• “ଉତ୍ପାଦନରୁ ବଜାର” ପର୍ଯ୍ୟନ୍ତ ସମଗ୍ର ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
• ପୁରୀ ଓ ଗଞ୍ଜାମରେ ପାଇଲଟ୍ କ୍ଲଷ୍ଟର
• କୃଷକଙ୍କ ଆୟ ଓ ଗ୍ରାମୀଣ ଅର୍ଥନୀତି ଦେବା ଲକ୍ଷ୍ୟ
ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଓଡ଼ିଶାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟରେ ପ୍ରଥମ ସମନ୍ୱିତ କ୍ଲଷ୍ଟର ବିକାଶ ପଦକ୍ଷେପ(ଆଇସିଡିଆଇ) ପରାମର୍ଶ କର୍ମଶାଳା ଆଜି ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳରେ ଉପରୋକ୍ତ କ୍ଷେତ୍ରରେ କ୍ଲଷ୍ଟରଭିତ୍ତିକ ବିକାଶର ସମ୍ଭାବନା, ପ୍ରାଥମିକ କ୍ଷେତ୍ର ଚିହ୍ନଟ, ପରିଲକ୍ଷିତ ହେଉଥିବା ଅଭାବର ଦୂରୀକରଣ, ଅନୁଷ୍ଠାନିକ ସମନ୍ୱୟ ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନେଇ ବିସ୍ତୃତ ଆଲୋଚନା ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ(ଇଏସି-ପିଏମ), ନୀତି ଆୟୋଗ ଏବଂ ଓଡ଼ିଶା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍. ମହେନ୍ଦ୍ର ଦେବ, ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶକ (ଅର୍ଥନୈତିକ ଓ ଆର୍ଥିକ) ର ଡଃ. ପ୍ରଭାକର ସାହୁ, ଇଏସି- ପିଏମ୍ ର ଯୁଗ୍ମ ଶାସନ ସଚିବ ଡଃ. କେ.କେ.ତ୍ରିପାଠୀ, ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ପ୍ରେମ ଚନ୍ଦ୍ର ଚୌଧାରୀ, ଆନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (ଆଇଏଫପିଆରଆଇ)ର ବରିଷ୍ଠ ଗବେଷିକା ଡଃ ସୁଧା ନାରାୟଣନ, ଇଏସି-ପିଏମ, ନୀତି ଆୟୋଗ ଏବଂ ସଂପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
କର୍ମଶାଳାର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ଅଧ୍ୟକ୍ଷ ପ୍ରଫେସର ଦେବ ଯୋଗଦେଇ ବିଭିନ୍ନ କୃଷିଭିତ୍ତିକ ଉତ୍ପାଦନରୁ କିପରି ଅଧିକ ଆୟ ସୃଷ୍ଟି କରାଯାଇପାରିବ, ସେଥିପାଇଁ ‘ଉତ୍ପାଦନଭିତ୍ତିକ ଆଭିମୁଖ୍ୟ’ରୁ ‘କୃଷି ଆୟଭିତ୍ତିକ ଆଭିମୁଖ୍ୟ’କୁ ଗୁରୁତ୍ୱ ଦେବା ଉପରେ ଆଲୋକପାତ କରିଥିଲେ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ସହ ଫସଲ ଅମଳ ପରବର୍ତ୍ତୀ ଉତ୍ପାଦନ ହାର ବୃଦ୍ଧି, କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ଉନ୍ନତି, କୃଷକ ଉତ୍ପାଦକ ଗୋଷ୍ଠୀ, ସମବାୟ ସମତିଗୁଡ଼ିକ ସମ୍ମିଳିତ ପ୍ରୟାସରେ ଅଭିବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପୂର୍ବାଂଚଳ ରାଜ୍ୟ ଭାବେ ଓଡ଼ିଶା ଏ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
