder: ଭୁବନେଶ୍ୱର (ରିପୋଟର୍ସ ପେନ୍) : ରାଜଧାନୀ ଭୁବନେଶ୍ୱରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକଙ୍କୁ ବିଚ୍ରାସ୍ତାରେ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ଗଣ୍ଡି-ମୁଣ୍ଡ ଅଲଗା କରିଦେଇଛନ୍ତି । ମୃତ ଯୁବକ ଜଣକ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବୋଲି ଜଣାପଡିଛି । ପୋଲିସ ଶବ ଜବତ କରି ତଦନ୍ତ କରୁଥିବା ବେଳେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ଦୀର୍ଘ ୧୩ ବର୍ଷ ପରେ ପୁଣି ଥରେ ରାଜଧାନୀରେ ଗଣ୍ଡି-ମୁଣ୍ଡ ଅଲଗା ହେବା ଲୋକଙ୍କ ମନରେ ଭୟ ସଂଚାର କରିଛି ।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ସହଦେବ ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ଭିଏସଏସ ନଗର ପଟୁ ରସୁଲଗଡ ଆଡକୁ ଆସୁଥିଲେ । ଏହି ସମୟରେ ୪ଜଣ ଯୁବକ ଦୁଇଟି ବାଇକରେ ତାଙ୍କୁ ପିଛା କରି ଆସିଥିଲେ । ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଅତର୍କିତ ଖଣ୍ଡାରେ ଚୋଟ ମାରିଥିଲେ । ଫଳରେ ତାଙ୍କ ଶରୀରରୁୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।
ସକାଳୁ ମର୍ଣ୍ଣିଂୱାକରେ ଯାଉଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ମଞ୍ଚେଶ୍ୱର ଓ ଶହୀଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ସହ ପୋଲିସ ଛାନଭିନ କରୁଥିବା ବେଳେ କେତେକ ପ୍ରତ୍ୟେକଦର୍ଶୀଙ୍କୁ ପଚରାଉଚରା କରୁଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।
୨୦୧୧ ଜାନୁଆରୀ ଘଟଣାର ପୁନରାବୃତ୍ତି
ଆଜିର ଘଟଣା ପୁଣି ଥରେ ୨୦୧୧ମସିହା ବିଭତ୍ସ ହତ୍ୟାକାଣ୍ଡକୁ ମନେପକାଇ ଦେଇଛି । ୨୦୧୧ ଜାନୁଆରୀ ୨୭ ତାରିଖ ରାତି ସାଡେ ୯ଟା ବେଳେ ରସୁଲଗଡ ଜିଜିପି କେନାଲ ରୋଡରେ ଏଭଳି ଏକ ବିଭତ୍ସ ହତ୍ୟକାଣ୍ଡ ଘଟିଥିଲା । ସଂଜୟ ଗୌଡ ନାମକ ଜଣେ ଯୁବକଙ୍କୁ କୁଖ୍ୟାତ ଅପରାଧୀ ଗଞ୍ଜାମର ପ୍ରଦୀପ ପଲାଇ ଚାପଡରେ ହାଣି ଗଣ୍ଡି-ମୁଣ୍ଡ ଅଲଗା କରିଦେଇଥିଲା । ସେତେବେଳେ ଗଣ୍ଡିରୁ ମୁଣ୍ଡ ଛିଡି ଯାଇ ବିକ୍ଷିପ୍ତ ହୋଇପଡିଥିବା ବେଳେ ଏବେ କିନ୍ତୁ ଗଣ୍ଡିରେ ମୁଣ୍ଡ ସାମାନ୍ୟ ଝୁଲି ରହିଛି । ସେହି ଘଟଣା ସେତେବେଳେ କମିଶନରେଟ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା । ଏହି ଘଟଣାର ୧୩ ବର୍ଷ ପରେ ପୁଣି ଥରେ ରାଜଧାନୀରେ ମୁଣ୍ଡ-ଗଣ୍ଡି ଅଲଗା ଘଟଣା ସହରବାସୀଙ୍କ ନିଦ ହଜାଇ ଦେଇଛି ।