ଏହା କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଉତ୍ପାଦନ ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଘଟିବ । ବିଭିନ୍ନ ଅଂଶୀଦାରୀ ବିଭାଗ ଓ ସଂସ୍ଥାମାନଙ୍କ ମିଳିତ ପ୍ରୟାସରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହା ପ୍ରଥମେ ପୁରୀ ଓ ଗଂଜାମ ଜିଲ୍ଲାରେ କ୍ଲଷ୍ଟର ବିକାଶ ପଦକ୍ଷେପ ଆରମ୍ଭ କରାଯିବା ନେଇ ଆଲୋଚନା କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର ଓ ଦେଓଗଡ୍ ଜିଲ୍ଲାରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଏ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ବିକଶିତ ଓଡ଼ିଶାର ସଫଳତା ବିକଶିତ ଭାରତର ଲକ୍ଷ୍ୟ ସାଧନରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ । ରାଜ୍ୟର ପ୍ରତ୍ୟେକ ଅଞ୍ଚଳର ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରି ସମାବେଶୀ ଓ ସନ୍ତୁଳିତ ବିକାଶ ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କୃଷି ଉତ୍ପାଦନ ସହ ମୂଲ୍ୟଯୁକ୍ତ ଉତ୍ପାଦନ, ପ୍ରକ୍ରିୟାକରଣ ଓ ବଜାର ସଂଯୋଗକୁ ଏକୀକୃତ କରି ‘ଉତ୍ପାଦନରୁ ବଜାର’ ପର୍ଯ୍ୟନ୍ତ ସମଗ୍ର ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଅଞ୍ଚଳଭିତ୍ତିକ ଉତ୍ପାଦକୁ ବୃହତ୍ତର ବଜାର ସହ ଯୋଡ଼ିବା ଏବଂ ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ କ୍ଲଷ୍ଟରଭିତ୍ତିକ ଅର୍ଥନୈତିକ କାର୍ଯ୍ୟକଳାପରେ ଅଧିକ ସଂଯୋଜିତ କରିବା ଦ୍ୱାରା ଗ୍ରାମୀଣ ଅର୍ଥନୀତିକୁ ନୂତନ ଗତି ମିଳିବ ବୋଲି ସେ ପ୍ରକାଶ କରିଥିଲେ । ଏହି ପଦକ୍ଷେପର ସଫଳତା ପାଇଁ ସରକାରୀ ବିଭାଗ, ଜିଲ୍ଲା ପ୍ରଶାସନ, ଗବେଷଣା ଓ ଆର୍ଥିକ ସଂସ୍ଥା, ସମବାୟ, ଘରୋଇ କ୍ଷେତ୍ର ଓ ସ୍ଥାନୀୟ ଉଦ୍ୟୋଗୀଙ୍କ ମଧ୍ୟରେ ଦୃଢ଼ ସମନ୍ୱୟ ଅପରିହାର୍ଯ୍ୟ ବୋଲି ସେ କହିଥିଲେ । ଏହା ତ୍ୱରିତ ଗ୍ରାମୀଣ ବିକାଶ ସହ ରାଜ୍ୟ ଅର୍ଥନୀତିର ପୁନର୍ଜାଗରଣକୁ ଗତିଶୀଳ କରିବ ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ ଓଡ଼ିଶାର ଉଦ୍ୟାନ କୃଷି କ୍ଷେତ୍ରର ସ୍ଥିତି, ଉତ୍ପାଦନ କ୍ଷମତା ଓ ମୂଲ୍ୟଯୁକ୍ତ ଉତ୍ପାଦନର ସୁଯୋଗ ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ । ସେ କହିଥିଲେ ଯେ, ଓଡ଼ିଶା ଦେଶର ପ୍ରମୁଖ ଫଳ ଓ ପନିପରିବା ଉତ୍ପାଦକ ରାଜ୍ୟ ଭାବେ ଉଭା ହୋଇଥିବାବେଳେ, ରାଜ୍ୟରେ ପ୍ରାୟ ୧୬.୫୩ ଲକ୍ଷ ହେକ୍ଟର ଜମିରେ ଉଦ୍ୟାନ କୃଷି ଫସଲ ଚାଷ ହେଉଛି ଏବଂ ବାର୍ଷିକ ପନିପରିବା ଉତ୍ପାଦନ ପ୍ରାୟ ୧୧.୧ ନିୟୁତ ମେଟ୍ରିକ୍ ଟନ୍ ରହିଛି । ପ୍ରାୟ ୩.୮୩ ଲକ୍ଷ କୃଷକ ୯୫ଟି କ୍ଲଷ୍ଟରଭିତ୍ତିକ ଉଦ୍ୟାନକୃଷି କାର୍ଯ୍ୟ କରୁଛନ୍ତି । ଗଞ୍ଜାମ ଓ ପୁରୀକୁ ପ୍ରାଥମିକ କ୍ଲଷ୍ଟର ଭାବେ ନେଇ କାଜୁ, ଆମ୍ବ, ପନିପରିବା, ମସଲା ଆଦିର ଉତ୍ପାଦନ ସହିତ ସଂଗ୍ରହ, ଶୀତଳ ଭଣ୍ଡାର, ପ୍ରକ୍ରିୟାକରଣ ଓ ବଜାର ସଂଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ ଏଫ୍ପିଓଗୁଡ଼ିକୁ ସୁଦୃଢ଼ କରି କୃଷକଙ୍କ ଉତ୍ପାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବା, ମୂଲ୍ୟବର୍ଦ୍ଧନ ଓ ରପ୍ତାନି ବୃଦ୍ଧି ପାଇଁ କ୍ଲଷ୍ଟର-ଆଧାରିତ ପଦକ୍ଷେପ ନେବାର ରୋଡମ୍ୟାପ୍ ଉପସ୍ଥାପିତ ହୋଇଥିଲା ।
ମତ୍ସ୍ୟ, ଦୁଗ୍ଧ କ୍ଷେତ୍ରରେ ପ୍ରମୁଖ ଉତ୍ପାଦ ଓ ମୂଲ୍ୟ ଶୃଙ୍ଖଳ (ଭାଲ୍ୟୁ ଚେନ୍) ଚିହ୍ନଟ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ବିଭାଗୀୟ ଶାସନ ସଚିବ ଶ୍ରୀ ଚୌଧାରୀ ରାଜ୍ୟର ମତ୍ସ୍ୟ କ୍ଷେତ୍ରର ବିକାଶ ପାଇଁ ନୀଳ ଅର୍ଥନୀତି ଉପରେ ଗୁରୁତ୍ୱାରୋପ କରି ଗଭୀର ସମୁଦ୍ରରେ ମାଛ ଚାଷ( ଡିପ୍ ସି ଫିସିଂ ମିଶନ), ଚିଙ୍ଗୁଡି(ଶ୍ରିମ୍ପ) ମିଶନ, ଜଳଭଣ୍ଡାରରେ ମାଛ ଚାଷ ଓ ଆବଶ୍ୟକ ଭିତ୍ତିଭୂମି ବିକାଶ ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଓ ପୁରୀକୁ କେନ୍ଦ୍ର କରି ମତ୍ସ୍ୟ ଉତ୍ପାଦନ, ମାଛଧରା ଭିତ୍ତିଭୂମି, ଶୀତଳ ଶୃଙ୍ଖଳ, ପ୍ରକ୍ରିୟାକରଣ, ଏଫ୍ପିଓ ଓ ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରି ବଜାର ସଂଯୋଗ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେହିପରି, ଦୁଗ୍ଧ କ୍ଷେତ୍ରରେ ଉତ୍ପାଦକତା, ପ୍ରାଣୀ ସ୍ୱାସ୍ଥ୍ୟ, ଚାରା ବିକାଶ, ଦୁଗ୍ଧ ସଂଗ୍ରହ ଓ ଶୀତଳୀକରଣ ସହ ମୂଲ୍ୟଯୁକ୍ତ ଉତ୍ପାଦନକୁ ଏକୀକୃତ କରି କୃଷକଙ୍କ ଆୟ ବୃଦ୍ଧି ପାଇଁ କ୍ଲଷ୍ଟର ଭିତ୍ତିକ ରଣନୀତିର ରୂପରେଖ ସେ ଉପସ୍ଥାପନ କରିଥିଲେ। ଏହି ସମନ୍ୱିତ କ୍ଲଷ୍ଟର ବିକାଶ ପଦକ୍ଷେପ ରାଜ୍ୟର ଅଭିବୃଦ୍ଧି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
ଉଦ୍ଘାଟନୀ ଅଧିବେଶନରେ ଆଇଏଫପିଆରଆଇର ବରିଷ୍ଠ ଗବେଷିକା ଡଃ ନାରାୟଣନ୍ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଂପୃକ୍ତ ସମସ୍ତ ବିଭାଗ ଓ ସଂସ୍ଥାର ସହଯୋଗରେ ଓଡ଼ିଶାରେ ସମନ୍ୱିତ କ୍ଲଷ୍ଟର ବିକାଶ ପଦକ୍ଷେପ, ତୃଣମୂଳସ୍ତରରେ କୃଷି ଓ ଶିଳ୍ପଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରି କୃଷକମାନଙ୍କ କଲ୍ୟାଣ ସାଧନରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
ଆୟୋଜିତ ହୋଇଥିବା ବୈଷୟିକ ଅଧିବେଶନଗୁଡିକରେ କ୍ଷେତ୍ରସ୍ତରୀୟ ଅଧ୍ୟୟନ, ପ୍ରତିଷ୍ଠାନଗତ ବ୍ୟବସ୍ଥା ଅନୁଧ୍ୟାନ,ମୂଲ୍ୟଯୁକ୍ତ ଉତ୍ପାଦନ, ସ୍ଥିତିଗତ ବିଶ୍ଳେଷଣ, ପ୍ରମୁଖ ଫସଲ, ମୂଲ୍ୟ ଶୃଙ୍ଖଳ ଓ ସମ୍ଭାବନା ରହୁଥିବା କ୍ଲଷ୍ଟସମୂହର ଚିହ୍ନଟ ଆଦି ମାଧ୍ୟମରେ ସମନ୍ୱିତ କ୍ଲଷ୍ଟର ବିକାଶ ପଦକ୍ଷେପକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉତ୍ପାଦନ, ବଜାର ଚାହିଦା, ପ୍ରକ୍ରିୟାକରଣ ଓ ମୂଲ୍ୟବୃଦ୍ଧି, ରପ୍ତାନି, ରୋଜଗାର, ସମାବେଶୀ ବିକାଶ ଓ ସ୍ଥାୟିତ୍ୱ ଭଳି ବିଭିନ୍ନ ଦିଗକୁ କ୍ଲଷ୍ଟର ଚୟନର ମୁଖ୍ୟ ମାନଦଣ୍ଡ ଭାବେ ବିବେଚନା କରାଯାଇଛି ।
ବୈଠକରେ ରାଜ୍ୟ ଓ ସଂପୃକ୍ତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ କୃଷି, ମତ୍ସ୍ୟ, ଉଦ୍ୟାନ କୃଷି, ଦୁଗ୍ଧ, ସମବାୟ, ଆର୍ଥିକ ସଂସ୍ଥା, ଗବେଷଣା ପ୍ରତିଷ୍ଠାନ, ବେସରକାରୀ କ୍ଷେତ୍ରର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇଥିଲେ ।

